Unknown

 

 

 

 

 

 

 

 

 

 

 

ନିୟତି ବିଧାନ

ଲକ୍ଷ୍ମଣ ମିଶ୍ର

 

ପୂର୍ବାଭାସ

 

ପରମେଶ୍ୱର ଯେ କେବଳ ବିଶ୍ୱବ୍ରହ୍ମାଣ୍ଡଟା ସୃଷ୍ଟି କରି ଦେଇଛନ୍ତି, ସେତିକି ନୁହେଁ ; ସୃଷ୍ଟି-ସ୍ଥିତି-ଲୟ କ୍ରମରେ ପ୍ରତ୍ୟେକ ଅବସ୍ଥା ମଧ୍ୟ ତାଙ୍କ ଯୋଜନା ଅନୁସାରେ ପରିଚାଳିତ । ସୃଷ୍ଟିର ପରିଚାଳନାଗତ ବିଧାନ ଏତେ ଶୃଙ୍ଖଳିତ ଏବଂ ନିୟମିତ ଯେ ଦିନରାତି, ମାସ-ଋତୁ ଆଦି ଏବଂ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧିରେ କୌଣସି ବ୍ୟତିକ୍ରମ ନଥାଏ । ଏହି ବିଧାନ ସୁନିଶ୍ଚିତ ଏବଂ ନିୟତ ହୋଇଥିବା ଯୋଗୁଁ ପରମେଶ୍ୱରଙ୍କ ବିଧାନକର୍ତ୍ତ୍ରୀ ମହାଶକ୍ତିକୁ ନିୟତି କୁହାଯାଏ । ନିୟତି ‘ଅଘଟଣ ଘଟନ ପଟ୍ଟିୟସୀ’ ବୋଲି ଶାସ୍ତ୍ରକାରମାନେ କହିଅଛନ୍ତି । ଏହା ଅତି ଯଥାର୍ଥ । ଅଜଣା-ଅଶୁଣା, ଅସମ୍ଭବ ଘଟଣାବଳୀ ମଧ୍ୟ ଅପ୍ରତ୍ୟାଶିତ ଭାବରେ ସେ ଘଟାଇ ଦେଇପାରେ; ଏହା ଊଣା ଅଧିକେ ବ୍ୟକ୍ତି ମାତ୍ରେ ବୁଝି ପାରୁଥିବେ । ପରନ୍ତୁ ଯେ କୌଣସି ସାମାନ୍ୟ-ସାଧାରଣ ଘଟଣା ମଧ୍ୟ ତାହାର କୃତିତ୍ୱ । ବିଶ୍ୱରଙ୍ଗମଞ୍ଚର ଯାବତୀୟ ଅଭିନୟ କେବଳହିଁ ନିୟତିର ନିର୍ଦ୍ଦେଶ-ଖେଳ ।

 

‘ନିୟତି ବିଧାନ’ ଦ୍ୱାରା କିପରି ଅସମ୍ଭବ-ଅପରିକଳ୍ପିତ ଭାବରେ ଘଟଣାରାଜି ସମ୍ଭାବିତ ହୋଇ ପାରିଛି, ତହିଁର କେତେଗୋଟି ନିଦର୍ଶନ ଏ ପୁସ୍ତିକାରେ ଗଳ୍ପ ଆକାରରେ ଦିଆଯାଇଛି । କିନ୍ତୁ ଏହାଠାରୁ ବଳି ଅଧିକ ଗରିଷ୍ଠ ଏବଂ ଅଦ୍‌ଭୂତ ଘଟଣା ଉପସ୍ଥିତ କରାଇଦେବା ମଧ୍ୟ ନିୟତି ମହାଶକ୍ତିର ବିଧାନ ପକ୍ଷରେ ଅସମ୍ଭବ ନୁହେଁ ।

 

-ଲେଖକ

Image

 

ସୂଚିପତ୍ର

 

୧.

ଜନ୍ମାନ୍ତର ରହସ୍ୟ

୨.

ପ୍ରାରବ୍‌ଧ ଲିପି

୩.

ରାମ ବନବାସ

୪.

ପର୍ଶୁରାମର ମାତୃହତ୍ୟା

୫.

ସାବିତ୍ରୀ–ସତ୍ୟବାନ

୬.

ସତର୍କ ଘଣ୍ଟି

୭.

ନିୟତି-ନିର୍ଦ୍ଦେଶ

୮.

ଶନିକୋପ

୯.

ଶନିଦୃଷ୍ଟି

୧୦.

ଭକ୍ତ ବିଭାବ

୧୧.

ଆତ୍ମନିଷ୍ଠା

୧୨.

ଋଣଶୋଧ

Image

 

ଜନ୍ମାନ୍ତର ରହସ୍ୟ

 

ଜନ୍ମାନ୍ତରବାଦର ସତ୍ୟାସତ୍ୟ ସମ୍ବନ୍ଧରେ ନାନା ଆଲୋଚନା ଶୁଣାଯାଏ । କିନ୍ତୁ କେତେକ ନିର୍ଭରଯୋଗ୍ୟ, ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଅନୁଭୂତିରୁ ଜଣାଯାଏ ଯେ ମୃତ୍ୟୁପରେ କୌଣସି କୌଣସି ବ୍ୟକ୍ତିର ପ୍ରେତାତ୍ମା ଅଶରୀରୀ ଭାବରେ ଆସି ସେମାନଙ୍କ ଅପୂର୍ଣ୍ଣ ଅଭିଳାଷ ପୂରଣ ନିମନ୍ତେ ଦାୟାଦମାନଙ୍କୁ ଉପଦେଶ ଦେଇଯାଇଛନ୍ତି ଅବା ଅନୁରୋଧ ଜଣାଇଛନ୍ତି । ସେହି ଅଶରୀରୀ ଉକ୍ତିର ଯଥାର୍ଥତା ମଧ୍ୟ ପ୍ରମାଣିତ ହୋଇଛି । ସେ ଯାହାହେଉ ଏଠାରେ ଜୀବର ଜନ୍ମାନ୍ତର ଗ୍ରହଣ ସମ୍ବନ୍ଧରେ ଗୋଟିଏ ରହସ୍ୟମୟ ଚିତ୍ର ଦିଆଯାଉଛି ।

 

ଅଳ୍ପଦିନ ତଳେ ଗୋଟିଏ ଇଂରାଜୀ ପୁସ୍ତକ (My Experience) ଆତ୍ମାନୁଭୂତି ପଢ଼ିବାକୁ ପାଇଥିଲି । ଲେଖକ—ସ୍ୱାମୀ କୃଷ୍ଣାନନ୍ଦ । ପୁସ୍ତକର କଳେବର ପ୍ରାୟ ଅଢ଼ାଇଶହ ପୃଷ୍ଠାହେବ । ସ୍ୱାମୀଜୀଙ୍କର ଅନେକ ଆତ୍ମଅନୁଭୂତ ଘଟଣା ସେଥିରେ ଦିଆଯାଇଛି । ମୁଖବନ୍ଧ ଲେଖିଛନ୍ତି—ବମ୍ବେର ଜଣେ ବିଶିଷ୍ଠ ଅଧ୍ୟାପକ । ସେଥିରୁ ଜାଣିଲି, କୃଷ୍ଣାନନ୍ଦ ସ୍ୱାମୀ ଉଚ୍ଚ ବିଭବଶାଳୀ ସମ୍ଭ୍ରାନ୍ତବଂଶୀୟ ଗୁଜରାଟବାସୀ । ଏମ୍‌, ଏ. ପାଶ୍‌ପରେ ସନ୍ନ୍ୟାସ ଗ୍ରହଣ କରି ପଦବ୍ରଜରେ ସାରା ଭାରତ ଭ୍ରମଣ କରୁଛନ୍ତି । ସେ ସର୍ବଦା ମୁକ୍ତପଦରେ ଭ୍ରମଣ କରନ୍ତି ଏବଂ କୌଣସି ଯାନର ଆଶ୍ରୟ କିମ୍ବା ବ୍ୟବହାର କରନ୍ତି ନାହିଁ ।

 

ସ୍ୱାମୀଜୀ ଭାରତର ଅଭ୍ୟନ୍ତର ଅଞ୍ଚଳମାନଙ୍କରେ ଅତି ଦୁର୍ଗମ ବନ-ଜଙ୍ଗଲ-ପାହାଡ଼-ପର୍ବତମାନଙ୍କରେ ଭ୍ରମଣ କରି କେତେ କେତେ ସିଦ୍ଧଯୋଗୀ ଓ ମୁନୀଙ୍କ ଦର୍ଶନଲାଭ କରିଛନ୍ତି । ସେମାନଙ୍କ ସହିତ ସମ୍ଭାଷଣ କରି ଉପଦେଶ ଲାଭ କରିଛନ୍ତି । ଅତୀତର ଦୀର୍ଘ ତିରିଶ ବର୍ଷ ମଧ୍ୟରେ ସେ ତିନିଥର ସଂପୂର୍ଣ୍ଣ ଭାରତ ଭ୍ରମଣ କରି ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି । ଉଭୟ ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ତାଙ୍କର ପାଞ୍ଚଖଣ୍ଡି ଲେଖାଏଁ ପୁସ୍ତକ ପ୍ରକାଶ ପାଇସାରିଛି । ପ୍ରତ୍ୟେକ ପୁସ୍ତକ ବହୁ ସଂଖ୍ୟାରେ ମୁଦ୍ରିତ ହୋଇ ବିନା ମୂଲ୍ୟରେ ବିତରିତ ହୋଇଛି । ସମସ୍ତ ମୁଦ୍ରଣ ବ୍ୟୟ ବହନ କରି ଆସିଛନ୍ତି ଧର୍ମପ୍ରାଣ ବଦାନ୍ୟ ବ୍ୟକ୍ତିମାନେ । ଯେତେଦୂର ଅନୁମାନ ସ୍ୱାମୀଜୀ ବର୍ତ୍ତମାନ ଜୀବିତ ଅଛନ୍ତି । ମୁଁ ପଢ଼ିବାକୁ ପାଇଥିବା ପୁସ୍ତକ ତାଙ୍କ ଲେଖାର ପଞ୍ଚମ ଅବଦାନ । ସେଥିରେ ବର୍ଣ୍ଣିତ ବିଷୟରୁ ଗୋଟିଏ ଏଠାରେ ଦିଆଗଲା ।

 

ସ୍ୱାମୀଜୀ ଲେଖିଛନ୍ତି—୧୯୪୭ ମସିହା ମଇ ମାସରେ ପଦବ୍ରଜରେ ଆସି ମୁଁ ପୁରୀ ଜଗନ୍ନାଥ ଧାମରେ ଉପସ୍ଥିତ ହେଲି । ସେଠାରେ ସମୁଦ୍ରତୀରବର୍ତ୍ତୀ ଗୋଟିର ଅତି ଛୋଟ କୋଠରୀରେ ଆଶ୍ରୟ ନେବାକୁ ମିଳିଲା । ଦିନେ ମଧ୍ୟାହ୍ନ ସମୟରେ ଜଗନ୍ନାଥ ମନ୍ଦିରରୁ ବସାକୁ ଫେରିବା ବାଟରେ ଜଣେ ଲୋକ ଗୋଟିଏ କାଗଜ ଠୁଙ୍ଗାରେ ଅଙ୍ଗୁର, କମଳା, ଶେଓ ପ୍ରଭୃତି ଫଳଗୁଡ଼ିଏ ଆଣି ମତେ ଦେଲେ-। ମୁଁ ମନ୍ଦିରରେ ଖାଇସାରି ଫେରୁଥିଲି । ଆଉ ଖାଇବାରେ ଆବଶ୍ୟକତା ନ ଥିଲା । ଫଳଗୁଡ଼ି ଧରି ବସାକୁଗଲି । କବାଟ ଖୋଲାରଖି ସମୁଦ୍ର କୂଳଆଡ଼େ ଦୃଷ୍ଟିରଖି ଶାୟିତ ଭାବରେ ବିଶ୍ରାମ ନେଲି-

 

କିଛି ସମୟ ପରେ ଦେଖିଲି—ଅଳ୍ପଦୂର ବ୍ୟବଧାନରେ ସମୁଦ୍ର କୂଳର ତତଲାବାଲି ଉପରେ ଚାଲି ଚାଲି ଆସି ମୋ ସମ୍ମୁଖ ଦିଗରେ ବସିପଡ଼ିଲା ଗୋଟିଏ ଲୋକ । ଅତି ଦୀନ ଭିକ୍ଷୁକ ପରି ପରିଧାନରୁ ଜଣାଯାଉଛି । ବୟସ ମଧ୍ୟ ସତୁରୀ ପାଖାପାଖି ହେବା ସମ୍ଭବ । ଭାବିଲି ଭିକାରୀଲୋକ, ଖାଇବାକୁ ପାଇଥିବ କି ନାହିଁ, ତତଲା ବାଲିରେ ଚାଲିବାକୁ ଅସମର୍ଥ ହୋଇ ବୋଧହୁଏ ଥକିଗଲା । ସଙ୍ଗେ ସଙ୍ଗେ ଫଳଗୁଡ଼ିକ ଧରି ତାଙ୍କୁ ଦେବାପାଇଁ ସେଠାରେ ଯାଇ ପହଞ୍ଚିଲି ।

 

ଦେଖିଲି, ବୁଢ଼ା ତଳକୁ ମୁହଁପୋତି ଧରି ସ୍ଥିର ଭାବରେ ବସିଛି । ଉପରର ପ୍ରଖର ରୌଦ୍ରତାପ କିମ୍ବା ତଳର ଉତ୍ତପ୍ତ ବାଲୁକାଭୂମି ତାହାଙ୍କୁ ତିଳେହେଲେ ବିଚଳିତ କରୁନାହିଁ । ବୁଢ଼ା ମୁଣ୍ଡଟେକି ମୋତେ ଚାହିଁଲେ ଏବଂ ତାଙ୍କ ନିକଟରେ ଉପର ତତଲାବାଲା ହାତରେ ଆଡ଼େଇ ଦେଇ ସେଠାରେ ମତେ ବସିବାକୁ କହିଲେ । ଏପରି ଉତ୍ତପ୍ତ ଯାଗାରେ ବସିବାକୁ କୁଣ୍ଠିତ ହୋଇ ତାଙ୍କୁ ମୋ ବସାଠାକୁ ଆସିବାକୁ କହିଲି । ସେ ନାହିଁ କଲେ । ତହୁଁ ମୁଁ ନେଇଥିବା ଫଳଗୁଡ଼ିକ ତାଙ୍କୁ ଦେଲି । ସେ ଗ୍ରହଣ ନ କରି କହିଲେ—‘ମୁଁ ଖାଇସାରିଛି । ମୋର ଆଉ କୌଣସି ଖାଦ୍ୟ ଦରକାର ନାହିଁ । କିନ୍ତୁ ଶୁଣ, ଏଇ ଆଗରେ ଯେଉଁ ହଳଦିଆ କୋଠାଘର ଦେଖୁଛ ତାହା ପଛପଟେ ଛୋଟ କୁଟୀରଟିଏ ଅଛି । ସେଥିରେ ଜଣେ ରୋଗୀ ବଡ଼ ଆତୁର ଅବସ୍ଥାରେ ରହିଛି । ତୁମେ ଏ ଫଳଗୁଡ଼ିକ ନେଇ ତାକୁ ଦେଇପାରିଲେ ମୁଁ ବଡ଼ ସନ୍ତୁଷ୍ଟ ହେବି ।’

 

ବୃଦ୍ଧଙ୍କଠାରେ ଖାଦ୍ୟପ୍ରତି ଅନାଶକ୍ତି, ନିର୍ଲୋଭତା ଏବଂ କୌଣସି ଅଭାବଗ୍ରସ୍ତ ଆତୁର ରୋଗୀପ୍ରତି ସମ୍ବେଦନଶୀଳତା ଲକ୍ଷ୍ୟ କରି ମୁଁ ବିସ୍ମିତ ହେଲି । କାଳ ବିଳମ୍ବ ନକରି ତାଙ୍କ ନକରି ତାଙ୍କ ନିର୍ଦ୍ଦେଶିତ ସ୍ଥାନକୁ ଗଲି ।

 

ଦେଖିଲି—ସେ ଛୋଟ କୁଟୀରରେ ମାଆ-ପୁଅ ଦୁଇଜଣ ମାତ୍ର ରହିଛନ୍ତି । ପୁଅ ରୋଗକ୍ଳିଷ୍ଟ—ଶଯ୍ୟାଶାୟୀ । ପାଖରେ ସେବାକାରିଣୀ ତାହାର ମାଆ । ମୁଁ ଫଳଗୁଡ଼ିକ ତାଙ୍କୁ ଦେବାରେ ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ—‘ତୁମେ କିଏ ? ଏ ଫଳଗୁଡ଼ିକ କିଏ ଦେଲା ?’

 

ମତେ ନିର୍ଦ୍ଦେଶ ଦେଇ ସେଠାକୁ ପଠାଇଥିବା ବୃଦ୍ଧଭିକ୍ଷୁଙ୍କ କଥା ତାଙ୍କୁ ଜଣାଇଲି । ମାତ୍ର ସେପରି କୌଣସି ଲୋକ ସହିତ ତାଙ୍କର ପରିଚୟ ଅବା ଦେଖାସାକ୍ଷାତ ନ ଥିବା କହି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇ କୃତକୃତ୍ୟ ହେଲେ । ମୁଁ ସେଠାରୁ ଫେରିଆସି ବୃଦ୍ଧଙ୍କ ପାଖରେ ଉପସ୍ଥିତ ହେଲି । ସେ ପୂର୍ବପରି ଅବିଚଳିତ ଭାବରେ ବସିଥାନ୍ତି, ହାତରେ ବାଲିକୁ ସମତଳ କରିଦେଇ ମତେ ସେଠାରେ ବସିବାକୁ ଅନୁରୋଧ କଲେ । ମୁଁ ବସିଲି ।

 

ଲୋକର ବୟସ ଅଧିକ ହୋଇଥିଲେ ମଧ୍ୟ ଗୌରବର୍ଣ୍ଣବିଶିଷ୍ଠ ବଳିଷ୍ଠ ଶରୀର । ମାତ୍ର ଅତି ମଇଳା ଛିଣ୍ଡା ଲୁଗା ଓ ଜାମାରେ ଆବୃତ । ସମ୍ବଳ ମାତ୍ରକ ଗୋଟିଏ ମଇଳା ଛିଣ୍ଡା କନାମୁଣି । ବୃଦ୍ଧ ସେ ଛିଣ୍ଡା ମୁଣି ମଧ୍ୟରୁ ଗୋଟିଏ ଚିରାକନାରେ ବନ୍ଧା ହୋଇଥିବା ଅଠାଇଶ ଟଙ୍କାର ନୋଟ ବାହାର କରି ମୋ ହାତକୁ ବଢ଼ାଇଲେ । ମୁଁ ଆଶ୍ଚର୍ଯ୍ୟ ହୋଇ ତହିଁର କାରଣ ପଚାରିଲି । ସେ କହିଲେ—‘କାଲି ସକାଳ ଘ ୧୦।୩୫ ମିନିଟ ସମୟରେ ଶ୍ରୀମନ୍ଦିର ସମ୍ମୁଖସ୍ଥ ଅରୁଣସ୍ତମ୍ଭ ନିକଟରେ ମୁଁ ଦେହତ୍ୟାଗ କରିବି । ତୁମକୁ ଉପଯୁକ୍ତ ବ୍ୟକ୍ତି ମନେକରି ଅନୁରୋଧ କରୁଛି, ଏ ଟଙ୍କା ରଖ, ମୋ ଶବ ସଂସ୍କାର କରାଇଦେବ ।’

 

ମୁଁ କିଛିକ୍ଷଣ ଅବାକ୍‌ ହୋଇ ଚାହିଁ ରହିଲି । ସେ ମୋ ମନରେ ସନ୍ଦେହ ହେଉଥିବା ବୁଝିପାରି କହିଲେ, ‘ସନ୍ଦେହ କରୁଛ ? ନା-ନା ସତ୍ୟକଥା, ସୁନିଶ୍ଚିତ କଥା ।’

 

ପଚାରିଲି—‘ତୁମେତ ବେଶ୍‌ ସୁସ୍ଥ ସବଳ ଜଣାଯାଉଛ । ନିଜର ମୃତ୍ୟୁ ସମୟ କିପରି ଜାଣିଲ ?’

 

ସେ କହିଲେ—‘ହଁ, ଜାଣି ପାରୁଛି । କେବଳ ମୃତ୍ୟୁ ସମୟ କାହିଁକି, ପରବର୍ତ୍ତୀ ଜନ୍ମକଥା ମଧ୍ୟ ଜାଣିପାରୁଛି । ଆସନ୍ତ ଅଗଷ୍ଟ ତା.... ରିଖ (ସ୍ୱାମୀଜୀ ତାଙ୍କ ଲେଖାରେ ପ୍ରତ୍ୟେକ ସ୍ଥଳରେ ନିର୍ଦ୍ଦିଷ୍ଟ ତାରିଖ, ସମୟ ନାମ ଓ ଧାମ ଆଦି ଉଲ୍ଲେଖ କରିଛନ୍ତି କିନ୍ତୁ ମୁଁ ସଠିକ ସ୍ମରଣ କରିପାରୁ ନାହିଁ) ଅମୁକ ବାର ରାତ୍ରି ଘ.... ଣ୍ଟା ସମୟରେ ବଙ୍ଗଦେଶ ଅନ୍ତର୍ଗତ ଚବିଶ ପ୍ରଗନା—ଜିଲାର ଅମୁକ ଗ୍ରାମରେ ଅମୁକ ନାମଧେୟ କର୍ମକାରର ସ୍ତ୍ରୀ ଗର୍ଭରେ ମୁଁ କନ୍ୟାରୂପେ ଜନ୍ମଲାଭ କରିବି । ସେଠାରେ ଷୋଳବର୍ଷ ବୟସ ପର୍ଯ୍ୟନ୍ତ ଅବିବାହିତା ରହି ୧୯୬୩ ମସିହା ଅମୁକ ମାସ ଅମୁକ ତାରିଖରେ ମୁଁ ଦେହତ୍ୟାଗ କରିବି । ତାହାପରେ ମୋର ଆଉ ପୁନର୍ଜନ୍ମ ହେବନାହିଁ ।’

 

ସାମାନ୍ୟ ଜଣେ ଭିଖାରୀ ପରି ବୋଧ ହେଉଥିବା ବ୍ୟକ୍ତି ଠାରୁ ଏପରି ଦାମ୍ଭିକତାପୂର୍ଣ୍ଣ କଥା ଶୁଣିଲେ କିଏ ବିସ୍ମିତ ନ ହେବ ? ମୁଁ ପୁଣି ସନ୍ଦେହମୋଚନ ସକାଶେ ପ୍ରଶ୍ନ କଲି—‘ତୁମେ କାଲି ଦେହତ୍ୟାଗ କରି ପୁଣି ତିନିମାସ ପରେ ଜନ୍ମ ହେବ ବୋଲି କହୁଛ । ଜୀବ ମାତୃଗର୍ଭରେ ଦଶ ମାସ ରହୁଥିବା କଥାତ କୁହାଯାଏ ।’

 

ବୃଦ୍ଧ ସଙ୍ଗେ ସଙ୍ଗେ ଉତ୍ତର କଲେ—‘ନା, ତାହା ଠିକ୍‌ ନୁହେଁ । ମାତୃଗର୍ଭରେ ଛଅମାସ ପର୍ଯ୍ୟନ୍ତ ଗର୍ଭପିଣ୍ଡ ରଜ-ବୀର୍ଯ୍ୟର ପ୍ରାଣଶକ୍ତି ବଳରେ ରହିଥାଏ । ପରେ ଜୀବ ସେଥିମଧ୍ୟରେ ପ୍ରବେଶ କରି ପ୍ରାୟ ଶହେଦିନ ପର୍ଯ୍ୟନ୍ତ ରହିପାରେ । ସେକଥା ଯାହାହେଉ ସିନା—ତୁମେ ଏ ଟଙ୍କା ନେଇଯାଅ । କାଲି ସକାଳେ ଦଶଟା ସମୟରେ ମୁଁ ସିଂହଦ୍ୱାର ନିକଟ ବଡ଼ଦାଣ୍ଡରେ ଅମୁକ ସ୍ଥାନରେ ଥିବି । ତୁମେ ନିଶ୍ଚୟ ଯାଇ ସେଠାରେ ମୋତେ ଭେଟିବ ।’

 

ମୋର ବିସ୍ମୟର ସୀମା ରହିଲା ନାହିଁ । ତାଙ୍କ କଥିତ ଭବିଷ୍ୟତ ଘଟଣା ଗୁଡ଼ିକର ବର୍ଷ-ମାସ-ବାର ତାରିଖ-ସମୟ-ନାମ-ଧାମ ପ୍ରଭୃତି ସମସ୍ତ ବିବରଣ ନୋଟ କଲି । ତତ୍ପରେ ସେ ମୋ ହାତକୁ ଟଙ୍କା ଧରାଇ ଦେଇ ସେଠାରୁ ଉଠି କ୍ଷିପ୍ର ଗତିରେ ଚକ୍ରତୀର୍ଥ ଅଭିମୁଖରେ ଚାଲିଗଲେ । ମୁଁ ବସାକୁ ଫେରିଲି । ବୃଦ୍ଧଙ୍କ ନିଜ ଜୀବନ ସମ୍ବନ୍ଧରେ ଭବିଷ୍ୟତବାଣୀ, ଅଧିକନ୍ତୁ ପୁନର୍ଜନ୍ମର ଅଦ୍‌ଭୂତ କୌତୁହଳପୂର୍ଣ୍ଣ ବର୍ଣ୍ଣନା ଶୁଣି ସେହିକଥା ଅବିରତ ମୋ ମନକୁ ଆଲୋଡ଼ନ କଲା ।

 

ମୁଁ ସ୍ଥିର ହୋଇ ବିଶ୍ରାମ କରିପାରିଲି ନାହିଁ । ସେ ବୃଦ୍ଧ କେଉଁଠାକୁ ଗଲେ—କଣ କଲେ ଇତ୍ୟାଦି ତାଙ୍କ ସମ୍ବନ୍ଧରେ ଅଧିକ କିଛି ଜାଣିବା ପାଇଁ ବସାରୁ ବାହାରି ପଡ଼ିଲି । ଚକ୍ରତୀର୍ଥ ପର୍ଯ୍ୟନ୍ତ ଗଲି, କିନ୍ତୁ ତାଙ୍କୁ କୌଣସିଠାରେ ଦେଖିବାକୁ ପାଇଲି ନାହିଁ । ସେଠାରୁ ରେଳଷ୍ଟେସନ ବାଟଦେଇ ଫେରିବାବେଳେ ଦେଖିଲି—ମୁସାଫିରଖାନା ଲୋକଗହଳି ଭିତରେ ଉକ୍ତ ବୃଦ୍ଧ ବସି ଜଣେ ଜଳଖିଆ ଖାଉଥିବା ଲୋକକୁ ହାତ ପତାଇ ଖାଦ୍ୟ ମାଗୁଛି, ସେ ଲୋକ ତାଙ୍କୁ ଦୂର୍‌ ଦୂର୍‌ ଏବଂ ଧିକ୍‌କାର କରୁଛି ।

 

ଅବିଳମ୍ବେ ମୁଁ ବୃଦ୍ଧଙ୍କ ହାତଧରି ସେଠାରୁ ଘେନି ଆସିଲି । ଗୋଟାଏ ଜଳଖିଆ ଦୋକାନ ନିକଟକୁ ନେଇଗଲି । ସେ ମୋ ଉଦ୍ଦେଶ୍ୟ ବୁଝିପାରି କହିଲେ—‘ନା, ମୋର ଆଦୌ ଖାଇବାକୁ ଇଚ୍ଛାନାହିଁ । ମୁଁ ସେ ଲୋକ ନିକଟରେ ହାତପତାଇ ମାଗିବା ଏକ ଛଳନା । ଦେଖୁଥିଲି–ସେ ଲୋକର ହୃଦୟ କିପରି । ତୁମେ ଯାଅ । ମୋ କଥା ଯେପରି ନିଶ୍ଚୟ ମନେ ରଖିଥିବ । କାଲି ସକାଳ ଦଶଟାରେ ସାକ୍ଷାତ ହେବ ।

 

ପରଦିନ ଠିକ୍‌ ସକାଳ ୧୦ଟାରେ ମୁଁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲି । ବୃଦ୍ଧ ମୋତେ ଦେଖି ଖୁବ୍‌ ଆନନ୍ଦିତ ହେଲେ ଏବଂ କିଛି ପଇସା ମୋତେ ଦେଇ ଚାରିଟା ପଇଡ଼ କିଣି ଆଣିଦେବାକୁ କହିଲେ । ମୁଁ ଆଣି ଦେଲି । ସେ ସବୁଗୁଡ଼ିକ ପଇଡ଼ର ପାଣି ପିଇଦେଲେ । ତାଙ୍କ ପାଖ ଆଖରେ କୌଣସି ସ୍ଥାନରେ ଘଣ୍ଟା ଦେଖିବାକୁ ନଥିଲେ ମଧ୍ୟ ସେ ଆକାଶକୁ ଚାହିଁ ସମୟ ଠିକ୍‌ ଠିକ୍ କହୁଥାନ୍ତି-। କିଛିକ୍ଷଣ ପରେ ‘ସାଢ଼େ ଦଶଟା’ ବାଜିଗଲା କହି ଉଠି ଠିଆହେଲେ । ମୁଖମଣ୍ଡଳ ପ୍ରସନ୍ନ, ହସ-ହସ । ମୁଁ ତାଙ୍କ ସଙ୍ଗରେ ନ ଯାଇ ପାଞ୍ଚମିନିଟ ପରେ ସେଠାରୁ ଯିବାକୁ ମତେ ନିର୍ଦ୍ଦେଶ ଦେଇ ସେ ଚାଲିଗଲେ । ମୁଁ ନିର୍ନିମେଷ ଦୃଷ୍ଟିରେ ତାଙ୍କ ଗତିବିଧି ଲକ୍ଷ୍ୟ କରୁଥାଏ ।

 

ବୃଦ୍ଧ ଅରୁଣ ସ୍ତମ୍ଭ ନିକଟରେ ଉପସ୍ଥିତ ହୋଇ ଦୁଇହାତ ଯୋଡ଼ି ଜଗନ୍ନାଥ ଦେବଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଉଥିବା ଅବସ୍ଥାରେ ହଠାତ୍‌ ଟଳିପଡ଼ିଲେ । ଏପରି ଆକସ୍ମିକ ଘଟଣା ଦେଖି ଜନତା ସେଠାରେ ରୁଣ୍ଡହୋଇ ବେଢ଼ିଗଲେ । ପୋଲିସ୍‌ ମଧ୍ୟ ପହଞ୍ଚିଗଲେ । ମୁଁ ବ୍ୟଗ୍ରଗତିରେ ଯାଇ ସେଠାରେ ପହଞ୍ଚିଲି ଏବଂ ସେ ମୋର ନିଜଲୋକ ବୋଲି ଜଣାଇ ଦେଲି । ତହୁଁ କେତେଜଣ ସାଧୁଙ୍କୁ ଅନୁରୋଧ କରି ସେମାନଙ୍କ ସହାୟତାରେ ବୃଦ୍ଧଙ୍କର ଶବ ନେଇ ସମୁଦ୍ରତୀର ସ୍ୱର୍ଗଦ୍ୱାରଠାରେ ସଂସ୍କାର କରାଇଦେଲି ।

 

ବୃଦ୍ଧ ତାଙ୍କର ପରବର୍ତ୍ତୀ ଜନ୍ମର ଦେଇଥିବା ସୂଚନା ସର୍ବଦା ମୋ ମନରେ ରହିଥାଏ । ତାହା କେତେଦୂର ସତ୍ୟ ହୋଇପାରେ ଜାଣିବା ପାଇଁ ମନ ଉତ୍କଣ୍ଠିତ ହେଉଥାଏ । ପୁରୀରୁ ଫେରିବା ପରେ ପଦବ୍ରଜରେ ଯାଇ ତାଙ୍କ କଥିତ ବଙ୍ଗଦେଶର ଚବିଶ ପରଗନା ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଗ୍ରାମରେ ନିର୍ଦ୍ଦିଷ୍ଟ ତାରିଖର ପୂର୍ବଦିନ ପହଞ୍ଚିଗଲି । ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପାଇବା ମଧ୍ୟ ଅସୁବିଧା ହେଲାନାହିଁ । ପରଦିନ ରାତି ୧୨ ଟାରେ ତାଙ୍କ ବାସଭବନରେ ତାଙ୍କର ଗୋଟିଏ କନ୍ୟାସନ୍ତାନ ଜାତ ହେବା ଖୁବ୍‌ ସମ୍ଭବ ବୋଲି ତାଙ୍କୁ କହିବାରୁ ସେ ବିଶ୍ୱାସ କରିପାରିଲେ ନାହିଁ । କାରଣ ସେହିଦିନ ସକାଳେ ଲେଡ଼ି ସର୍ଜନ ପରୀକ୍ଷା କରି କହି ଯାଇଥାନ୍ତି ଯେ ତାଙ୍କ ସ୍ତ୍ରୀର ପ୍ରସବ ସମୟ ହୋଇନାହିଁ । ଅନ୍ତତଃ ଆଉ ୧୫।୨୦ ଦିନ ପରେ ହେବ । ଆଉ ମଧ୍ୟ ତାଙ୍କ ସ୍ତ୍ରୀ ସେହିଦିନ ଭାଇ ସହିତ ବାପଘରକୁ ବାହାରି ଯାଇଥାନ୍ତି । ତାଙ୍କ ବାପଘର ସେଠାରୁ ତିନିମାଇଲ ଦୂରରେ । ସେଠାରେ ତାଙ୍କର ଡେଲିଭରି କରାଇବା ଇଚ୍ଛାରେ ଭାଇ ଆସି ତାଙ୍କୁ ନେଇ ଯାଇଥାଏ । ତେଣୁ ତାଙ୍କ ନିଜ ଘରଠାରେ କିମ୍ବା ତତ୍ପରଦିନ ତାଙ୍କ ସ୍ତ୍ରୀ ପ୍ରସବ କରିବା ନିତାନ୍ତ ଅସମ୍ଭବ ମନେକରିବା ସ୍ୱାଭାବିକ । ଏ କଥା ଅବଗତ ହେବା ପରେ ବୃଦ୍ଧଙ୍କ କଥିତ ଭବିଷ୍ୟତବାଣୀ ସମ୍ବନ୍ଧରେ ଟିକିଏ ସନ୍ଦେହ ଉପୁଜିଲା । ମୁଁ କିଛି ନକହି ଫେରି ଆସିଲି । ମାତ୍ର ପରବର୍ତ୍ତୀ ଦିନର ରାତ୍ରି ୧୨ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ରହି ଘଟଣାର ଅପେକ୍ଷା କରିବାକୁ ମନସ୍ଥ କଲି । ପରଦିନ ଠିକ୍‌ ସନ୍ଧ୍ୟା ସମୟରେ ମୁଁ ପୁଣି ଉକ୍ତ କର୍ମକାର ଗ୍ରହରେ ପହଞ୍ଚି ବୁଝିଲି ଯେ—ତା ସ୍ତ୍ରୀ ବାପଘରେ ଥିଲା । ମାତ୍ର ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ତା ଭାଇ ଲେଡ଼ି ସର୍ଜନକୁ ଦେଖାଇବା ପାଇଁ ପୁଣି ସ୍ୱାମୀ ଗୃହକୁ ନେଇ ଆସିଛି । ଡାକ୍ତରାଣୀ ପରୀକ୍ଷା କରିବା ପରେ ମତ ଦେଲେ ଯେ ଗର୍ଭସ୍ଥଶିଶୁ ଆଉ ରହିପାରିବ ନାହିଁ । ତେଣୁ ସଙ୍ଗେ ସଙ୍ଗେ ନର୍ସକୁ ଡକାଇଲେ । ମୁଁ ଅପେକ୍ଷା କରିଥାଏ । ନର୍ସ ଆସିଲା । ଦେଖିଲି, ବୃଦ୍ଧ କହିଥିବା ନିର୍ଦ୍ଧାରିତ ସମୟରେ କନ୍ୟାରତ୍ନ ଜନ୍ମ ହୋଇଛି ।

 

ପର୍ଯ୍ୟଟନ କ୍ରମରେ ପୁଣି ଦଶବର୍ଷ ପରେ ମୋତେ ଚବିଶ ପ୍ରଗନାର ପୂର୍ବୋକ୍ତ ଗ୍ରାମପଥ ଦେଇ ଯିବାକୁ ହେଲା । ସେ କନ୍ୟାର ଗତିବିଧି ସମ୍ବନ୍ଧରେ ଜାଣିବା ମୋର ଉଦ୍ଦେଶ୍ୟ ଥିଲା । ସେଠାକୁ ଗଲି । ଦେଖିଲି, ସେ କନ୍ୟା ତାଙ୍କ ଘର ନିକଟରେ ଥିବା ଶିବମନ୍ଦିରରେ ଏକାକିନୀ ନୀରବରେ ବସିରହିଛି । ତା ପିତାଙ୍କ ଠାରୁ ବୁଝିଲି ଯେ—ସେ ସର୍ବଦା ଅନ୍ୟମନସ୍କା ରହୁଛି ଏବଂ ସେହି ଶିବନ୍ଦିରରେ ଯାଇ ବସୁଛି । ପାଠ ପଢ଼ୁନାହିଁ କିମ୍ବା ସାଙ୍ଗସାଥିଙ୍କୁ କଥା କହୁନାହିଁ । କାହାସଙ୍ଗେ ମଧ୍ୟ ଖେଳୁ ନାହିଁ । ଖାଇବା ପିଇବାରେ ମଧ୍ୟ ତାହାର କୌଣସି ଆଗ୍ରହ ନାହିଁ । ବଳାତ୍କାର କରି ଖାଇବାକୁ ଦିଆଯାଉଛି । କନ୍ୟାର ପିତାମାତାଙ୍କ ବିଚାରରେ କନ୍ୟା ମୁଣ୍ଡରେ କିଛି ଦୋଷ ଅଛି । ଆଦୌ ବୁଦ୍ଧିସୁଦ୍ଧି ନାହିଁ ।

 

ଆଉମଧ୍ୟ ସେ କନ୍ୟା ସମ୍ବନ୍ଧରେ ଗୋଟିଏ ଆଶ୍ଚର୍ଯ୍ୟ କଥା ଶୁଣିବାକୁ ପାଇଲି । ଦିନେ ସେହି ଶିବମନ୍ଦିର ନିକଟରେ ଗୋଟାଏ ବଡ଼ ନାଗସାପ ଚାଲି ଯାଉଥିବା ଦେଖି ସେ ତାକୁ ହାତରେ ଧରିଆଣିଲା । ସାପଟା ଅତି ନରମ ଭାବରେ ରହିଥାଏ । ସାପ ଟିକିଏ ଫଣା ଟେକିଦେବାରୁ ସେ ସାପ ମୁହଁକୁ ମୁହଁ ଲଗାଇ ଚୁମ୍ବନ ଦେଲା । ଲୋକମାନେ ଚାରିଆଡ଼ୁ ଆସି ରୁଣ୍ଡ ହୋଇ ପ୍ରମାଦ ଗଣିଲେ । ଲୋକେ ପାଟିତୁଣ୍ଡ କରିବାରୁ ସେ ସାପକୁ ଛାଡ଼ିଦେଇ ଆନନ୍ଦରେ ଘରକୁ ବାହାରିଗଲା । ସମସ୍ତେ କହିଲେ—‘ଏହା ସେହି ଶିବଙ୍କର ମହିମା ।’

 

ଉପରୋକ୍ତ ସମସ୍ତ ଘଟଣା ମୋ ହୃଦୟରେ ଗଭୀର ସ୍ପର୍ଶ ଦେଇଥିଲା । ତେଣୁ ସେ କନ୍ୟାର ଦେହାନ୍ତ ହେବାପାଇଁ ପୂର୍ବୋକ୍ତ ବୃଦ୍ଧଙ୍କ ନିର୍ଦ୍ଧାରିତ ଦିବସରେ ନିଶ୍ଚୟ ସେଠାକୁ ଆସିବା ସ୍ଥିରକରି ଫେରିଲି । ମାତ୍ର ଦୁଃଖର କଥା, ଘଟଣାକ୍ରମେ ମୁଁ ନିର୍ଦ୍ଧାରିତ ଦିନ ସେଠାରେ ପହଞ୍ଚି ନପାରି ପରବର୍ତ୍ତୀ ଦିନ ପହଞ୍ଚିଲି ।

 

ଶୁଣିଲି, ସେ କନ୍ୟା ତହିଁର ପୂର୍ବଦିନ କୌଣସି ରୋଗବ୍ୟାଧି ନ ଥାଇ ସୁସ୍ଥ ଭାବରେ ଶିବମନ୍ଦିରରୁ ଘରକୁ ଆସି ସଙ୍ଗେ ସଙ୍ଗେ ଦେହତ୍ୟାଗ କରିଛି

Image

 

ପ୍ରାରବ୍‌ଧ ଲିପି

 

କୌଣସି ଏକ ପଣ୍ଡିତ ବ୍ରାହ୍ମଣ ଗ୍ରାମାନ୍ତର ଗମନ କରିବା ସମୟରେ ଯାତ୍ରାପଥରେ କ୍ଳାନ୍ତ ଏବଂ ତୃଷାର୍ତ୍ତ ହୋଇ ପଡ଼ିଲେ । ସେହି ସମୟରେ ଗୋଟିଏ ଗଉଡ଼ୁଣୀ ମୁଣ୍ଡରେ ଦହିଠେକି ଧରି ସେହିବାଟେ ଆସିଲା । ବ୍ରାହ୍ମଣ ନିଜର ତୃଷାହରଣ ନିମନ୍ତେ ତାଠାରୁ ଦହି କିଣିବା ଇଚ୍ଛାରେ ତାକୁ ଡାକିଲେ । ଗଉଡ଼ୁଣୀ ତାଙ୍କ ନିକଟକୁ ଆସିବା ଅବସରରେ ତା ମୁଣ୍ଡଉପରୁ ଦହିଠେକି ତଳେ ଖସିପଡ଼ି ଭାଙ୍ଗିଗଲା ଏବଂ ସମସ୍ତ ଦହି ନଷ୍ଟ ହୋଇଗଲା । ଗରୀବ ବିଚାରୀର କେତେ ନଷ୍ଟହେଲା ଭାବି ବ୍ରାହ୍ମଣ ଦୁଃଖିତ ହୋଇ ଆହା ଆହା କହିବାକୁ ଲାଗିଲେ । କିନ୍ତୁ ଗଉଡ଼ୁଣୀ ଠୋ-ଠୋ ହସି ଉଠିଲା ।

 

ବ୍ରାହ୍ମଣଙ୍କର ଏଥିରେ ବିସ୍ମୟର ସୀମା ରହିଲା ନାହିଁ । ସେ ପଚାରିଲେ—‘ତୋର ଏପରି କ୍ଷତି ହେବା ଦେଖି ମୋ ମନରେ ବହୁତ କଷ୍ଟହେଲା । ଅଥଚ ତୁ ନିଜେ ହସୁଛୁ । ଏହାର କାରଣ କଣ ?

 

କାରଣ ଜଣାଇବାକୁ ଯାଇ ଗଉଡ଼ୁଣୀ ଗୋଟିଏ ଶ୍ଳୋକ ଗାଇଲା ।

 

‘‘ହତ୍ୱା ନୃପଂ ପତିମବେକ୍ଷ୍ୟ ଭୁଜଙ୍ଗ ଦଂଷ୍ଟଂ

ଦେଶାନ୍ତରେ ବିଧିବଶାଦ୍‌ ଗଣିକାଽସ୍ମି ଜାତା

ପୁତ୍ରଂ ପତିଂ ସମଧିଗମ୍ୟ ଚିତାଂ ପ୍ରବିଶ୍ୟ

ଶୋଚାମି ଗୋପ ଗୃହିଣୀ କଥମଦ୍ୟତତ୍ରଂ ।’’

 

ଛାର ଗଉଡ଼ୁଣୀଟାଏ ଏପରି ଶ୍ଳୋକ ଗାନ କରିବା ଦେଖି ବ୍ରାହ୍ମଣ ଚମତ୍କୃତ ହୋଇଗଲେ-। କିନ୍ତୁ ଶ୍ଳୋକର ଅର୍ଥ ସଂପୂର୍ଣ୍ଣରୂପେ ବୁଝି ନ ପାରି ଗଉଡ଼ୁଣୀକୁ ପ୍ରଶ୍ନକଲେ । ଗଉଡ଼ୁଣୀ ବୁଝାଇ ଦେଲା—

 

‘‘ମହାଶୟ ! ମୁଁ ହତଭାଗିନୀ ଜଣେ କୁଳୀନ ବ୍ରାହ୍ମଣଙ୍କର କନ୍ୟାରୂପେ ଜନ୍ମଲାଭ କରିଥିଲି । ପିତା ବିଦ୍ୱାନ୍‌ ଥିବାରୁ ମୁଁ ସଂସ୍କୃତ ସାହିତ୍ୟରେ ବିଶେଷ ଶିକ୍ଷିତା ହେବା ସୁଯୋଗ ପାଇଥିଲି । ମୋର ବିବାହ ହୋଇଥିଲା ଜଣେ ନିଷ୍ଠାବନ୍ତ ଧର୍ମପ୍ରାଣ ବ୍ରାହ୍ମଣଙ୍କ ସହିତ । ସେ ଥିଲେ ରାଜପୁରୋହିତ । ଆମେ ଦୁହେଁ ବେଶ୍‌ ସୁଖରେ ରହିଥିଲୁ ।

 

ଲୋକମତରେ ମୁଁ ଥିଲି ଖୁବ୍‌ ସୁନ୍ଦରୀ । ରାଜା ତାହା ଶୁଣି ପାରିଲେ । ତାଙ୍କର ମୋ ପ୍ରତି ଲୋଲୁପ ଦୃଷ୍ଟି ପଡ଼ିଲା । ଦିନେ ଅପରାହ୍ନରେ ରାଜାଙ୍କର ଜଣେ କର୍ମଚାରୀ ଆମ ଘରଠାକୁ ଆସି ରାଜାଙ୍କର ଆଦେଶ ଜଣାଇ ଦେଲା ଯେ, ସେଦିନ ରାତ୍ର ଦୁଇଘଡ଼ି ଠାରେ ମୁଁ ରାଜନବରରେ ଉପସ୍ଥିତ ହେବାପାଇଁ ମୋତେ ନିମନ୍ତ୍ରଣ କରାଯାଇଛି । ସେଥିପାଇଁ ଯଥାସମୟରେ ରାଜା ଯାନ ପଠାଇବେ । ଆଦେଶ ଲଙ୍ଘନ କଲେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କର ମୁଣ୍ଡକାଟ ହେବ ।

 

ଏପରି ରାଜାଦେଶରେ ଆମେ ଦୁହେଁ ଅତ୍ୟନ୍ତ ବ୍ୟଥିତ ଓ ବିଚଳିତ ହୋଇ ମୁଣ୍ଡରେ ବଜ୍ରପାତ ପ୍ରାୟ ବୋଧକଲୁ । କିପରି ଏଥିରୁ ରକ୍ଷା ମିଳିବ ତହିଁର ଉପାୟ ଭାବି ପାରିଲୁ ନାହିଁ । ଅବଶେଷରେ ଉଭୟେ ସ୍ଥିରକଲୁ ଯେ, ସନ୍ଧ୍ୟା ଆଗତ ହେଲେ ଉଭୟେ ଗୁପ୍ତମାର୍ଗରେ ସେ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ବାହାରି ଯିବୁ । ତାହାହିଁ କଲୁ । ନିଜର ବାସଗୃହ ଏବଂ ଏଥିରେ ଥିବା ସମସ୍ତ ଆସବାବ ଉପରକଣର ମାୟାମମତା ଛାଡ଼ି ସନ୍ଧ୍ୟାର ଅନ୍ଧକାରରେ ଘରୁ ବାହାରି ପଡ଼ିଲୁ । ଧରା ପଡ଼ିଯିବା ଭୟରେ ବଣ ଜଙ୍ଗଲ ରାସ୍ତା ଦେଇ ଚାଲିଲୁ ।

 

ଦୁର୍ନୀତିଗ୍ରସ୍ତ ରାଜାର ଅତ୍ୟାଚାର ସହ୍ୟ କରିବ ଅପେକ୍ଷା ଜଙ୍ଗଲର ଶ୍ୱାପଦ ସଂକୁଳ ପଥରେ ଯାଇ ପ୍ରାଣ ହରାଇବା ଆମକୁ ଶ୍ରେୟୟସ୍କର ମନେହେଲା । ତେଣୁ ଜୀବନ ପ୍ରତି ଆଶା ନରଖି ଆମେ ନିର୍ଭୀକ ଭାବରେ ଗତିକଲୁ । ରାତି ପାହିଲା ବେଳକୁ ଆମେ ସେ ରାଜ୍ୟ ସୀମା ପାର ହୋଇ ଅନ୍ୟ ରାଜ୍ୟର ଏକ ଜଙ୍ଗଲ ମଧ୍ୟରେ ପଥିକ । ସେତେବେଳେ ମୁଁ ଗର୍ଭବତୀ ଥିଲି । ଆସନ୍ନ ପ୍ରସବା ନ ହୋଇଥିଲେ ମଧ୍ୟ ଅତିରିକ୍ତ ପଥଶ୍ରାନ୍ତ ହେବା ଯୋଗୁ ସେହି ଜଙ୍ଗଲ ମଧ୍ୟରେ ମୋର ପ୍ରସବ ବେଦନା ଉପସ୍ଥିତ ହେଲା । ଅଳ୍ପ ସମୟ ପରେ ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରି ମୁଁ ପ୍ରାୟ ମୂର୍ଚ୍ଛିତାବସ୍ଥାରେ ପଡ଼ି ରହିଲି । ମୋର ଏପରି ଅସହାୟ ଅବସ୍ଥାରେ ବିଚଳିତ ହୋଇ ସ୍ୱାମୀ ମୋର ଉପଚାର ନିମନ୍ତେ କେଉଁଠାରୁ ପାଣି ଏବଂ ନିଆଁ ଆଣିବାକୁ ବାହାରିଗଲେ ।

 

କିଛିକ୍ଷଣ ପରେ ମୋର ଚେତା ଆସିଲା । ମୁଁ ତୃଷାରେ ଅସ୍ଥିର ହୋଇ ପଡ଼ିଲି । ସଦ୍ୟୋଜାତ ଶିଶୁପୁତ୍ରକୁ ସେହିଠାରେ ଗଛର ଶୁଖିଲା ପତ୍ର ଉପରେ ଶୁଆଇ ଦେଇ ମୁଁ ପାଣି ଖୋଜିବାକୁ ବାହାରି ଗଲି । ଖଣ୍ଡେ ଦୂରରେ ବକପକ୍ଷୀ ଉଡ଼ୁଥିବା ଦେଖି ବହୁ ଆୟାସରେ ସେଠାକୁ ଗଲି । ସେଠାରେ ଗୋଟିଏ କ୍ଷୁଦ୍ର ଜଳାଶୟ ଥିଲା । ଆତୁରରେ ପାଣିରେ ମୁହଁ ଲଗାଇ ମନବୋଧ କରି ପେଟ ଭରା ପାଣି ପିଇନେଲି । କିନ୍ତୁ ସେଠାରୁ ଆଉ ଉଠି ନପାରି ସେହି ଜଳାଶୟ କୂଳରେ ଶୋଇ ପଡ଼ିଲି । କ୍ରମେ ମୋର ଅଚେତ ଅବସ୍ଥା ଆସିଗଲା ।

 

ଏହି ସମୟରେ ଅନ୍ୟ ଏକ ଦେଶର ଜଣେ ବଣିକ ସେ ରାଜ୍ୟରେ ବ୍ୟବସାୟ କରିବାକୁ ଆସି ସ୍ୱସ୍ଥାନକୁ ଫେରୁଥିବା ବାଟରେ ଜଙ୍ଗଲ ମଧ୍ୟରେ ମାନବ ଶିଶୁର କ୍ରନ୍ଦନ ଶବ୍ଦ ଶୁଣିପାରି ଅନୁସନ୍ଧାନ କଲେ । ଦେଖିଲେ, ଏକମାତ୍ର ସଦ୍ୟଜାତ ଶିଶୁ ଅସହାୟ ଅବସ୍ଥାରେ ପଡ଼ିରହି କାନ୍ଦୁଛି । ପାଖ ଆଖରେ କୌଣସି ମନୁଷ୍ୟ ଥିବାର ମଧ୍ୟ ସନ୍ଧାନ ପାଇଲେ ନାହିଁ ।

 

ବଣିକ ମନେକଲେ, ଏହା ଏକ ଅବୈଧ ସନ୍ତାନ ହୋଇଥିବା ଯୋଗୁଁ କେହି ଏପରି ଭାବରେ ପରିତ୍ୟାଗ କରିଯାଇଛି । କିନ୍ତୁ ଶିଶୁଟିର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟରେ ସେ ଆକୃଷ୍ଟ ହୋଇ ପଡ଼ିଲେ । ସେ ନିଃସନ୍ତାନ ଥିଲେ । ଏ ଶିଶୁପୁତ୍ର ତାଙ୍କ ପ୍ରତି ଭଗବାନଙ୍କର ଅବଦାନ ବୋଲି ମନେକରି ତାଙ୍କ ନୌକରମାନଙ୍କ ଦ୍ୱାରା ଖୁବ୍‌ ଯତ୍ନ ସହକାରେ ଶିଶୁଟିକୁ ନେଇ ଗନ୍ତବ୍ୟ ପଥରେ ଚାଲିଗଲେ ।

 

ଚାହୁଁ ଚାହୁଁ ମଧ୍ୟାହ୍ନ ହେଲା । ସେ ରାଜ୍ୟର ରାଜା ଶିକାର କରିବାକୁ ଆସି ସେହି ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ । ଜଳାଶୟ ନିକଟକୁ ହରିଣମାନେ ପାଣି ପିଇବାକୁ ଆସିଥିବେ ମନେକରି ସେ ଦିଗରେ ଅଗ୍ରସର ହେଲେ । ସେଠାକୁ ଯାଇ ଦେଖନ୍ତିତ ମୁଁ ଅଚେତ ଅବସ୍ଥାରେ ପଡ଼ିଛି । ମୋ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ରାଜା ନିର୍ବାଚାରରେ ରକ୍ଷୀମାନଙ୍କ ଦ୍ୱାରା ମୋତେ ନିଜ ନବରକୁ ଘେନିଗଲେ ।

 

ଅଳ୍ପକ୍ଷଣ ପରେ ମୋ ସ୍ୱାମୀ ମୋ ଚିକିତ୍ସା ଉଦ୍ଦେଶ୍ୟରେ ଆବଶ୍ୟକୀୟ ଅନେକ ଦ୍ରବ୍ୟ ଘେନି ଉପସ୍ଥିତ ହେଲେ । ମୋତେ ମଧ୍ୟ ନିକଟସ୍ଥ ଜନପଦକୁ ଘେନିଯିବା ପାଇଁ କେତେଜଣ ଶିବିକା ବାହକ ଆଣିଥିଲେ । କିନ୍ତୁ ଦେଖିଲେ ଘଟନା ସ୍ଥଳରେ କେହି ନାହିଁ, ସବୁ ଶୂନ୍ୟ । ବ୍ୟସ୍ତ ବିବ୍ରତ ହୋଇ ସେ ଇତସ୍ତତ ଅନୁସନ୍ଧାନ କରି ଜଙ୍ଗଲ ମଧ୍ୟରେ ବୁଲିଲେ । ଶେଷରେ ନିରାଶ ହୋଇ ଗ୍ରାମାଞ୍ଚଳରେ ସନ୍ଧାନ ପାଇବା ଆଶାରେ ଗଲେ । ସେଠାରେ ଶୁଣିବାକୁ ପାଇଲେ ଯେ ରାଜା ଶିକାର କରିବାକୁ ଆସି ସେହି ଜଙ୍ଗଲ ମଧ୍ୟରୁ ଦିବ୍ୟ ସୁନ୍ଦରୀ ସ୍ତ୍ରୀଟିଏ ପାଇ ନିଜ ନବରକୁ ଘେନି ଯାଇଛନ୍ତି ଏବଂ ସେ ତାହାକୁ ବିବାହ କରିବା ଉଦ୍ଦେଶ୍ୟରେ ରଖିଛନ୍ତି । ମୋ ସ୍ୱାମୀ ଏହା ଶୁଣି ନିଶ୍ଚିତ ହେଲେ ଯେ ମୁଁ ରାଜ ଆଶ୍ରୟରେ ଜୀବିତା ଅଛି । ମାତ୍ର ପୁତ୍ର ସନ୍ତାନ ସମ୍ବନ୍ଧରେ କୌଣସି ଖୋଜ ଖବର ପାଇ ନ ପାରି ଶଙ୍କିତ ହେଲେ । ସେହି ଦିନଠାରୁ ସେ କିପରି ମୋତେ ଦେଖିବାକୁ ପାଇବେ, ଏହି ଆଶରେ ସର୍ବଦା ରାଜନବର ପାଖେ ପାଖେ ବୁଲିଲେ ।

 

ରାଜା ମୋତେ ନେଇଯିବା ପରେ ମୋ ପ୍ରତି ଅଶେଷ ଯତ୍ନ କଲେ । ମୋର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ସୁନ୍ଦର ବ୍ୟବସ୍ଥା କରାଇ ଦେଲେ । କିଛିଦିନ ପରେ ରାଜା ମୋ ନିକଟକୁ ଆସି ମୋତେ ବିବାହ କରିବାକୁ ପ୍ରସ୍ତାବ ଦେଲେ । ମୁଁ ଦେଖିଲି ମୋ ପକ୍ଷରେ ସେଠାରେ ରକ୍ଷା ପାଇବାର ଉପାୟ କିଛି ନାହିଁ । କେବଳ ଆତ୍ମହତ୍ୟା ମୋତେ ଏଥିରୁ ରକ୍ଷା କରିପାରେ, କିନ୍ତୁ ଆତ୍ମହତ୍ୟା କରିବା ପୂର୍ବରୁ ମୋ ସ୍ୱାମୀଙ୍କୁ ଯଦି ଦେଖିବାକୁ ପାଆନ୍ତି ସେ ଅବା କୌଣସି ଉପାୟ ବତାଇ ଦିଅନ୍ତେ । ସେ ଅବଶ୍ୟ ବ୍ୟସ୍ତ ହୋଇ ମୋତେ ଦେଖିବାକୁ ଇଚ୍ଛା କରୁଥିବେ । ବୋଧହୁଏ ଶିଶୁପୁତ୍ରଟିକୁ ଧରି ସେ ମୋ ପ୍ରତୀକ୍ଷାରେ ବୁଲୁଥିବେ ।

 

ରାଜାଙ୍କ ବିବାହ ପ୍ରସ୍ତାବରେ ମୋ ପ୍ରାଣ ବିଦ୍ରୋହୀ ହୋଇ ଉଠିଲେ ମଧ୍ୟ ଅଗତିକ ହୋଇ ମନକୁ ସଂଯତ କଲି । ପ୍ରସ୍ତାବରେ କପଟ ସମ୍ମତି ଜଣାଇ ରାଜାଙ୍କୁ ଅନୁରୋଧ କଲି ଯେ ମୋର ନିର୍ଦ୍ଦିଷ୍ଟ ବ୍ରତ ମନାସ ଥିବା ଯୋଗୁ ଏକ ବର୍ଷ ପୂର୍ଣ୍ଣ ହେଲେ ମୁଁ ବିବାହ କରିବି । ଆପଣ ଏଥିପାଇଁ ମୋତେ ଅନୁମତି ଦିଅନ୍ତୁ । ରାଜା ଏହା ଶୁଣି ନିଜର ସମ୍ମତି ଜଣାଇ ବାହାରି ଗଲେ । ସେହି ଦିନଠାରୁ ମୁଁ ପ୍ରତିଦିନ ଅବକାଶ ସମୟରେ ପ୍ରାସାଦ ଛାତ ଉପରକୁ ଯାଇ ମୋ ସ୍ୱାମୀଙ୍କୁ ଦେଖିବା ଆଶାରେ ବାହାରକୁ ଚାହୁଁଥାଏ ।

 

‘‘ଚାହୁଁ ଚାହୁଁ ବର୍ଷରେ ପୂରିଗଲା । ରାଜା ମହାଆଡ଼ମ୍ବର ସହକାରେ ବିବାହ ଉତ୍ସବର ଆୟୋଜନ କରାଇଲେ । ସେହିଦିନ ମୋତେ ରାଜାଙ୍କୁ ବିବାହ କରିବାକୁ ହେବ । ସ୍ଥିର କରିନେଲି, ଯେ କୌଣସିମତେ ଆତ୍ମହତ୍ୟା କରିବାକୁ ହେବ । ତଥାପି ମୋ ସ୍ୱାମୀଙ୍କ ଦର୍ଶନଆଶା ଅନ୍ତରରୁ ଲିଭିଲା ନାହିଁ । ତାଙ୍କୁ ଦେଖି ପାରିବା ଆଶାରେ ଶେଷଥର ପାଇଁ ଚେଷ୍ଟାକଲି । କୋଠା ଛାତ ଉପରକୁ ଗଲି । ଦୈବଯୋଗେ ସହସା ତାଙ୍କ ସହିତ ମୋର ଚତୁରାକ୍ଷ ହୋଇଗଲା । ହସ୍ତ ସଙ୍କେତ ଦ୍ୱାରା ତାଙ୍କୁ ସେଠାରେ ଅପେକ୍ଷା କରିବାକୁ ଜଣାଇ ମୁଁ ଖଣ୍ଡିଏ ଚିଠିଲେଖି ଦାସୀ ହାତରେ ତାଙ୍କଠାକୁ ପଠାଇଦେଲି । ଚିଠିରେ ଲେଖିଥିଲି ଯେ,—ଠିକ୍‌ ରାତି ଦୁଇଘଡ଼ିଠାରେ ମୁଁ ରାଜନବର ଫୁଲ ବଗିଚାର ପଶ୍ଚିମଦିଗ କବାଟ ବାଟେ ବାହାରକୁ ଯିବି । ସେ ପୂର୍ବରୁ ଆସି ନିଶ୍ଚୟ ସେଠାରେ ଉପସ୍ଥିତ ଥିବେ ।’’

 

‘‘ରାତି ଦୁଇଘଡ଼ି ହେଲା । ଆନନ୍ଦ କୋଳାହଳରେ ରାଜନବର ପୂରି ଉଠିଲା । ମୋ ବାସଗୃହଟିକୁ ବିଚିତ୍ର ସାଜସଜ୍ଜାରେ ମଣ୍ଡନ କରାଯାଇଥାଏ । ମୁଁ ମଧ୍ୟ ନାନା ରତ୍ନାଳଙ୍କାରରେ ଭୂଷିତ ହୋଇଥାଏ । ଏଥିପୂର୍ବରୁ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ମୁଁ ଗୋଟିଏ ସୁତୀକ୍ଷ୍‌ଣ ଛୁରୀକା ଲୁଚାଇ ରଖିଥିଲି । ମନରେ ସ୍ଥିରକଲି,—ରାଜା ଏ ଗୃହକୁ ଆସିବା ମାତ୍ରେ ତାଙ୍କୁ ଛୁରୀକାରେ ହତ୍ୟାକରି ଏ ସ୍ଥାନ ତ୍ୟାଗ କରିବାକୁ ହେବ । ଯଥାସମୟରେ ରାଜା ହସହସ ମୁହଁରେ ପ୍ରବେଶ କଲେ । ମୁଁ ତାଙ୍କୁ ଆଦର ସମ୍ବର୍ଦ୍ଧନା ଜଣାଇବାକୁ ଯାଇ ଗଳାରେ ଫୁଳମାଳ ଦେବା ଅଭିପ୍ରାୟରେ ଅଗ୍ରସର ହେଲି । ସେ ଆନନ୍ଦରେ ବିଭୋର ଥିଲେ । ଗଳାରେ ଫୁଲମାଳ ଦେବା ଅବସରରେ ଅତର୍କିତ ଭାବରେ ମୁଁ ତାହାଙ୍କ ଗଳାରେ ଦୃଢ଼ ଭାବରେ ଛୁରୀଘାତ କଲି । ସେ ତତ୍‌କ୍ଷଣାତ୍‌ ଟଳି ପଡ଼ିଲେ । ସେ କକ୍ଷଟି ଅତି ଏକାନ୍ତ ଥିବାରୁ ଅନ୍ୟ କେହି ଏହା ଜାଣିବା ସମ୍ଭବ ହେଲାନାହିଁ । ମୁଁ ଅଳଙ୍କାରଗୁଡ଼ିକ ଗୋଟିଏ ଛୋଟ ବାକ୍‌ସରେ ଧରି ସେଠାରୁ ବାହାରିଗଲି ।’’

 

ପୂର୍ବରୁ ସ୍ୱାମୀଙ୍କୁ ଦେଇଥିବା ସଙ୍କେତ ଅନୁସାରେ ନବର ଫୁଲବଗିଚାର ପଶ୍ଚିମ ଦ୍ୱାର ଖୋଲି ବାହାରିପଡ଼ିଲି । ଯାହା ଦେଖିଲି, ମୋର ସର୍ବାଙ୍ଗ ଥରି ଉଠିଲା । ଅବଶ ହୋଇ ବସି ପଡ଼ିଲି-। ସମ୍ମୁଖରେ ମୋ ସ୍ୱାମୀଙ୍କର ମୃତଦେହ ଲୋଟୁଛି । କପାଳରେ ସର୍ପ ଦଂଶନର କ୍ଷତ, ମୁଖମଣ୍ଡଳ ନୀଳବର୍ଣ୍ଣ ଓ ଆଖି, କାନ, ନାକ, ପାଟି ପ୍ରତ୍ୟେକ ସ୍ଥାନରୁ ରକ୍ତସ୍ରାବ ହେଉଛି । ପରୀକ୍ଷା କରି ଦେଖିଲି ଶ୍ୱାସପ୍ରଶ୍ୱାସ ନିଷ୍ପନ୍ଦ, ଶରୀର ପ୍ରାଣହୀନ । ତେଣେ ନବର ମଧ୍ୟରେ ରାଜାଙ୍କୁ ହତ୍ୟାକରି ଆସିଥାଏଁ । ମୋର ଆଉ ଗତି କାହିଁ । ବିନା ବିଳମ୍ବରେ ସେଠାରୁ ଅବାଟ-ବାଟ ଧରି ଆଗେଇଲି-। ବନ-ଜଙ୍ଗଲ ରାସ୍ତାଦେଇ ଦ୍ରୁତଗତିରେ ଚାଲିଲି ।

 

ପରଦିନ ମୁଁ ସେ ରାଜ୍ୟ ସୀମା ପାରହୋଇ ପଡ଼ୋଶୀ ରାଜ୍ୟରେ ପହଞ୍ଚିଥିଲି । ରାସ୍ତାରେ ଯେ ମୋତେ ଦେଖେ, ଅବାକ୍‌ ହୋଇ ଚାହିଁରହେ । ରାଜରମଣୀପରି ସୁନ୍ଦରୀ ସ୍ତ୍ରୀ, ଦେହରେ ମୂଲ୍ୟବାନ ଶାଢ଼ୀ ଆଉ ରତ୍ନାଳଙ୍କାର, ସାଥୀରେ ମଧ୍ୟ କେହିନାହିଁ, ଏକାକିନୀ ପଦଯାତ୍ରା, କିଏ ଅବା ଏଥିରେ ବିସ୍ମିତ ନ ହେବ ? ସେତେବେଳକୁ ମୁଁ କାନ୍ଦିକାନ୍ଦି ମୋ ଆଖିରୁ ପାଣି ମରିଯାଇଥାଏ, ମୁହଁ ଶୁଖି ଯାଇଥାଏ, ଭୋକଜ୍ୱାଳା ସଙ୍ଗେ ପଥଶ୍ରମ ମିଶି ମୋତେ ଅବଶ ବୋଧ ହେଉଥାଏ । କେଉଁଠାକୁ ଯିବି, କିପରି ରହିବି ଭାବି ଭାବି ବୁଦ୍ଧି ଦିଶୁ ନଥାଏ ।

 

ଯାଉ ଯାଉ ଗୋଟିଏ ବଡ଼ ବସ୍ତିରେ ପହଞ୍ଚିଲି । ଆଉ ଆଗକୁ ଯିବାକୁ ପାଦ ଚଳୁ ନ ଥାଏ । ଗୋଟିଏ ଗୃହର ଦାଣ୍ଡପିଣ୍ଡାରେ ଜଣେ ପ୍ରୌଢ଼ା ସ୍ତ୍ରୀ ବସିଥିଲେ । ମୋର ଅବସ୍ଥା ଦେଖି ତାଙ୍କ ମନରେ କଣ ଭାବ ଆସିଥିବ କେଜାଣି, ମୋତେ ଆଦରରେ ଡାକି ପଚାରିଲେ, ‘‘ମା, ତୁମେ ଏପରି ଅବସ୍ଥାରେ ଏକୁଟିଆ କୁଆଡ଼େ ଯାଉଛ ?’’ ମୁଁ ଆଉ ଚାଲି ପାରିଲି ନାହିଁ । ଥକକା ହୋଇ ସେଠାରେ ରାସ୍ତା କଡ଼ରେ ବସିପଡ଼ିଲି । ଆଖିରୁ ଲୁହଧାର ବହି ଆସିଲା । ମୋର ଏପରି ଅବସ୍ଥା ଦେଖି ପ୍ରୌଢ଼ା ମୋ ହାତଧରି ତାଙ୍କ ପିଣ୍ଡାକୁ ଘେନିଗଲେ । ମୁଁ ଯେ କୌଣସି ବିପଦରେ ପଡ଼ି ଏ ଅବସ୍ଥାକୁ ଆସିଛି, ଏହା ସେ ବୁଝିପାରିଲେ । ମୋ ଅବସ୍ଥା ଜାଣିବା ଉଦ୍ଦେଶ୍ୟରେ ସେ ନାନା ମଧୁର କଥା କହି ଅନେକ ପ୍ରଶ୍ନ ପଚାରିଲେ । ମୋ ଅନ୍ତର ମଧ୍ୟରୁ କୋହ ଉଚ୍ଛ୍ୱାସ ଉଠିଲା । କିଛି କହିପାରିଲି ନାହିଁ । ଅବୋଧ ଶିଶୁପରି କଇଁ କଇଁ ହୋଇ କାନ୍ଦି ସେ ପ୍ରୌଢ଼ାଙ୍କ ଉପରକୁ ଢଳି ପଡ଼ିଲି ।

 

ମୋର ଏପରି ଅବସ୍ଥା ଦେଖି ପ୍ରୌଢ଼ା ମୋ ହାତଧରି ଉଠାଇ ତାଙ୍କ ଘର ଭିତରକୁ ନେଇଗଲେ । ଅନ୍ୟ କୌଣସି ପ୍ରଶ୍ନ ନପଚାରି ସମ୍ବେଦନଶୀଳା ଭାବରେ ମୋତେ ବହୁତ ଦମ୍ଭ-ଆଶ୍ୱାସନା ଦେଲେ, ଖାଇବାପାଇଁ ଏକଗ୍ଲାସ ଦୁଧ ଏବଂ କିଛି ଫଳ ଆଣି ଖାଇବାପାଇଁ ଅନୁରୋଧ କଲେ । ମୁଁ ଅନିଚ୍ଛାସତ୍ୱେ ଖାଇଲି । ମନେହେଲା, ସତେ ଯେପରିକି ମୋ ମାଆ ମୋତେ ସ୍ନେହଆଦର ଦେବାପାଇଁ ପାଖରେ ବସି ପ୍ରବୋଧନା ଦେଉଛନ୍ତି । ଟିକିଏ ସୁସ୍ଥ ଅନୁଭବ କରନ୍ତେ ପ୍ରକୃତିସ୍ଥ ହୋଇ ପ୍ରୌଢ଼ାଙ୍କ ଆଗରେ ନିଜର ଅତୀତ କାହାଣୀ ଗୋଟି ଗୋଟି କରି ବର୍ଣ୍ଣନା କଲି । ମୋ ଦୁଃଖରେ ସେ ଏତେଦୂର ସମବେଦନା ଜଣାଇଲେ ଯେ ମୁଁ ଅଧିର ହୋଇ ତାଙ୍କୁ ମାଆ ବୋଲି ସମ୍ବୋଧନ ମଧ୍ୟ କଲି । ସେ ବଡ଼ ଦୁଃଖିତ ହୋଇ ମୋତେ କୋଳକୁ ଟାଣିନେଲେ । ଅନେକ ବୁଝାଇ ସୁଝାଇ ଦମ୍ଭଦେଇ କହିଲେ—‘‘ଝିଅ, ଏ ଦୁନିଆରେ ନିୟତିର ଖେଳ ଏହିପରି ବଡ଼ ବିଚିତ୍ର ଭାବରେ ଲାଗିଛି । ସେଥିପାଇଁ ଗତକଥାକୁ ଚିନ୍ତାକରି ବସିଲେ କିଛି ଲାଭନାହିଁ, ବରଂ କ୍ଷତି ବହୁତ । ସବୁସିନା ମାୟା ବୋଲି କହନ୍ତି; କିନ୍ତୁ ମୁଁ ଜାଣେ ନିଜର ଜୀବନ ଆଉ ଜୀବନର ସୁଖ ଦୁଃଖ, ଅନୁଭବ, ଏସବୁ ଆମ ପକ୍ଷରେ ସତ୍ୟ । ଜୀବନ କିପରି ଦୁଃଖ-କଷ୍ଟ ନ ଭୋଗି ସୁଖରେ କଟିଯିବ ତାହା ବିଚାର କରିବା ବଡ଼କଥା । ପରଭାଗ୍ୟ ସଙ୍ଗେ ନିଜଭାଗ୍ୟ ଗୁନ୍ଥିଦେଲେ ସବୁବେଳେ ଏହିପରି ଦୁଃଖର ଆଶଙ୍କା ରହିଥିବ । ତେଣୁ ନିଜେ ସ୍ୱାଧୀନ ଭାବରେ ବଞ୍ଚି ରହିବା ସବୁଠାରୁ ଭଲ ।

 

ଉଭୟେ କିଛିକ୍ଷଣ ନିରବ ରହିବା ପରେ ପ୍ରୌଢ଼ା ପୁଣି ଆରମ୍ଭ କଲେ—‘‘ଝିଅ, ମୁଁ ସଂସାର କରିନାହିଁ, କାହା ସହିତ ନିଜକୁ ବାନ୍ଧିନାହିଁ । କାହାପାଇଁ ଚିନ୍ତା କରିବାକୁ, ଦୁଃଖ କରିବାକୁ ମୋର ଆଉ କେହି ନାହିଁ । ନିଜର ସ୍ୱାଧୀନ ଜଞ୍ଜାଳ ଭିତରେ ରହି ନିଜ ସୁଖଦୁଃଖ ଭୋଗ କରୁଛି । ମୋର କୌଣସି ଅଭାବ ନାହିଁ । ଧନଥିବା ଯୋଗୁଁ ଦୁଇଦୁଇଟା ଚାକର ଖଟୁଛନ୍ତି । ମୁଁ ବେଶ୍‌ ଆନନ୍ଦରେ ଅଛି । ମୋତେ ଲୋକେ ବେଶ୍ୟା ବୋଲି କହିଲେ ମୋର ଯାଏଆସେ କେତେ । ସେଇମାନେ ତ ପୁଣି ଆସି ମୋ ସାଙ୍ଗେ ହସଖୁସିରେ ଆଳାପ କରି ଟଙ୍କାପଇସା ଗଣିଦେଇ ଯାଉଛନ୍ତି । ତୁ ମୋ ପାଖରେ ରହିଯା । ମହାସୁଖରେ ସ୍ୱାଧୀନ ଭାବରେ ଦିନ କଟିଯିବ । ଅନ୍ୟଥା କରିବୁତ ଏ ଦୁନିଆରେ ଚଳି ପାରିବୁ ନାହିଁ । ଦୁଃଖରେ ଘାଣ୍ଟି ହୋଇ ଦିନଯିବ ।

 

ପ୍ରୌଢ଼ା ମୋତେ ଧିରସ୍ଥିର ଭାବରେ ବିଚାର କରିବାକୁ ଅବକାଶ ଦେଇ ଅନ୍ୟତ୍ର ଗଲେ-। ତାଙ୍କ କଥାଗୁଡ଼ାକ ମୋତେ କିମ୍ଭୂତ-କିମାକାର ବୋଧହେଲା । ତଥାପି ନିଜର ଭବିଷ୍ୟତ ସମ୍ବନ୍ଧରେ କୌଣସି ସ୍ଥିର ବିଚାର କରିପାରିଲେ ନାହିଁ । ପ୍ରୌଢ଼ା ପୁଣି ଆସି ପଚାରନ୍ତେ ମୁଁ ଅନନ୍ୟଗତିକ ହୋଇ ତାଙ୍କ କଥାରେ ସମ୍ମତି ଜଣାଇଲି । ମନେହେଲା, ଯେପରି କି ସେତେବେଳର ପରିସ୍ଥିତି ଦୃଷ୍ଟିରେ ମୋ ପ୍ରତି ସେ ପନ୍ଥା ଗ୍ରହଣ କରିନେବା ଭଗବାନଙ୍କର ଉଦ୍ଦେଶ୍ୟ-

 

ମୁଁ ଅତୀତକୁ ଭୁଲିଯିବାକୁ ଚେଷ୍ଟାକରି ସେଠାରେ ରହିଲି । ଖାଦ୍ୟପେୟ, ବିଳାସବ୍ୟସନର ପ୍ରାଚୁର୍ଯ୍ୟ ମଧ୍ୟରେ ଦିନ ଅତିବାହିତ ହେଲା । ପ୍ରୌଢ଼ା ମୋର ମାଆ ଏବଂ ମୁଁ ତାଙ୍କର ଝିଅ, ଏହି ଭାବରେ ଉଭୟେ ଚଳାଚଳ ହେଲୁ । କିଛିଦିନ ପରେ ପ୍ରୌଢ଼ାଙ୍କର ଆକସ୍ମିକ ମୃତ୍ୟୁହେଲା । ତାଙ୍କ ସଞ୍ଚିତ ଧନରତ୍ନ ସବୁ ମୋ ଅଧିକାରକୁ ଆସିଲା । କିନ୍ତୁ ବୁଝିଲି ଯେ, ସେ ବାସଗୃହ ତାଙ୍କର ନିଜସ୍ୱ ନୁହେଁ । ମାସିକ ଭଡ଼ା ସର୍ତ୍ତରେ ରହିଥିଲେ । ଯାହାହେଉ ମୁଁ ନିୟମିତ ଭାବରେ ଘରଭଡ଼ା ଦେଇ ଚାକର ଚାକରାଣୀ ଦୁଇଟା ରଖି ବେଶ୍ ଆରାମରେ ଚଳିଲି ।

 

ଚାହୁଁ ଚାହୁଁ କେତେବର୍ଷ ବିତିଗଲା । ମୁଁ ଅତି ସୁନ୍ଦରୀ ବେଶ୍ୟା ବୋଲି ଲୋକରେ ନିଆଁ ବାଜୁଥାଏ । ଦିନେ ସନ୍ଧ୍ୟାରେ ଜଣେ କିଶୋର ଆସି ମୋ ପାଖରେ ପହଞ୍ଚିଲା । ବୟସ ପ୍ରାୟ ୧୪ ବର୍ଷ ହେବ । କିନ୍ତୁ ସ୍ୱାସ୍ଥ୍ୟ ଖୁବ୍‌ ତେଜୀୟାନ୍ ଏବଂ ବଳିଷ୍ଠ । ବେଶ ପରିପାଟୀରୁ କୌଣସି ଧନୀକ ସନ୍ତାନ ହୋଇଥିବା ଜଣାଯାଉଥାଏ । ମୋ ବିବାହିତ ସ୍ୱାମୀଙ୍କ ମୁଖ ସହିତ ତାହାର ମୁଖମଣ୍ଡଳର ସାଦୃଶ୍ୟ ଲକ୍ଷ୍ୟକରି ମୋର ପୂର୍ବସ୍ମୃତି ଜାଗି ଉଠିଲା । ମୋର ଦେହ ଶିତେଇ ଉଠିଲା । ମୁଁ ଅଧିର ହୋଇ ତାକୁ କୋଳ କରିବା ମାନସରେ ହାତ ବଢ଼ାଇଦେଲି । ସେ ଆନନ୍ଦରେ ମୋ ଉପରକୁ ଢଳିପଡ଼ିଲା । ମୋର ସର୍ବାଙ୍ଗରେ ପୁଲକ ଜାତହୋଇ ହୃଦୟ ଜଡ଼ିଭୂତ ହୋଇ ଆସିଲା । ଅଲକ୍ଷ୍ୟରେ ଦୁଇ ଆଖିରୁ ଲୁହଧାର ବହି ଆସିଲା ଏବଂ ସନ୍ତନରୁ କ୍ଷୀରଧାର ସ୍ରବି ବକ୍ଷ ତିନ୍ତିଗଲା । ମୁଁ ବ୍ୟସ୍ତବିବ୍ରତ ହୋଇ ଉଠି ବସିଲି । ସେ କିଶୋରକୁ ତାହାର ପରିଚୟ ପଚାରିଲି ।

 

ସେହି କିଶୋର ଠାରୁ ଯେଉଁ ପରିଚୟ ପାଇଲି, ସେଥିରୁ ଜାଣିଲି ଯେ, ସେ ସେହି ବସ୍ତିରେ ବାସ କରୁଥିବା ବିଶିଷ୍ଟ ବଣିକର ପାଳିତପୁତ୍ର । ପ୍ରାୟ ଚଉଦବର୍ଷ ତଳେ ତାହାର ବାପା କୌଣସି ଜଙ୍ଗଲ ମଧ୍ୟରେ ଆସୁଥିବା ବେଳେ ସେଠାରେ ତାକୁ ଭଗବାନଙ୍କ ଆଶୀର୍ବାଦ ସ୍ୱରୂପ ପାଇଥିଲେ ଏବଂ ନିଜେ ନିଃସନ୍ତାନ ଥିବାରୁ ପୁତ୍ର ରୂପେ ପାଳନ କଲେ । ବର୍ତ୍ତମାନ ସେ ତାଙ୍କର ସମସ୍ତ ବିଭବର ଏକମାତ୍ର ଉତ୍ତରାଧିକାରୀ ।

 

କିଶୋର ତାହାର ପିତାଠାରୁ ଶୁଣିଥିବା ଅନୁସାରେ ଯେଉଁ ମାସ—ଦିନରେ ସେ ଜନ୍ମହୋଇ ଜଙ୍ଗଲରେ ଯେପରି ଭାବେ ପଡ଼ି ରହିଥିବାର ବର୍ଣ୍ଣନା କରିଗଲା ତହିଁରୁ ମୋ ଅନ୍ତରରେ ନିଃସନ୍ଦେହ ରୂପେ ଦୃଢ଼ ବିଶ୍ୱାସ ହେଲା ଯେ, ସେ ମୋର ଗର୍ଭଜାତ ପୁତ୍ର ବ୍ୟତୀତ ଅନ୍ୟ କେହି ନୁହେଁ । ଅଧିକନ୍ତୁ ତାହା ମୁଖ ସହିତ ମୋ ସ୍ୱାମୀଙ୍କ ମୁଖର ସାଦୃଶ୍ୟ ଥିବା ଦେଖି ମୁଁ ମର୍ମାହତ ହୋଇ ପଡ଼ିଲି । ଜୀବନରେ ନାନା ଦୁଃଖକ୍ଳେଶ, ଝଞ୍ଜା ଭିତରେ ଆସି ପୁଣି ଜନ୍ମିତ ପୁତ୍ର ସହିତ ରତି କରିବା ବିଧାତା ମୋ ଭାଗ୍ୟରେ ଲେଖଥିଲା । ମୋର ଧୈର୍ଯ୍ୟଚ୍ୟୁତି ହେଲା । ଆଉ ଦଣ୍ଡେମାତ୍ର ବଞ୍ଚି ରହିବାକୁ ଇଚ୍ଛା ହେଲାନାହିଁ । ସଙ୍ଗେ ସଙ୍ଗେ ନିଜର ସମସ୍ତ ସଞ୍ଚିତ ଧନରତ୍ନ ଦ୍ରବ୍ୟ ଏକାଠି କରି ନିଆଁ ଲଗାଇ ଦେଲି ଏବଂ ସେହି ଜଳନ୍ତା ନିଆଁରେ ଝାସଦେଲି ।

 

ଭାଗ୍ୟଲିପି କିଏ ଅବା ଅନ୍ୟଥା କରିବ ? ଅଗ୍ନିଶିଖା ଦେଖି ଚାରିଆଡ଼ୁ ଲୋକ ଧାଇଁ ଆସିଲେ, ନିଆଁ ଲିଭାଇ ଦେଲେ । ମାତ୍ର ମୋର ସର୍ବାଙ୍ଗ ଫୋଟକା ହୋଇ ସିଝି ଯାଇଥିବା ଅବସ୍ଥାରେ ମତେ ଉଦ୍ଧାର କରି ଆଣିଲେ । ମୁଁ ମରିପାରିଲି ନାହିଁ ସିନା, ମୋର ସମସ୍ତ ଧନସମ୍ପଦ ସେହି ଅବସ୍ଥାରେ ଲୁଟି ହୋଇଗଲା । ପୂର୍ବୋକ୍ତ ବଣିକପୁତ୍ର ମୋ ଅବସ୍ଥାରେ ବ୍ୟଥିତ ହୋଇ ମୋତେ କୌଣସି ଚିକିତ୍ସାଳୟରେ ରଖାଇ ଦେଲା ଏବଂ ମୋର ସୁଚିକିତ୍ସା ନିମନ୍ତେ ସମସ୍ତ ବ୍ୟୟଭାର ନିଜେ ବହନ କଲା । ପ୍ରାୟ ଚାରିମାସ ପରେ ମୁଁ ଏକପ୍ରକାର ସୁସ୍ଥ ହୋଇ ଚିକିତ୍ସାଳୟରୁ ବିଦାୟ ନେଲି ।

 

ବର୍ତ୍ତମାନ ମୋର ଏକାନ୍ତ ଚିନ୍ତାହେଲା, ‘ବଞ୍ଚିଲି କାହିଁକି ଏବଂ ଯିବି କେଉଁଆଡ଼େ’ । ନିଆଁରେ ଝାସ ଦେବାଦ୍ୱାରା ମୋର ରୂପ ଯୌବନ ଆଦି ଯାହାକିଛି ଥିଲା ସବୁ ହରାଇଥିଲି । ଦେହର ବର୍ଣ୍ଣ କଳା ଏବଂ ମୁଖମଣ୍ଡଳର ବିକୃତ ହୋଇଥିଲା । ସର୍ବାଙ୍ଗରେ ଶୁଖିଲା ପୋଡ଼ା ଘାଆ ଚିହ୍ନ ଆହୁରି କଦର୍ଯ୍ୟ ଦେଖା ଯାଉଥାଏ । ଯେଉଁ ଘରେ ଥିଲା ତାହାମଧ୍ୟ ନିଜର ନୁହେଁ, ଭଡ଼ାଘର । ଧନସମ୍ପଦ ଯାହାଥିଲା ସବୁତ ଲୁଟି ହୋଇଯାଇଛି । ଆଉ ସେଠାକୁ ଯିବାର ଜୁ’ ନାହିଁ । ସେ ବସ୍ତି ଛାଡ଼ି ଏକମୁହାଁ ହୋଇ ଅନ୍ୟଦିଗରେ ଚାଲିଲି । ବହୁଦୂର ଯିବାପରେ କ୍ଷୁଧାତୃଷା ପ୍ରବଳ ହେଲା । ଚାଲିବାକୁ ବଳ ପାଇଲା ନାହିଁ । କିଛି ଭିକ୍ଷାମାଗି ଖାଇବା ଆଶାରେ ଗୋଟିଏ ଘରପାଖକୁ ଗଲି । ଘର ଆଗରେ ଚାରିଟା ଗାଈ ବନ୍ଧା ହୋଇଥାନ୍ତି । ଜଣେ ଲୋକ ସେଠାରେ ବସି ଗୋଚର ଘଷି ପକାଇଥାଏ । ତାକୁ କିଛି ପିଇବାକୁ ମାଗିଲି । ସେ ମୋ ଦୁର୍ବଳ ଅବସ୍ଥା ଦେଖି କଣ ମନେକଲା କେଜାଣି, ମତେ ପିଇବାକୁ ଦହି ଟିକିଏ ଆଣିଦେଲା, ବଡ଼ ସନ୍ତୋଷରେ ପିଇଲି । ଦେହ ଝାଉଁଳି ପଡ଼ିଲା । ଥକ୍‌କାମାରି ବସି ରହିଲି ।

 

ଗଉଡ଼ ମୋର ପରିଚୟ ସମ୍ବନ୍ଧରେ ଅନେକ କଥା ପଚାରି ଜାଣିଲା ଯେ ମୁଁ କୌଣସି ଅଚ୍ଛବଜାତିର ନୁହେଁ । ଖାଇବାକୁ ନପାଇ ଏପରି ହୀନ ଅବସ୍ଥାରେ ବୁଲୁଛି । ତହୁଁ ସେ ମୋ ଆଗରେ ତା’ ନିଜକଥା ଗାଇଲା । ଗଉଡ଼ କହିଲା—‘ଦୁଇମାସ ତେଳେ ମୋ ଭାରିଯା ମରିଗଲା । ମୋର ପିଲାପିଲି କେହି ନାହାନ୍ତି । ମୁଁ ଏକାକୀ ଲୋକ । ଏଇ ଗାଈଗୁଡ଼ିକ ମୋର ସବୁ । ଏଇମାନଙ୍କ ଯୋଗୁଁ ମୁଁ ବଞ୍ଚିଛି । ଏମାନଙ୍କଠୁଁ ମୁଁ ଯାହା ପାଏ ସେଥିରେ ବେଶ୍‌ ଆନନ୍ଦରେ ଖାଇପିଇ ଚଳିଯାଏ ।’

 

କିଛିକ୍ଷଣ ନୀରବ ରହିବା ପରେ ପୁଣି ଆରମ୍ଭ କଲା, ‘ମୋର ସେପରି କିଛି ଅଭାବ ନାହିଁ, ଭଲରେ ଚଳିଯାଉଛି । ହେଲେ କଣ ହେବ, ଏବେ କେତେଦିନ ହେଲା ମତେ ବାତରୋଗ ଧରିପକାଇଛି ଯେ ମୁଁ ଆଉ ଗତାଗତ କରିବାକୁ ବଳ ପାଉନାହିଁ । ଦହିଟିକ ନେଇ କେଉଁଠି ବିକି ଆସିବାକୁ ଯାଇପାରୁ ନାହିଁ । ତୁ ଯଦି ମୋ ପାଖରେ ରହିଯିକୁ, ଖାଇପିଇ ଆନନ୍ଦରେ ଚଳିଯିବୁ । ଅସମୟରେ ମୋ ଦେହମୁଣ୍ଡ କଣ ହେଲେ ବୁଝିବୁ, ସେବାଲଗା କରିବୁ । ଗେରସ୍ତ ଭାରିଯା ପରି ସୁଖରେ ରହିବା । ମୋ କଥା ଯଦି ତୋ ମନକୁ ପାଉଛି କହ ।

 

ମୁଁ ନିଜର ପରିସ୍ଥିତି ଦୃଷ୍ଟିରୁ ବିଚାର କଲି ଯେ ଏ ସୁଯୋଗ ଛାଡ଼ିବାର ନୁହେଁ । ଗଉଡ଼ର ଘରଣୀ ହୋଇ ରହିଲି, ତା’ର ସେବା କଲି । ବେଳେବେଳେ ମଧ୍ୟ ତାକୁ ଏଠାରୁ ସେଠାକୁ ଟେକିନେଇ ବସାଇବାକୁ ପଡ଼ିଲା । ଗାଈମାନଙ୍କ ଜଞ୍ଜାଳ ବୁଝିଲି । ଘଷି ପକାଇ ବିକିଲି । ଦହି ବିକିବାକୁ ବୁଲିଲି । ସବୁକିଛି କରିବାକୁ ହେଲା ।

 

ମୁଁ ଯଦି ଜନ୍ମରୁ ଗଉଡ଼ୁଣୀ ହୋଇଥାନ୍ତି ମୋ ମୁଣ୍ଡରୁ କଦାପି ଦହିଠେକି ଖସିପଡ଼ି ନଥାନ୍ତା । ସେଥିପାଇଁ ଆଜି ମୋ ଅବସ୍ଥା କଣ ହେବ କେଜାଣି । ଗଉଡ଼ ମୋ ପିଠିରୁ ଛାଲ ଛଡ଼ାଇ ଦେବ । ମୋର ଅବା ଚାରା କଣ ଅଛି ? ସବୁ ସହିବାକୁ ଯୋଗ ଅଛି । ଆପଣ ଦେଖନ୍ତୁ, ଏ ହତଭାଗିନୀ ଜୀବନରେ କେଉଁ ଦୁଃଖଦୁର୍ଦ୍ଦଶା ଭୋଗ ନ କଲି ଯେ ଆଜି ଏଇ ଛାର ଦହିଠେକି ପାଇଁ କାନ୍ଦିବି ?’’

 

ଗଉଡ଼ୁଣୀ କଥା ଶେଷହେଲା । ବ୍ରାହ୍ମଣ ମୁଣ୍ଡରେ ହାତଦେଇ ଉଚ୍ଚ ସ୍ୱରରେ କହି ପକାଇଲେ, ‘ଧନ୍ୟରେ ନିୟତି ! ଧନ୍ୟ ତୋର ବିଧାନ !!

Image

 

ରାମ ବନବାସ

 

ନିୟତି ଏବଂ ଭାଗ୍ୟ, ପ୍ରତ୍ୟେକ ପରସ୍ପରର ଅନୁପୂରକ ଏବଂ ପରିପୂରକ । ଦେଖିବାକୁ ଗଲେ, ଭାଗ୍ୟ ମାନବର କର୍ମସମୂହ ବିଚାର ଦୃଷ୍ଟିରେ ଦଣ୍ଡନ ବା ମଣ୍ଡନ କରିବା ନିମନ୍ତେ ବିଚାରପତି, କିନ୍ତୁ ନିୟତି ଦୃଷ୍ଟିରେ ଦଣ୍ଡନ ବା ମଣ୍ଡନ କରିବା ନିମନ୍ତେ ବିଚାରପତି, କିନ୍ତୁ ନିୟତି ସର୍ବୋଚ୍ଚ (Supreme Court) ନ୍ୟାୟଧୀଶ । ଭାଗ୍ୟାଧିପତିର ଏବଂ ନିୟତିର ଆଦେଶ କାର୍ଯ୍ୟକାରୀ କରିବା ଅଦୃଷ୍ଟର ବିଧାନ । ନିୟତି ଯୋଜନାର ନିର୍ଦ୍ଦିଷ୍ଟ ମୁଖ୍ୟ ଉଦ୍ଦେଶ୍ୟରେ ଉପନୀତ ହେବାପରେ ତଦନୁରୂପ ଆଚରଣ ବା କର୍ମ କରିବ ନିମନ୍ତେ ଜୀବ ପ୍ରେରଣାଲାଭ କରିଥାଏ ।

 

ଯୋଜନାର ପ୍ରବାହ ମଧ୍ୟରେ ଅବଶ୍ୟ ଭୋଗ୍ୟ ମୁଖ୍ୟ କାରଣଗୁଡ଼ିକ ପଥ ମଧ୍ୟରେ ଏକ ଏକ ମାଇଲ ଖୁଣ୍ଟ ସଦୃଶ । ଦୁଇଟି ମାଇଲ ଖୁଣ୍ଟର ମଧ୍ୟବର୍ତ୍ତୀକାଳୀନ ଗତିପଥକୁ ଜୀବ ନିଜ ସତ୍‌କର୍ମ ବଳରେ ଭାଗ୍ୟର ପ୍ରସନ୍ନତା ଲାଭ ଦ୍ୱାରା ଉନ୍ନତ, ସ୍ୱଚ୍ଛନ୍ଦ ଏବଂ ସୁଖମ କରିପାରେ । ମାତ୍ର ପ୍ରତ୍ୟେକ ମାଇଲ ଖୁଣ୍ଟ ନିକଟକୁ ଗତି କରିବା ନିମନ୍ତେ ସେ ପ୍ରେରଣା ପାଇଥାଏ ଏବଂ ଅନାୟତ୍ତ ଭାବରେ ତହିଁର ଅନୁସରଣ କରେ । ଜୀବ ଯଦି ସୁକୃତ ବଳରେ ଭାଗ୍ୟର ପ୍ରୀତିଭୋଜନ ହୋଇଥାଏ, କୌଣସି ମାଇଲ ଖୁଣ୍ଟଠାରେ ଉତ୍କଟ କ୍ଳେଶ ଭୋଗିବାକୁ ଥିବା ସ୍ଥଳେ ତାହା କିଞ୍ଚିତ୍‌ ଲଘୁ ହୋଇପାରେ । ଯେପରିକି, ଜୀବର ପଥ ଦୁର୍ଗମ, କଣ୍ଟକମୟ ହୋଇଥିଲେ କିମ୍ବା ଅଗ୍ନିସମ ଉତ୍ତପ୍ତ ଜ୍ୱାଳାମୟ ହୋଇଥିଲେ ଭାଗ୍ୟ ପ୍ରସାଦରୁ ସେ ସମସ୍ତ କ୍ଳେଶ ଲଘୁଭାବରେ ସହ୍ୟ କରିଯିବା ପାଇଁ ସେ ଉପଯୁକ୍ତ ପ୍ରତିରକ୍ଷା କବଚ ପାଇଥାଏ ।

 

ପୌରୁଷ ବଳରେ ଜୀବ ଭାଗ୍ୟରେ ପରିବର୍ତ୍ତନ ସମ୍ଭବ ହୁଏ । ମାତ୍ର ପ୍ରାରବ୍‌ଧ ପରିବର୍ତ୍ତନ ପକ୍ଷେ ନିୟତି ଏକମାତ୍ର ନିୟନ୍ତ୍ରୀ । ସେଥିଯୋଗୁ ବ୍ୟକ୍ତିର ଜୀବନରେ ନିରବଚ୍ଛିନ୍ନ ସୁଖ ଅବା ଦୁଃଖ ଭୋ ସମ୍ଭବ ହୋଇ ନ ଥାଏ । ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର’ ଏହାର ଦୃଷ୍ଟାନ୍ତ ବିରଳ ନୁହେଁ । ସେଥିପାଇଁ ନିୟତିକୁ ‘ଅଘଟନ ଘଟନା ପଟ୍ଟୀୟସୀ’ କୁହାଯାଇଥାଏ । କୌଣସି ଦୈବୀ ଶକ୍ତିଠାରୁ ଅଭିଶାପ କିମ୍ବା ବରଲାଭ କରିବା ଦ୍ୱାରା ବ୍ୟକ୍ତି ଭାଗ୍ୟରେ ବିରାଟ ପରିବର୍ତ୍ତନ ବା ଆକାଶ ପାତାଳର ତାରତମ୍ୟ ସୂଚିତ ହୁଏ, ତାହା ନିୟତିର ପ୍ରଭାବ । ନିୟତିର ନିର୍ଦ୍ଦେଶ ଜୀବର ଭାଗ୍ୟାକାଶରେ ଟାଇମ୍‌ବମ୍‌ ସଦୃଶ ରହି ଯଥାକାଳରେ ବିସ୍ଫୁରିତ ହୋଇଥାଏ ।

 

ଶୁଣାଯାଏ, ଗୁରୁଜନ କିମ୍ବା ସାଧୁ ସନ୍ଥମାନଙ୍କ ଅଭିଶାପ ଅବା ବର ପ୍ରଦାନ ଫଳରେ କେହି କେହି ଦୁର୍ଦ୍ଦଶାପନ୍ନ ହେବା ଅବା ବିଭୁତି ଲାଭ କରିବା ସମ୍ଭବପର ହୋଇଛି । ତହିଁର ଅନେକ ଦୃଷ୍ଟାନ୍ତ ରହିଛି । ବିଶେଷତଃ ପୁରାଣ, ଇତିହାସ ଯୁଗରେ ଅନେକ ଆତ୍ମନିଷ୍ଠ ତପୋନିଷ୍ଠ ମହାପୁରୁଷ ଥିଲେ । ସେମାନଙ୍କ ଅଭିଶାପ ଏବଂ ବରପ୍ରଦାନ ବ୍ୟକ୍ତି ଜୀବନରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥିବା ଉପାଖ୍ୟାନ ଅନେକ ଶୁଣିବାକୁ ମିଳେ । ଆଉ ମଧ୍ୟ ସେ କାଳର ସତ୍ୟବାକ୍‌ ଧର୍ମନିଷ୍ଠ ବ୍ୟକ୍ତିମାନେ ଯାହା ଅଙ୍ଗୀକାର କରୁଥିଲେ ଅବା ପ୍ରତିଶ୍ରୁତି ଦେଉଥିଲେ, ତାହାର ପାଳନ ନିମନ୍ତେ ନିଜକୁ ପ୍ରାଣପର୍ଯ୍ୟନ୍ତ ଦାୟୀ ମନେକରୁଥିଲେ । ସେପରି ପ୍ରତିଶ୍ରୁତି ପୂରଣ ଯୋଗେ ମଧ୍ୟ ଅକଳ୍ପିତ ସମ୍ଭାବନା ଉପସ୍ଥିତ ହୋଇଥାଏ ।

 

ଅଯୋଧ୍ୟାର ମହାତେଜା ଧର୍ମପ୍ରାଣ ରାଜା ଦଶରଥ । ରାତି ପାହିଲେ ପ୍ରିୟତମ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କୁ ରାଜସିଂହାସନରେ ଅଭିଷିକ୍ତ କରାଇବାକୁ କୃତସଙ୍କଳ୍ପ । ସେଥିପାଇଁ ବିରାଟ ବିପୁଳ ସାଜସଜ୍ଜା । ଆନନ୍ଦ କୋଳାହଳରେ ଅଯୋଧ୍ୟା ନଗରୀ ମୁଖରିତ । ଅତି ଅଦ୍‌ଭୂତ ଭାବରେ ହଠାତ୍‌ ଦୃଶ୍ୟପଟ୍ଟର ଅକଳ୍ପନୀୟ ପରିବର୍ତ୍ତନ ଘଟିଗଲା । ସମସ୍ତେ ହତବାକ୍‌ ହୋଇ ଦେଖିଲେ, ରାମଚନ୍ଦ୍ର ବଳ୍‌କଳଧାରୀ ସନ୍ନ୍ୟାସୀ, ରାଜ୍ୟ ତ୍ୟାଗକରି ଚଉଦବର୍ଷ ନିମନ୍ତେ ବନବାସ ଉଦ୍ଦେଶ୍ୟରେ ପ୍ରସ୍ଥାନୋଦ୍ୟତ ।

 

ଏହା କିପରି ସମ୍ଭବ ହେଲା ? ରାମଚନ୍ଦ୍ର, ସେ ଯେ ମାନବ ଶରୀରରେ ପରମ ପୁରୁଷଙ୍କର ଆବିର୍ଭାବ । ନିୟତିର ଜାଗତିକ ଯୋଜନା ଉଦ୍ଧାର କରିବା ନିମନ୍ତେ ତାହାଙ୍କ ଜନ୍ମ ଅଭିପ୍ରେତ । ଅଯୋଧ୍ୟାର ରାଜସିଂହାସନର ଐଶ୍ୱର୍ଯ୍ୟଭୋଗ ଦ୍ୱାରା ତାହା କିପରି ସମ୍ଭବ ହୁଅନ୍ତା ? ନା, ସେପରି କାର୍ଯ୍ୟୋଦ୍ଧାର ପାଇଁ ତାଙ୍କୁ କଠୋର ତ୍ୟାଗବ୍ରତ ଆଚରଣ କରିବାକୁ ହେବ । କର୍ତ୍ତବ୍ୟ ପରାୟଣତାର ଗରିଷ୍ଠ କଠୋର ନିଦର୍ଶନ ଯୋଗେ ବିଶ୍ୱକୁ ଚେତନଶୀଳ କରିବାକୁ ହେବ । ଏହା ଥିଲା ନିୟତିର ନିର୍ଦ୍ଦେଶ ।

 

ନିୟତି ବିଧାନକୁ ଲଂଘନ କରିଦେବା କଣ ଦୈବିପୁରୁଷଙ୍କ ପକ୍ଷରେ ସାଧ୍ୟତୀତ ଥିଲା ? କଦାପି ନୁହେଁ । କାର୍ଯ୍ୟୋଦ୍ଧାର ନିମନ୍ତେ ସେ ସ୍ୱେଚ୍ଛାକୃତ ଭାବରେ ନିୟତି ରାଜ୍ୟରେ ଅବତରଣ କରିଥିଲେ । ଜୀବନରେ ସେ ଅବିଚଳିତ ଭାବରେ ଯେତେ ଯେତେ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଛନ୍ତି, ତାହା କେବଳ ସେହି ଅଦ୍ୱିତୀୟ ମହାପୁରୁଷଙ୍କ ପକ୍ଷରେ ସମ୍ଭବ ହୋଇପାରିଛି । ତଥାପି ଶ୍ରୀରାମଙ୍କଠାରେ ସେପରି ଆତ୍ମଚେତନା ଯଥାସମୟରେ ଜାଗରୁକ କରାଇବା ଦ୍ୱାରା ଘଟଣାଗୁଡ଼ିକ ତତ୍କାଳିକ ପରିସରକୁ ଆଣିବା ନିମନ୍ତେ ନିୟତି ଯଥାପୂର୍ବରୁ ନାନାସୂତ୍ରରେ ବ୍ୟବସ୍ଥା ନିରୂପଣ କରିରଖିଥିଲେ ।

 

ଶ୍ରୀରାମଚନ୍ଦ୍ର ଥିଲେ ଦେବାବତାର । ସେ ଭାଗ୍ୟର ଏପରି ବିପର୍ଯ୍ୟୟ ନିମନ୍ତେ କୌଣସି ଅଭିଶାପ ପାଇ ନଥିଲେ କିମ୍ବା ସେ କୌଣସି ଅଭିଶାପ ପାଇବାର ପାତ୍ର ହୋଇ ନ ପାରିନ୍ତି । ତାଙ୍କର ଆଦର୍ଶ ଧର୍ମ ଥିଲା—ପିତୃସତ୍ୟ ପାଳନ । ପିତାଙ୍କ ସତ୍ୟରକ୍ଷା ନିମନ୍ତେ ଓ ଧର୍ମରକ୍ଷା ନିମନ୍ତେ ସେ ଅକୁଣ୍ଠିତ ଚିତ୍ତରେ ତାହାକୁ ଗୌରବାବହ ମନେକରି ସ୍ୱତଃପ୍ରବୃତ୍ତ ହୋଇ ଆନନ୍ଦରେ ତାହା ବରଣ କରି ନେଇଥିଲେ । ଏପରିକି ପୁରବାସୀ ଆତ୍ମୀୟ ସ୍ୱଜନଙ୍କ ଅନିଚ୍ଛା ସତ୍ୱେ ସେ ଧୀର ଗମ୍ଭୀର ବଚନରେ ସମସ୍ତଙ୍କୁ ପ୍ରବୋଧନା ଦେଇ ଧର୍ମର ଜୈତ୍ର ଧ୍ୱଜା ଉଡ଼ାଇ ବନଗମନ କରିଥିଲେ-। ସଙ୍ଗରେ ଯାଇଥିଲେ ସାଧ୍ୱୀ ପତିବ୍ରତା ସ୍ତ୍ରୀ ଏବଂ ପ୍ରାଣୋପମ ଭ୍ରାତୃଭକ୍ତ ଭାଇ ଲକ୍ଷ୍ମଣ-। ତା ନୋହିଥିଲେ ନିୟତି କଳ୍ପିତ ରାମାୟଣର ଅଭିନୟ ସମ୍ଭବ ହୁଅନ୍ତା କିପରି ?

 

ରାତି ପାହିଲେ ରାମ ରାଜା ହେବେ । ଭାଗ୍ୟ ସୁପ୍ରସନ୍ନ । ରାଜ୍ୟସାରା ଆନନ୍ଦ ଲହରୀ ଖେଳୁଛି । ରାତ୍ରିର ପ୍ରଥମ ପ୍ରହର । ମନ୍ଥରା, ଯେ କି ଦଶରଥଙ୍କ ମଧ୍ୟମା ରାଣୀ କୈକେୟଙ୍କ ଦାସୀ, ସେ ଏକାକିନୀ ନିଜ ପ୍ରକୋଷ୍ଠରେ ବସିଛନ୍ତି । ହଠାତ୍‌ ପ୍ରବେଶ କଲେ ଜଣେ ଅପୂର୍ବ ସୁନ୍ଦରୀ ମହିଳା-। ମନ୍ଥରା ଚମକିତ ହୋଇ ଚାହିଁ ରହିଲେ । ଆଗନ୍ତୁକା ମହିଳା ହସ ହସ ବଦନରେ କହିଲେ, ‘‘ମନ୍ଥରା, ତୁମ ସମାନ ବିଦ୍ୱଷୀ ରମଣୀ ଏ ଅନ୍ତଃପୁର ମଧ୍ୟରେ ଆଉ କେହି ଥିବାର ମୁଁ ଜାଣେ ନାହିଁ-। ତୁମେ କୈକେୟୀ ରାଣୀଙ୍କର ପ୍ରିୟତମା ସହଚରୀ ଏବଂ ତାଙ୍କର ପରମ ହିତାଭିଳାଷିଣୀ ହୋଇ ମଧ୍ୟ ବର୍ତ୍ତମାନ ମୁହୂର୍ତ୍ତରେ ତାଙ୍କର ହିତ ନିମନ୍ତେ କିଛି ଚିନ୍ତା କରି ପାରୁଛ କି-? ରାମ ରାଜା ହେବାପାଇଁ ତୁମେ ଯେ ଆନନ୍ଦରେ ବିଭୋର ହେଉଛ, ଏହା ରାମଙ୍କ ପ୍ରତି ତୁମର ଆନ୍ତରିକତା ହୋଇପାରେ ମାତ୍ର କୈକେୟୀଙ୍କ ପ୍ରତି ଅବିଚାରିତା, ଏ କଥା ବୁଝି ପାରୁଛ ?’

 

ମନ୍ଥରା ହଠାତ୍ ଆକାଶରୁ ଖସି ପଡ଼ିବା ପରି ବୋଧକଲେ । ସେ ଧିର କଣ୍ଠରେ କହିଲେ ‘‘ତୁମର ପରିଚୟ ଜାଣି ନ ଥିଲେ ମଧ୍ୟ ତୁମ କଥାରୁ ତୁମେ ଯେ ଉଚ୍ଚକୁଳ ସମ୍ଭବା ଏବଂ ମହାନ ମହୀୟସୀ, ଏହା ମୋର ହୃଦ୍‌ବୋଧ ହେଉଛି । ତୁମର ପ୍ରଶ୍ନ ମୋ ଅନ୍ତର ମଧ୍ୟରେ ଗୋଟାଏ ତୀବ୍ର ଆଲୋଡ଼ନା ସୃଷ୍ଟି କରିବାକୁ ଯାଉଛି । ତୁମେ କଣ କହିବାକୁ ଚାହଁ ଯେ ରାମଙ୍କ ଐଶ୍ୱର୍ଯ୍ୟ ଲାଭରେ ଆନନ୍ଦିତ ହେବା କୈକେୟୀ ରାଣୀଙ୍କ ପ୍ରତି ଅବିଚାରିତା ?’’

 

ଆଗନ୍ତୁକା ମହିଳା ଦୃଢ଼ ସ୍ୱରରେ ଉତ୍ତର କଲେ—‘‘ନିଶ୍ଚୟ; ଏହା ନ୍ୟାୟତଃ କେହି ଅସ୍ୱୀକାର କରି ନପାରେ । ଜ୍ୟେଷ୍ଠପୁତ୍ର ପ୍ରତି ମମତାବଦ୍ଧ ନ ହୋଇ ଯୋଗ୍ୟତମ ପୁତ୍ରକୁ ରାଜସିଂହାସନ ଦେବା ମହାରାଜାଙ୍କ ପକ୍ଷରେ ଅବିହିତ ହୋଇନଥାନ୍ତା । ରାମ ମଧ୍ୟ ଭରତଙ୍କଠାରୁ କେଉଁ ଗୁଣରେ ଯୋଗ୍ୟତାରେ ଅଧିକ ନୁହନ୍ତି । ବରଂ ଭରତ ରାଜପଦ ପାଇବା ନିମନ୍ତେ ଅଧିକତର ଉପଯୁକ୍ତ ମନେହୁଏ । ମାତ୍ର ସେଥିପାଇଁ କୈକେୟୀଙ୍କର ଦୁର୍ବଳତା ଏବଂ ତୁମଭଳି ବିଦୂଷୀଙ୍କର ଅନବଧାନତାହିଁ ଅନ୍ତରାୟ ହୋଇଛି ।’’

 

ମନ୍ଥରା—‘‘ତାହା ବିଧିର ବିଧାନ । ସେଥିପାଇଁ ଆମେ ଆଶାୟୀ ହେବା କିମ୍ବା ଚେଷ୍ଟା କରିବା ନିରର୍ଥକ । ଏହାକିଛି ସାମାନ୍ୟ ଧରଣର ବିଚାର ନୁହେଁ ।

 

ମହିଳା—ସାମାନ୍ୟ ବିଷୟ ଅତି ସହଜ ମନେହୁଏ । ପନ୍ଥା ଯେ ଖୋଜେ ସେ ନିଶ୍ଚୟ ସୁଗମ ପନ୍ଥା ପାଇଥାଏ । ବରଂ ଏଥିପାଇଁ ତୁମର ଅନିଚ୍ଛା ଏବଂ ଉଦ୍ୟମହୀନତା ଦାୟୀ । ମନେଥିବ, ଶମ୍ବରାସୁର ସହିତ ଦଶରଥଙ୍କର ଯୁଦ୍ଧ ଅଭିଯାନ—ଯୁଦ୍ଧ କ୍ଷେତ୍ରରେ ସ୍ୱାମୀଙ୍କ ସେବା ଏବଂ ସହାୟତା ନିମନ୍ତେ ଆଗ୍ରହ ସହିତ କୈକେୟୀଙ୍କର ସହ ଯାତ୍ରା, ଏ ସବୁ ମନେକରି ପାରୁଛତ-?

 

ମନ୍ଥରା—ମନେଅଛି । ସବୁ କାଲପରି ଲାଗୁଛି ।

 

ମହିଳା—ସେ ସବୁ ତ ନିଶ୍ଚୟ ବିଧି ବିଧାନ ବୋଲି କହିବାକୁ ହେବ । ତାହାପରେ ଯୁଦ୍ଧଭୂମିରେ ସ୍ୱାମୀଙ୍କ ଜୀବନରକ୍ଷାର କାରଣ ହୋଇ ସେଥିପାଇଁ ଯୁଦ୍ଧଭୂମିରେ ସ୍ୱାମୀଙ୍କ ଜୀବନରକ୍ଷାର କାରଣ ହୋଇ ସେଥିପାଇଁ ତାଙ୍କଠାରୁ ଦୁଇଗୋଟି ବର ପାଇବାର ପ୍ରତିଶ୍ରୁତି ଲାଭ କରିବା—ପ୍ରତ୍ୟେକ ବିଷୟ କଣ ବିଧି ବିଧାନ ନୁହେଁ ? ବର୍ତ୍ତମାନ ମୁହୂର୍ତ୍ତରେ କୈକେୟୀ ଉକ୍ତ ବର ଦୁଇଟି ପାଇବାକୁ ପ୍ରାର୍ଥନା କରି ନିଜର ସୁଯୋଗ୍ୟ ପୁତ୍ର ଭରତଙ୍କୁ ରାଜଗାଦିରେ ଅଭିଷିକ୍ତ କରାଇବା ପାଇଁ ବର ମାଗିବା କଣ ଅବିଧେୟ ହେବ ?’’

 

ମନ୍ଥରା ବିସ୍ଫୋରିତ ନେତ୍ରରେ ଚାହିଁ ରହିଲେ । ସେ ଅବା ତାଙ୍କର ଦିବ୍ୟଦୃଷ୍ଟି ଉନ୍ମେଷିତ ହେଲା । କ୍ଷଣକ ପରେ ସେ କହିଲେ—‘‘ଆଜି ସେ ବିଷୟ ତୁମେ ସ୍ମରଣ କରାଇ ଦେଇଛ, ସେଥିପାଇଁ ଅଶେଷ ଧନ୍ୟବାଦର ପାତ୍ରୀ । ବର ପ୍ରାର୍ଥନା ଯୋଗେ ଭରତ ରାଜା ହୋଇପାରନ୍ତି, ମାତ୍ର ଅଗ୍ରଜ ରାମଚନ୍ଦ୍ରଙ୍କ ପ୍ରତି ବର୍ତ୍ତମାନ ତାହା ନିତାନ୍ତ ଅସୌଜନ୍ୟ ହେବ । ଆଉ ମଧ୍ୟ ଭରତଙ୍କ ରାଜପଦ ନିଷ୍କଣ୍ଟକ ହେବା ସନ୍ଦେହଜନକ ହୋଇପାରେ ।’’

 

ମହିଳା ହସି ହସି ପ୍ରକାଶ କଲେ—‘‘ସେ କଥା ଆଂଶିକ ସତ୍ୟ ହୋଇପାରେ । ମାତ୍ର ତହିଁରେ ନିରାକରଣ ପନ୍ଥା ଅତି ସହଜ । କୈକେୟୀଙ୍କର ମହାରାଜାଙ୍କଠାରୁ ଦୁଇଟି ବର ପ୍ରାପ୍ୟ ଅଛି । ଭରତ ରାଜା ହେବା ପାଇଁ ସେ ପ୍ରଥମ ବର ପ୍ରାର୍ଥନା କରନ୍ତୁ । ଦ୍ୱିତୀୟ ବର ସକାଶେ ରାମଚନ୍ଦ୍ର ଚଉଦବର୍ଷ ବନବାସ କରିବାକୁ ଯିବାପାଇଁ ପ୍ରାର୍ଥନା କରାଯାଉ । ତା’ହେଲେ ତ ସବୁ ନିଷ୍କଣ୍ଟଖ, ସବୁ ସ୍ୱଚ୍ଛନ୍ଦ । ଥାଅ, ମୁଁ ଗଲି । ମାତ୍ର ଏ କାର୍ଯ୍ୟରେ ଅବହେଳା କିମ୍ବା ବିଳମ୍ବ କରିବା ନିତାନ୍ତ ଅଯୋଗ୍ୟତା ହେବ । ଅଧିକନ୍ତୁ କୈକେୟୀଙ୍କୁ ଏ ବିଷୟରେ ଉପଯୁକ୍ତ ପରାମର୍ଶ ନ ଦେବା ବିଶ୍ୱାସଘାତକତା ହେବ । ‘ଶୁଭସ୍ୟ ଶୀଘ୍ରଂ’ ।

 

କହୁ କହୁ ମହିଳା ଦ୍ରୁତ ପଦର ପ୍ରସ୍ଥାନ କଲେ । କହିବା ଅନାବଶ୍ୟକ ଯେ, ସେହି ଆଗନ୍ତୁକା ମହିଳା ନିୟତିର ପ୍ରତିଭୂ ।

Image

 

ପର୍ଶୁରାମର ମାତୃହତ୍ୟା

 

ଭୃଗୁ ନନ୍ଦନ ମହର୍ଷି ଜମଦଗ୍ନି, ଅଥର୍ବ ବେଦର ମୁଖ୍ୟ ପୁରୋଧା, ଆର୍ଯ୍ୟଗୌରବର ବରିଷ୍ଠ ପଥଦ୍ରଷ୍ଟା ତଥା ଧର୍ମାଧ୍ୟକ୍ଷ । ତାଙ୍କର ପତ୍ନୀ ରେଣୁକା ପତିବ୍ରତା, ସ୍ନେହ-ଦୟା-କ୍ଷମାର ମୂର୍ତ୍ତିମତୀ ଅବତାର, ଆର୍ଯ୍ୟ ଜଗତର ବନ୍ଦୀୟା ମାତୃ ପ୍ରତିମ ମହୀୟସୀ ମହିଳା । ପୁତ୍ରମାନେ ସୁଯୋଗ୍ୟ ପିତାମାତାଙ୍କର ସୁସନ୍ତାନ, ସର୍ବଶାସ୍ତ୍ରଜ୍ଞ-ସୁପଣ୍ଡିତ-ଧର୍ମପ୍ରାଣ-ସରଳ ଏବଂ କର୍ତ୍ତବ୍ୟନିଷ୍ଠ । ସେମାନଙ୍କ ମଧ୍ୟରେ କନିଷ୍ଠ ପୁତ୍ର ପର୍ଶୁରାମ ସର୍ବାଧିକ ବପୁଷ୍ମନ୍ତ, ଉଗ୍ରତେଜା ଏବଂ ଶୌର୍ଯ୍ୟ ବୀର୍ଯ୍ୟରେ ଅନନ୍ୟ ସାଧାରଣ ।

 

ଦିନେ କାର୍ଯ୍ୟୋପଲଷେ ଜମଦଗ୍ନିଙ୍କ ଅନୁମତି କ୍ରମେ ରେଣୁକା ପୁତ୍ରମାନଙ୍କ ସହିତ ହିମାଳୟ ପାଦଦେଶରେ କୌଣସି ଏକ ସ୍ଥାନକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଦେଖିଲେ, ଗନ୍ଧର୍ବରାଜ ଚିତ୍ରସେନ କେତେକ ଅନୁଚର ସହିତ ଶାପଗ୍ରସ୍ତ ହୋଇ ବନ ମଧ୍ୟରେ ଏକାନ୍ତ ଅସହାୟ ଅବସ୍ଥାରେ ପଡ଼ିଅଛନ୍ତି । ସେମାନେ ପ୍ରତ୍ୟେକ ଗଳିତକୁଷ୍ଠ ରୋଗାକ୍ରାନ୍ତ ହୋଇ ଚଳତ୍‌ ଶକ୍ତି ରହିତ, କ୍ଷୁଧା-ପିପାସାରେ ଜର୍ଜ୍ଜରିତ ହୋଇ ଅପରର ସହାୟତା ପାଇବା ନିମନ୍ତେ ବିକଳ ପ୍ରାର୍ଥନା କରୁଅଛନ୍ତି ।

 

ରେଣୁକାଙ୍କର କୋମଳ ମାତୃପ୍ରାଣ ଆର୍ତ୍ତମାନଙ୍କ କରୁଣା ଚିତ୍କାରରେ କମ୍ପମାନ ହେଲା । ସେ ଅବିଳମ୍ବେ ଯଥାସାଧ୍ୟ ସେମାନଙ୍କର ସେବା ନିମନ୍ତେ ତତ୍ପର ହେଲେ । ପୁତ୍ରମାନେ ଏଥିରେ ଏକମତ ହୋଇ ନ ପା ଆଗୁଆ ଆଶ୍ରମକୁ ଫେରିଆସିଲେ । କେବଳ କନିଷ୍ଠ ପର୍ଶୁରାମ ମାତାଙ୍କ ସହିତ ରହିଲେ । ରେଣୁକା ସେହି ଅଭିଶପ୍ତ ହତଭାଗାମାନଙ୍କୁ ବନର ଫଳମୂଳ ଏବଂ ଝରଣାଜଳ ପ୍ରଦାନକରି କିଞ୍ଚିତ ସେବା କରିବା ପରେ ଆଶ୍ରମକୁ ଫେରିଲେ ।

 

ଆଶ୍ରମରେ ଜମଦଗ୍ନି ପୁତ୍ରମାନଙ୍କଠାରୁ ରେଣୁକାଙ୍କ ନ ଆସିଥବା କାରଣ ଶୁଣି ଅଗ୍ନିଶର୍ମା ହୋଇଉଠିଲେ । କ୍ରୋଧରେ ଜର୍ଜ୍ଜରିତ ହୋଇ ସେ ଜ୍ୟେଷ୍ଠପୁତ୍ରକୁ ଡାକି ଆଦେଶ କଲେ—‘‘ଦେଖ, ସେ ପାପିୟସୀ ରେଣୁକା ପରପୁରୁଷର ସେବାରେ ଅନୁରକ୍ତା, ସେ ବ୍ୟଭିଚାରିଣୀ, ଆର୍ଯ୍ୟଧର୍ମର କଳଙ୍କିନୀ । ଏଠାକୁ ଆସି ଏ ପବିତ୍ର ଆଶ୍ରମକୁ ଅପବିତ୍ର କରିବା ପୂର୍ବରୁ ତୁମେ ଯାଅ, ତାହାର ଶିରଚ୍ଛେଦନ କର ।’’

 

ଗର୍ଭଧାରିଣୀ ଜନନୀର ଶିରଚ୍ଛେଦ କରିବାକୁ କେଉଁ ପୁତ୍ରର ଅବା ଧୈର୍ଯ୍ୟ ରହିବ ? ଜମଦଗ୍ନି ଜଣ ଜଣ କରି ସବୁ ପୁତ୍ରମାନଙ୍କୁ ଡାକି ସେହି ଆଦେଶ ଦେଲେ । ପିତାଙ୍କ କ୍ରୋଧର ପ୍ରଜ୍ଜ୍ୱଳିତ ଅବସ୍ଥା ଦେଖି ପୁତ୍ରମାନେ ଭୀତ-ଶଙ୍କିତ ହୋଇ ପଡ଼ିଲେ । କାହାର ପାଦ ଚଳିଲା ନାହିଁ କିମ୍ବା ତୁଣ୍ଡରୁ କଥା ବାହାରିଲା ନାହିଁ । ଏହା ଦେଖି ଜମଦଗ୍ନି ଅଧିକତର କ୍ରୋଧାନ୍ୱିତ ହୋଇପଡ଼ିଲେ-। ସେତିକି ବେଳେ ରେଣୁକା ପର୍ଶୁରାମଙ୍କ ସହିତ ସେଠାରେ ଆସି ପହଞ୍ଚିଗଲେ । ଜଗଦଗ୍ନି ହଠାତ୍‌ ପର୍ଶୁରାମଙ୍କୁ ଡାକି ଭୀଷଣ ରୁକ୍ଷ ସ୍ୱରରେ କହିଲେ ‘‘ତୁ ମୋର ପୁତ୍ର । ଆଦେଶ ପାଳନ କରିବୁ କି ନାହିଁ ?’’

 

‘‘ପିତୃଦେବଙ୍କ ଆଦେଶ ମୋର ଶିରୋଧାର୍ଯ୍ୟ, ଆଦେଶ କରନ୍ତୁ ।’’ ଏହା କହି ପର୍ଶୁରାମ ସ୍ଥିର ଦୃଷ୍ଟିରେ ପିତାଙ୍କୁ ଚାହିଁ ରହିଲେ । ସେ ଜାଣି ନ ଥିଲେ ଯେ ପିତା ଏକାନ୍ତ କ୍ରୋଧାନ୍ଧ ହୋଇ ତାଙ୍କ ଜନନୀର ଜୀବନ ସଂହାର ପାଇଁ ସଂକଳ୍ପବଦ୍ଧ ।

 

ଜମଦଗ୍ନି ଉତ୍‌କ୍ଷିପ୍ତ ହୋଇ କହିଲେ ‘‘ପର୍ଶୁରାମ ! ଶୀଘ୍ର ଏ ପାପୀୟସୀ ରେଣୁକାର ଶିରଚ୍ଛେଦନ କର ।’’

 

ପର୍ଶୁରାମ ଜଡ଼ପରି ପିତାଙ୍କ ମୁଖକୁ ଚାହିଁ ରହିଲେ । ତାଙ୍କ ହାତରେ ଥିବା କୁଠାର ତଳେ ଖସିପଡ଼ିଲା । ଜମଦଗ୍ନି ବିଶେଷ ଉତ୍ତେଜିତ ହୋଇ ବୃଢ଼ ସ୍ୱରରେ କହିଲେ ‘‘ହାୟ ହତଭାଗ୍ୟ ! ତୁମ୍ଭେମାନେ ମୋର ସନ୍ତାନ ନୁହଁ ? ତୁମ୍ଭମାନଙ୍କ ଧମନୀରେ କଣ ଆର୍ଯ୍ୟରକ୍ତ ପ୍ରବାହିତ ହେଉନାହିଁ-? ତୁମ୍ଭେମାନେ ପିତ୍ରାଦେଶ ପାଳନ କରିବାକୁ ପଶ୍ଚାତ୍‌ପଦ, ଏହାଠାରୁ ବଳି ଧର୍ମର ଅପକର୍ଷ ଆଉ କଣ ଥାଇପାରେ ?’’

 

ରେଣୁକାଙ୍କ ଅନ୍ତରରେ ଏ ବାକ୍ୟ ନିର୍ମମ ଆଘାତ ଦେଲା । ସେ ବିବ୍ରତ କଣ୍ଠରେ ପୁତ୍ରମାନଙ୍କୁ ସମ୍ବୋଧନ କରି କହିଲେ, ‘‘ତୁମ୍ଭେମାନେ ପିତାଙ୍କ ଆଦେଶ ଲଙ୍ଘନ କରନାହିଁ । ଅଧିକନ୍ତୁ ସେ ପୂଜ୍ୟ, ଧର୍ମଗୁରୁ—ମହର୍ଷି । ତାଙ୍କର ପ୍ରୀତି ସମ୍ପାଦନ ପାଇଁ ତାଙ୍କ ଶ୍ରୀଚରଣ ତଳେ ନିଜ ସନ୍ତାନ ଦ୍ୱାରା ଯଦି ଏ ଦେହରୁ ପ୍ରାଣବିଚ୍ଛନ୍ନ ହୁଏ, ତାହା ମୋ ଜୀବନର ପରମ ସୌଭାଗ୍ୟ ଏବଂ ଭଗବାନଙ୍କର ମୋ ପ୍ରତି ଅପାର ଆଶୀର୍ବାଦ ମନେ କରିବି । ମୁଁ ମରିବା ପାଇଁ ତିଳେମାତ୍ରେ ଦୁଃଖିତା ନୁହେଁ । ମାତ୍ର ମୁଁ ଅତ୍ୟନ୍ତ ବ୍ୟଥିତା ଯେ; ତୁମ୍ଭେମାନେ ଏହି ବରେଣ୍ୟ ମହର୍ଷିଙ୍କ ଆର୍ଯ୍ୟରକ୍ତରେ ଜାତ ଏବଂ ସେଥିଯୋଗୁ ତାଙ୍କର ଆଦେଶ ତୁମ୍ଭମାନଙ୍କର ପକ୍ଷରେ ଅଲଙ୍ଘନୀୟ, ଏ କଥା ଅପ୍ରମାଣିତ କରିବାକୁ ଯାଇ ଗର୍ଭଧାରିଣୀ ଜନନୀର ନିର୍ମଳ ସତୀତ୍ୱରେ କଳଙ୍କ ଲେପନ କରିବା ଅଧିକତର ଅକ୍ଷମଣୀୟ ଅପରାଧ ହେବ । ଆଉ ମଧ୍ୟ ଯୁଗେ ଯୁଗେ ଏ କଳଙ୍କ କାଳିମା ଆର୍ଯ୍ୟଭୂମୀ ବକ୍ଷରେ ରେଖାୟିତ ହୋଇ ରହିବ ।

 

ମୁଁ ତୁମ୍ଭମାନଙ୍କର ‘ସ୍ୱର୍ଗାଦପି ଗରୀୟସୀ’ ଜନନୀ ଭାବରେ ମଧ୍ୟ ଆଦେଶ କରୁଛି, ଅବିଳମ୍ବେ ପିତ୍ରାଜ୍ଞା ପାଳନ କର । ଆର୍ଯ୍ୟ ଧର୍ମର ଗୌରବ ରକ୍ଷାକର ।’

 

ପର୍ଶୁରାମ ଧିର ପଦ ବିକ୍ଷେପ ପରେ ଯାଇ ପିତାଙ୍କ ଚରଣ ଧରି ବିନୀତ ଭାବରେ କହିଲେ, ‘ଭଗବାନ୍‌ ! ଆର୍ଯ୍ୟ ଋଷିମଣ୍ଡଳୀ ମଧ୍ୟରେ ଆପଣ ଶ୍ରେଷ୍ଠ-ବରିଷ୍ଠ । ମୁଁ ଆପଣଙ୍କର ଯଥାର୍ଥ ପୁତ୍ର ବୋଲି ଗର୍ବ କରେ । ଆପଣଙ୍କ ଆଦେଶ ପାଳନ କରିବାକୁ ମୁଁ ପ୍ରାଣ ପର୍ଯ୍ୟନ୍ତ ଦାୟୀ । ଆପଣଙ୍କ ପକ୍ଷରେ ମଧ୍ୟ ସଙ୍କଳ୍ପ ବିଚ୍ୟୁତି ଅବାଞ୍ଛନୀୟ । ଆପଣ ଦୟାକରି କ୍ରୋଧ ସମ୍ବରଣ କରନ୍ତୁ, ସ୍ଥିର ହୁଅନ୍ତୁ । ମୁଁ ନିଶ୍ଚୟ ମାତାଙ୍କର ଶିର ଛେଦନ କରିବି ।’

 

ଜମଦଗ୍ନି ପ୍ରକୃତିସ୍ଥ ହୋଇ ସ୍ଥିର ଭାବରେ ବସିଲେ । ପର୍ଶୁରାମ ହାତଯୋଡ଼ି ବିନୟ ସହକାରେ ପଚାରିଲେ, ‘ପିତଃ ! ଏପରି ନିର୍ମମ, ନିଷ୍ଠୁର କାର୍ଯ୍ୟ ସମ୍ପାଦନ କରିବା ପୂର୍ବରୁ ଆପଣ ଏପରି କଠୋର ଆଦେଶ ଦେବାର କାରଣ କଅଣ, ତାହା ଏ ଅଧମ ଶୁଣିପାରେକି ?’

 

ଜମଦଗ୍ନି ଧିର ଭାବରେ କହିଲେ, ‘ବତ୍ସ, ଯେଉଁ ମୁହୂର୍ତ୍ତରେ ସେ ପରପୁରୁଷଠାରେ ଆଶକ୍ତି ହୋଇଛି, ସେ ନିଜର ଆର୍ଯ୍ୟତ୍ୱ ହରାଇଛି, ଏକଥା କଣ ବୁଝିପାରୁ ନାହିଁ ?’

 

ପର୍ଶୁରାମ ଦୁଇହାତ ଯୋଡ଼ି ଗମ୍ଭୀରଭାବର ଠିଆହେଲେ । ତାଙ୍କ ମୁଖମଣ୍ଡଳରେ ଏକ ଅପୂର୍ବ ଜ୍ୟୋତି ପରିସ୍ଫୁଟିତ ହୋଇ ଉଠିଲା, ଚକ୍ଷୁଦ୍ୱୟ ଉଜ୍ଜ୍ୱଳ ଦୀପ୍ତିରେ ଉଦ୍‌ଭାସିତ ହେଲା । ସେ ଧିର ଗମ୍ଭୀର ସ୍ୱରରେ ଆରମ୍ଭ କଲେ, ‘ପିତଃ, କହିବ ତ କ୍ଷମା କରିବେ । ଅପରାଧୀ ଦଣ୍ଡ ପାଇବା ବିଧାନସମ୍ମତ । କିନ୍ତୁ ମୁଁ ନିଜର ପ୍ରାଣ ବିନିମୟରେ ମଧ୍ୟ କହିବାକୁ କୁଣ୍ଠିତ ନୁହେଁ ଯେ, ଏ କ୍ଷେତ୍ରରେ ମୋର ମାତା ନିର୍ଦ୍ଦୋଷ । ଆପଣ ପ୍ରତ୍ୟକ୍ଷଦର୍ଶୀ ନୁହନ୍ତି । ଆପଣ କେବଳ ଅନୁମାନ ଉପରେ ନିଜକୁ ଭୁଲାଇ ଦେଇଛନ୍ତି । ମାତ୍ର, ମୁଁ ବରାବର ମାତାଙ୍କ ସଙ୍ଗେ ସଙ୍ଗେ ରହିଛି । ମୁଁ ସବୁ ଜାଣିଛି, ପ୍ରତ୍ୟକ୍ଷୀଭୂତ କରିଛି । ମୁଁ ନିର୍ଦ୍ଦୋଷ ନିରେପେକ୍ଷ ସାକ୍ଷୀ ଭାବରେ ଆତ୍ମଅନୁଭୂତି ବ୍ୟକ୍ତି କରିବା ସକାଶେ ଆପଣଙ୍କ ଠାରୁ କ୍ଷମା ମାଗି ନେଉଛି । ଆପଣ ଧୈର୍ଯ୍ୟଧରି କ୍ଷମାଗୁଣରେ ଶ୍ରବଣ କରନ୍ତୁ-। ଯନ୍ତ୍ରଣାକ୍ଳିଷ୍ଟ ଆର୍ତ୍ତିବ୍ୟକ୍ତିର କରୁଣ ପ୍ରାର୍ଥନାକୁ ଆଗ୍ରାହ୍ୟ ଅବା ଉପେକ୍ଷା କରିବା ଯଦି ଧର୍ମସମ୍ମତ ହୁଏ ମାତା ତାହା କରି ନାହାନ୍ତି । ସେ ମୁମୂର୍ଷି ମୁଖରେ ବାଞ୍ଛିତ ଅନ୍ନଜଳ ଦେଇଛନ୍ତି । ଲୋକ ମାତୃତ୍ୱର ଅନାବିଳ ଆଦର୍ଶ ପ୍ରାଣ ନେଇ ସେମାନଙ୍କର କ୍ଳେଶ ଦୂର କରିବାକୁ ଯାଇଛନ୍ତି ମାତ୍ର-। ଏହାଦ୍ୱାରା ଯଦି ଆର୍ଯ୍ୟଧର୍ମର ଗୌରବରେ ଗ୍ଳାନୀ ହୁଏ, ସେପରି ଆର୍ଯ୍ୟଧର୍ମଛତ୍ର ତଳେ ଜୀବନଧାରଣ କରିବା ମଧ୍ୟ ଅନୁଚିତ । ଆପଣ ଆର୍ଯ୍ୟଧର୍ମର ସଂକୀର୍ଣ୍ଣ ଆବିଷ୍ଟନ ମଧ୍ୟରେ ନିଜକୁ ନିକ୍ଷେପ କରି ଏହି ମନୁପୁତ୍ର ସମାଜରେ ନାନା ଭେଦାଭେଦର ସ୍ୱରୂପ ନିର୍ଣ୍ଣୟ କରୁ ଅଛନ୍ତି ତଦ୍ଦ୍ୱାରା ଘୃଣା—ବିକଳ୍ପ ଏବଂ ବିଦ୍ୱେଷ ଆପଣଙ୍କ ଅନ୍ତରରେ ଆଶ୍ରୟ ନେବାକୁ ଯାଉଛନ୍ତି । ତେଣୁ ଋତ ଏବଂ ସତ୍ୟର ବୃହତ୍ତର ପ୍ରଶସ୍ତ ଧର୍ମପ୍ରତି ଅବହିତ ହେବାକୁ ଆପଣଙ୍କର ଅବସର ନାହିଁ । ଧର୍ମର ମୂଲ୍ୟ-ମହତ୍ତ୍ୱ ଆର୍ଯ୍ୟ ଅନାର୍ଯ୍ୟ ଭେଦରେ କିମ୍ବା ଗୋଷ୍ଠୀ ଗୋଷ୍ଠୀ ଭେଦରେ ନିର୍ଣ୍ଣିତ ହୋଇ ନ ପାରେ-। କେବଳ ଆଚରଣର ବିଶୁଦ୍ଧତା ଦ୍ୱାରା ତହିଁର ପ୍ରମାଣ ମିଳେ । ଯେ କୌଣସି ଧର୍ମ ବିଶ୍ୱଧର୍ମରୁ ସ୍ୱତନ୍ତ୍ର ହୋଇ ନ ପାରେ । ପ୍ରତ୍ୟେକ ଧର୍ମ ଏକ ଏବଂ ଅଦ୍ୱିତୀୟ । ଭଗବାନଙ୍କର ବିଭିନ୍ନ ତୋଜାଂଶ ଯୋଗେ ସମୃଦ୍ଧ ।

 

ମର୍ମର ମହାନ୍‌ ବିଶ୍ୱବ୍ୟାପକ ଋତ ପ୍ରତି ଅବହିତ ହୁଅନ୍ତୁ, ଦେଖିବେ, ସମଗ୍ରଭାବରେ ବିଶ୍ୱଧର୍ମ ହିଁ ଆର୍ଯ୍ୟଧର୍ମ ଅଟେ । ବିଶ୍ୱ ଋତର ଆଦ୍ୟ ସତ୍ୟ ପ୍ରକାଶ, ‘ବସୁଧୈବ କୁଟମ୍ବକଂ ।’

 

କହୁଁ କହୁଁ ପର୍ଶୁରାମଙ୍କର ସମଗ୍ର ଶରୀର ଦୀପ୍ତି ଉଦ୍‌ଭାସିତ ହୋଇ ଉଠିଲା । ଚକ୍ଷୁଦ୍ୱୟରୁ ଉଜ୍ଜ୍ୱଳ ଜ୍ୟୋତିରଶ୍ମି ନିର୍ଗତ ହେଲା । ଜମଦଗ୍ନି କାଷ୍ଠପିତୁଳା ସଦୃଶ ନୀରବ ।

 

ପର୍ଶୁରାମ ପୁଣି ଆରମ୍ଭ କଲେ, ‘ବର୍ତ୍ତମାନ ମାତାଙ୍କ ପ୍ରାଣ ସଂହାର ନିମନ୍ତେ ଆପଣ ଯେପରି ସଂକଳ୍ପବଦ୍ଧ, ମୁଁ ଆପଣଙ୍କ ଅଧମ ପୁତ୍ରଭାବରେ ଆପଣଙ୍କ ଆଦେଶ ପାଳନ କରିବାକୁ ସେହିପରି କୃତନିଶ୍ଚୟ । ଏହାର ବ୍ୟତିକ୍ରମ ଆପଣଙ୍କ ପକ୍ଷରେ ଏବଂ ମୋ ପକ୍ଷରେ ସତ୍ୟର ଲଙ୍ଘନ ହେବ । ମାତ୍ର, ମୁଁ ଜାଣିପାରେକି, ଆପଣ ସ୍ୱହସ୍ତରେ କିମ୍ବା ଅପର କୌଣସି ବ୍ୟକ୍ତିଦ୍ୱାରା ତାହା ନ କରାଇ ଏପରି ନିର୍ମମ କାର୍ଯ୍ୟପାଇଁ କିପରି ଗର୍ଭଜାତ ପୁତ୍ରମାନଙ୍କୁ ଆଦେଶ ଦେବା ସମିଚୀନ ମନେକଲେ ? ଏହା କଣ ଏ ସ୍ନେହ ପାଳିତ ପୁତ୍ରମାନଙ୍କ ପ୍ରତି ଜନକଙ୍କର ଅକାରଣ ଅଭିସମ୍ପାତ ନୁହେଁ କି ? ଗର୍ଭଧାରଣୀ—ସ୍ୱାର୍ଗାଦପି ଗରୀୟସୀ, ପୂଜନୀୟା ଜନନୀର ଶିରଛେଦନ କରିବ ତାହାର ବାତ୍ସଲ୍ୟ ମମତାସିକ୍ତ ପୁତ୍ର । ଏହାଠାରୁ ବଳି ଅଧିକ କିଛି ଭୟାବହ, ମର୍ମନ୍ତୁଦ କାର୍ଯ୍ୟ ଥାଇ ପାରେକି ? ବୋଧହୁଏ ବସୁମାତା ବକ୍ଷରେ ସର୍ବପ୍ରଥମେ ଆଜି ଏହି ନିଷ୍ଠୁର ନାରକୀୟ ଅଭିନୟ ଆର୍ଯ୍ୟ ଧର୍ମାଧ୍ୟକ୍ଷ ମହର୍ଷିଙ୍କ ଆଶ୍ରମରେ ତାଙ୍କ ଆଦେଶ ବଳରେ ତାଙ୍କ ହତଭାଗ୍ୟ ପୁତ୍ରଦ୍ୱାରା ଅଭିନୀତ ହେବ ।’

 

‘‘ପିତଃ ! ଏକ ରକ୍ତର ଏକ ପରିବାର ଭୁକ୍ତ ରହି ମଧ୍ୟ ଏକ-ର ଅନ୍ୟପ୍ରତି ପ୍ରାଣଦଣ୍ଡ ବିଧାନ କରିବା ଅଧିକାର କେତେଦୂର ଧର୍ମାନୁମୋଦିତ ହୋଇପାରେ, ତାହା ମୁଁ ବୁଝିବାକୁ ଅକ୍ଷମ । ତଥାପି ମୋତେ ପିତ୍ରାଦେଶ ପାଳନ କରିବାକୁ ହେବ ।’’

 

ଜମଦଗ୍ନି ଏତାବତ୍‌ ଗଭୀର ଚିନ୍ତାମଗ୍ନ ରହିଥିଲେ । ତାଙ୍କର ମୁଖମଣ୍ଡଳ ମଳିନ ଏବଂ ନିଷ୍ପ୍ରଭ ଦେଖାଯାଉଥିଲା । ପର୍ଶୁରାମ ନୀରବ ରହନ୍ତେ ସେ କହିଲେ, ‘‘ବତ୍ସ, ତୁ ମୋର ଆଦେଶ ପାଳନ ପାଇଁ ସ୍ୱୀକାର ଏବଂ ସଂକଳ୍ପ କରିଛୁ, ସର୍ବାନ୍ତଃକରଣରେ ସେଥିପାଇଁ ପ୍ରସ୍ତୁତ ହୋଇଛୁ, ତାହାହିଁ ଯଥେଷ୍ଟ ହୋଇଛି—ତାହାହିଁ କାର୍ଯ୍ୟ ସମାଧାନ କରିବା ସହିତ ସମାନ ହୋଇଛି । ସେଥିପାଇଁ ତୋର ନିର୍ଭୀକ ଜିଜ୍ଞାସା ମୋତେ ବିସ୍ମିତ କରିଛି । ତୁ ମୋର ଉପଯୁକ୍ତ ଯୋଗ୍ୟତା ସଂପନ୍ନ ପୁତ୍ର ଭାବରେ ମୋ ପ୍ରତି ତୋ କର୍ତ୍ତବ୍ୟରେ ଯେଉଁ ଅଟଳ ସଂକଳ୍ପ ବରଣ କରି ନେଇଛୁ ତାହା ମୁଁ ପ୍ରାଣେ ପ୍ରାଣେ ଅନୁଭବ କରିପାରୁଛି । ସେଥିଯୋଗୁଁ ମୋ ଅନ୍ତରରେ ତୋ ପ୍ରତି ସ୍ନେହାଶୀର୍ବାଦ ଉଚ୍ଛ୍ୱସିତ ହୋଇଉଠିଛି । ଆଉ ମଧ୍ୟ, ତୋର ମାତୃପ୍ରାଣତାର ଗୌରବ ଅତୁଳନୀୟ-। ତହିଁର ପୁରସ୍କାର ସ୍ୱରୂପ—ତୋର ମାତାଙ୍କ ଜୀବନ ସୁରକ୍ଷିତ ହେଉ, ମୁଁ ଏହି ଆଶୀର୍ବାଦ କରିଛି-।’’

 

କହୁଁ କହୁଁ ଜମଦଗ୍ନିଙ୍କ ଚକ୍ଷରୁ ଦୁଇଧାର ଲୋତକ ଝରିପଡ଼ିଲା । ସେ ଆନତ ବଦନରେ ଦୀର୍ଘଶ୍ୱାସ ତ୍ୟାଗ କଲେ । ପର୍ଶୁରାମ ପିତାଙ୍କ ଚରଣତଳେ ପଡ଼ି ଗଦ୍‌ ଗଦ କଣ୍ଠରେ କହିଲେ, ‘‘ଆପଣଙ୍କର ଏହି ସୁମହତ ଅସୀମ ଦୟା ନିମନ୍ତେ ଏ ଅଧମ ପୁତ୍ର ନିଜକୁ ଭାଗ୍ୟବାନ ମନେ କରୁଛି । କିନ୍ତୁ ମୁଁ ହୃଦୟ ଆବେଗରେ ଅନେକ କଥା କହି ପକାଇଛି—ନିଜର ଅଧିକାର ବହିର୍ଭୂତ କାର୍ଯ୍ୟ କରିଛି । ତଥାପି ଆପଣ ସ୍ୱକୀୟ ଉଦାର ଗୁଣରେ ମୋତେ କ୍ଷମା ଦେଇଛନ୍ତି । ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି ।

 

ଜମଦଗ୍ନି ପର୍ଶୁରାମ ମସ୍ତକରେ ସସ୍ନେହ କରସ୍ପର୍ଶ ଦେଇ କହିଲେ—‘ବତ୍ସ ! ଯାଅ—ଆନନ୍ଦରେ ଯାଅ । ମୋ ମନରେ କୌଣସି ଦ୍ୱିଧାନାହିଁ । ମୁଁ ମଧ୍ୟ ଆଜି ନିଜ ପୁତ୍ରର ଏପରି ମହାନ୍‌ ପ୍ରତିଭା ସନ୍ଦର୍ଶନରେ ଏତେଦୂର ମୁଗ୍‌ଧ ଏବଂ ପ୍ରୀତ ହୋଇଛି ଯେ ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି ।

 

ପର୍ଶୁରାମ ଦଣ୍ଡାୟମାନ ହୋଇ ଅନନ୍ତ ଆକାଶ ପ୍ରତି ଦୃଷ୍ଟି ନିକ୍ଷେପ କଲେ । ତାଙ୍କ କପାଳରେଖା କୁଞ୍ଚିତ ହୋଇ ଆସିଲା ।ହଠାତ୍ ମନରେ ଭାବାନ୍ତର ଉଦିତ ହେଲା । ସେ ବୀର ଦର୍ପରେ କୁଠାରେ ହସ୍ତଗତ କରି କହିଲେ—‘ପିତୃଦେବ ! ମୁଁ ମହାନୁଭବଙ୍କର ସ୍ନେହାଶୀଷ ଲାଭକରି କୃତାର୍ଥ ହୋଇଛି—ମୋ ଜୀବନରେ ଏହାଠାରୁ ବଳି ଅଧିକ ସାର୍ଥକତା ଥାଇ ନ ପାରେ । ମାତ୍ର ଜଗତବାସୀ ନ କହନ୍ତୁ ଯେ ‘ଭୃଗୁନନ୍ଦନ—ବରିଷ୍ଠ ଆର୍ଯ୍ୟ ମହର୍ଷି ସତ୍ୟଲଂଘନ କରିବାକୁ ଗଲେ ।’ ଏ ନିନ୍ଦା—ବଂଶମର୍ଯ୍ୟାଦା ପ୍ରତି ଏ ଅବମାନନା, ପବିତ୍ର ଆର୍ଯ୍ୟଧର୍ମର ନିର୍ମଳ ଗୌରବ ପ୍ରତି ଏ ମହାଘୋର ଲାଞ୍ଛନା ମୋ ପକ୍ଷରେ କଠୋର ଅସହ୍ୟ ହେବ । ବରଂ ଏ ଅଧମ ପୁତ୍ର ମାତୃହତ୍ୟାର କଳଙ୍କିତ ପ୍ରାଣନେଇ ରସାତଳକୁ ଯିବା ତାହା ଅପେକ୍ଷା ଗୁରୁତର ନୁହେଁ । ଆପଣ ନିଜର ମହର୍ଷି ସୁଲଭ ଉଦାର ଗୁଣରେ ମାତାଙ୍କ ପ୍ରାଣଦଣ୍ଡ ବିଧାନ ରହିତ କରଅଛନ୍ତି । ମାତ୍ର ମୁଁ ଆପଣଙ୍କ ଆଦେଶ ମାତ୍ରେ ଏ କାର୍ଯ୍ୟର ସମାଧାନ ନିମନ୍ତେ ଯେଉଁ ସଂକଳ୍ପ ଏବଂ ପ୍ରତିଶ୍ରୁତିରେ ଆବଦ୍ଧ ଅଛି, ମୋତେ ତାହା ସମ୍ପନ୍ନ କରିବାକୁ ଦିଅନ୍ତୁ ।’’

 

କହୁ କହୁ ପର୍ଶୁରାମଙ୍କ ମୁଖମଣ୍ଡଳ ଏକ ଦୃଢ଼ତା ବ୍ୟଞ୍ଜକ ଦୀପ୍ତିରେ ଝଲସି ଉଠିଲା । ସେ ଗଗନ ମଣ୍ଡଳକୁ ତୀବ୍ର ଦୃଷ୍ଟିରେ ନିରୀକ୍ଷଣ କରି ଯୁକ୍ତ ହସ୍ତରେ ଗମ୍ଭୀର ସ୍ୱରରେ କହିଲେ, ‘‘ଧୀୟୋ ଯୋନଃ ପ୍ରଚୋଦୟାତ୍‌’’ ହେ ବିଶ୍ୱରୁତ ସବିତାର ଦେବ ! ଆଜି ଏ ପବିତ୍ର ଆଶ୍ରମବାସୀମାନଙ୍କ ହୃଦୟରେ ଯେତେଯେତେ ସଂକଳ୍ପ ବିକଳ୍ପର ଛାୟାପାତ ହୋଇଛି, ସେ ସମସ୍ତ କେବଳ ଆପଣ ପ୍ରଚୋଦନାର କାରଣ । ନିର୍ଦ୍ଦୋଷ ନିରପରାଧ ଭୃଗୁ ବଂଶ ପ୍ରତି ଏହା ଆପଣଙ୍କର ଏକ ଅକାରଣ ଅଭିଶାପ ରୂପେ ମୋ ଦୃଷ୍ଟି ସମ୍ମୁଖରେ ନାଚି ଉଠୁଛି । କାଳେ କାଳେ ମଧ୍ୟ ଏହା ବିଶ୍ୱବାସୀ ମୁକ୍ତ କଣ୍ଠରେ ଘୋଷଣା କରିବେ । ଆପଣଙ୍କ ମଙ୍ଗଳ ଇଚ୍ଛା ପୂର୍ଣ୍ଣ ହେଉ । ମାତୃହନ୍ତା ନାରକୀ ପର୍ଶୁରାମ ଏକାଧାରରେ ମାତୃପଦାଙ୍କ ଅନୁସରଣ କରି ଧରାପୃଷ୍ଠରୁ ନିଶ୍ଚିହ୍ନ ହେଉ ।’’ କହୁ କହୁ କୁଠାର ଉତ୍ତୋଳନ କରି ମାତୃହତ୍ୟା ଉଦ୍ଦେଶ୍ୟରେ ଅଗ୍ରସର ହେଲେ ।

 

ସହସା ଏକ ବିଦ୍ୟୁତ ଝଲକ ଉର୍ଦ୍ଧ୍ୱଦେଶରୁ ପ୍ରବାହିତ ହୋଇ ରେଣୁକା ଏବଂ ପର୍ଶୁରାମଙ୍କୁ ସମଗ୍ର ଭାବରେ ଆଚ୍ଛାଦନ କରି ପକାଇଲା । ପର୍ଶୁରାମ କ୍ଷିପ୍ର ତେଜରେ ମାତୃଶିର ଛେଦନ କଲେ । ସଙ୍ଗେ ସଙ୍ଗେ କୁଠାର ଉତ୍ତୋଳନ କରି ନିଜ ଗଳାପ୍ରତି ଲକ୍ଷ୍ୟ କରିବା ସମୟରେ ଆଶ୍ଚର୍ଯ୍ୟ ଭାବରେ କୁଠାର ହସ୍ତଚ୍ୟୁତ ହୋଇ ଦୂରରେ ନିକ୍ଷିପ୍ତ ହେଲା । ପର୍ଶୁରାମ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଚାହିଁ ରହିଲେ । ସେ ଦେଖିଲେ–ମାତାଙ୍କ ଶିର ସମ୍ପୂର୍ଣ୍ଣ ଛେଦିତ ହୋଇଥିଲେ ମଧ୍ୟ ଭୂପତିତ ହୋଇନାହିଁ । ଯଥାରୀତିରେ ପୂର୍ବବତ୍‌ ରହିଛି । ଅଧିକନ୍ତୁ ମାତାଙ୍କ ଶରୀର ଦୃଢ଼ ସ୍ତମ୍ଭସଦୃଶ ଦଣ୍ଡାୟମାନ ।

 

ଉପସ୍ଥିତ ସମସ୍ତ ଆଶ୍ରମବାସୀ ବିସ୍ମୟରେ ସ୍ତମ୍ଭୀଭୂତ ହୋଇ ଅପଲକ ଦୃଷ୍ଟିରେ ଚାହିଁ ରହିଲେ । କ୍ଷଣକ ପରେ ସମଗ୍ର ଆକାଶ ମଣ୍ଡଳ ଶତ-ସବିତାରଶ୍ମି ପ୍ରଭାବରେ ଝଲସିତ ହୋଇ ପରକ୍ଷଣରେ ଅନ୍ତର୍ହିତ ହୋଇଗଲା । ଦେଖାଗଲା—ରେଣୁକା ଧିରେ ଧିରେ ଆସି ପର୍ଶୁରାମଙ୍କୁ କୋଳାଗ୍ରତ କରି ଜମଦଗ୍ନିଙ୍କ ନିକଟକୁ ଯାଉଅଛନ୍ତି ଏବଂ ମାତା-ପୁତ୍ର ଦୁହେଁ ତାଙ୍କ ଚରଣତଳେ ସାଷ୍ଟାଙ୍ଗ ପ୍ରଣତି ନିବେଦନ କରି ପଦରେଣୁ ଗ୍ରହଣ କରୁଅଛନ୍ତି ।

Image

 

ସାବିତ୍ରୀ-ସତ୍ୟବାନ

 

ମାନବର ଜାତକ ବା ଜନ୍ମକୋଷ୍ଠୀ ତାହାର ସମଗ୍ର ଜୀବନ କାଳର ଅଦୃଷ୍ଟ ଲିପି । ଜ୍ୟୋତିଷ ବିହିତ ସୂକ୍ଷ୍ମ ସୂତ୍ର ସମୂହ ପ୍ରୟୋଗ ଦ୍ୱାରା ତହିଁରେ ବିଷଦ ସ୍ୱରୂପ ଅବଗତ ହେବା ସମ୍ଭବ ହୁଏ । କେହି କେହି ଯୋଗସିଦ୍ଧ ପୁରୁଷ ମଧ୍ୟ ଦିବ୍ୟ ଦୃଷ୍ଟି ବଳରେ ମାନବର ଭାଗ୍ୟଲିପି ଦେଖିପାରନ୍ତି—ବ୍ୟକ୍ତ କରି ପାରନ୍ତି । କିନ୍ତୁ ନିୟତି ବିଧାନ ବୁଝିପାରିବା ସାଧ୍ୟାତୀତ । ନିୟତି ଇଚ୍ଛାବଶରେ ପ୍ରାରବ୍‌ଧକୁ ଖଣ୍ଡନ କରିପାରନ୍ତି; ଆମୂଳଚୂଳ ପରିବର୍ତ୍ତନ କରି ଦେଇପାରନ୍ତି । ତାହା ପୂର୍ବରୁ ଅବଗତ ହୋଇ ପାରିବା କାହାରି ପକ୍ଷେ ସମ୍ଭବ ନୁହେଁ । ସେପରି ପ୍ରଭାବ ପକାଇବା ନିୟତିର ଜୀବ ପ୍ରତି ପ୍ରୀତି ବା ଅପ୍ରୀତି ଉପରେ ନିର୍ଭର କରେ । ଜୀବର ପୁରୁଷାକାର ଦ୍ୱାରା ଭାଗ୍ୟ ପ୍ରବାହିତ ହୋଇ ପାରିଲେ ମଧ୍ୟ ନିୟତି ସର୍ବୋଚ୍ଚ କର୍ତ୍ତୀ (Topmost authority) ତାହା ଅନ୍ୟଥା କରି ଦେଇ ପାରନ୍ତି । ତେଣୁ ନିୟତି ପ୍ରସନ୍ନ ରହିବାର ମୂଲ୍ୟ ସର୍ବାଧିକ ଅଟେ ।

 

ଏଠାରେ ପୁରୁଷାକାର କଥା ବିଚାର କରାଯାଉ । ତାହା କଣ ଏବଂ ତାହାର ସ୍ୱରୂପ କିପରି ? ଜବର ଯାବତ କର୍ମାଧିକାର ତାହାର ପୁରୁଷାକାର ଅଟେ । ପୁରୁଷାକାର ପ୍ରକାରାନ୍ତରେ ପ୍ରକୃତିର ସ୍ଫୁରଣ ବା ପ୍ରଚୋଦନା ଭିନ୍ନ ଅନ୍ୟ କିଛି ନୁହେଁ । ପୁରୁଷାକାରର ଆତ୍ମଭିମାନ ଏବଂ ଆତ୍ମନିବେଦନ, ଏପରି ଦୁଇଟି ବିଭାବ ବା ସ୍ୱରୂପ ରହିଛି । ବ୍ୟାବହାରିକ ଜୀବନର ମାନବର କର୍ମ ସମୂହ ଅହମିକା ପ୍ରଯୁକ୍ତ ଥାଏ । ଭାଗ୍ୟର ଉନ୍ନତି ନିମନ୍ତେ ଉପଯୁକ୍ତ ଜ୍ଞାନ ଆହରଣ ଦ୍ୱାରା ସେ ଜ୍ଞାନଲବ୍‌ଧ ବିଷୟର ଅନୁଶୀଳନ ଅବା ସାଧନା କରିବାକୁ ଯାଏ, ତେଣୁ ନିଜକୁ ଜ୍ଞାନବାନ୍‌ ମନେକରି ପୁରୁଷାକାରର ପ୍ରତିଷ୍ଠା ଅର୍ଜନ ପ୍ରତି ଅଭିଳଷୀ ହୁଏ । ତାହା ଅହମିକାର ହେତୁ । ତାହା ଭାଗ୍ୟୋଦୟ ପକ୍ଷରେ ପ୍ରଶସ୍ତ ହୋଇପାରେ, ମାତ୍ର ନିୟତିକୁ ପ୍ରଭାବିତ କରିପାରେ ନାହିଁ ।

 

ଜ୍ଞାନ ଏବଂ ସାଧନା ଦ୍ୱାରା ମାନବ ହୃଦୟ କଠୋର ଏବଂ ଗମ୍ଭୀର ହୁଏ । ତେଣୁ ଦିବ୍ୟରଶ୍ମି ସଂପାତ ଦ୍ୱାରା କିମ୍ବା ରସବିଧୌତ ହେଲେ ମଧ୍ୟ ତହିଁର ଉଜ୍ଜ୍ୱଳପ୍ରଭା ସର୍ବାଂଶରେ ଧାରଣ କରିବା ପକ୍ଷେ ସମର୍ଥ ହୁଏ ନାହିଁ । ମାତ୍ର ଜ୍ଞାନ ଏବଂ ସାଧନାର ଭଗ୍ନସ୍ତୂପ ଉପରେ ବିମଳ ଭକ୍ତିପୂତ ତରଳ-ସରଳ ଭାବଧାରାର ବିହିତ ଆସ୍ତରଣ ତାହାକୁ ନବନୀତ ସଦୃଶ ନରମ ଏବଂ ମସୃଣ କରିବା ଯୋଗେ ତହିଁରେ ଦିବ୍ୟରଶ୍ମି ବିମ୍ବିତ ହୋଇପରେ ଏବଂ ରସାପ୍ଳୁତ ହୋଇପାରେ । ଜ୍ଞାନ ଏବଂ ସାଧନା ଆତ୍ମାଭିମାନୀ ପୁରୁଷାକାର । ଯେଉଁଠାରେ ଆତ୍ମାଭିମନ-ଆସ୍ଫାଳନ ଦୂରୀଭୂତ ହୋଇ ମାନବ ଐକାନ୍ତିକ ଭକ୍ତିଭାବରେ ଉଦ୍‌ବୁଦ୍ଧ ହୁଏ, ସେ ନିଜର ପୁରୁଷାର୍ଥକୁ ସ୍ୱୀକାର କରେ ନାହିଁ । ବରଂ ଅଧମ-ଅକ୍ଷମ ଭାବରେ ଆତ୍ମନିବେଦନ କରି ସୁଖୀହୁଏ ।

 

ପୁରୁଷାକାର ପ୍ରଭାବରେ କିପରି ଭାଗ୍ୟର ପରିବର୍ତ୍ତନ ଅବା ପ୍ରାରବ୍‌ଧର ଖଣ୍ଡନ ହୋଇପାରେ ତହିଁରେ ପ୍ରମାଣ ଆଧୁନିକ ସମାଜରେ ବିରଳ ନଥିବ । ଅଧିକନ୍ତୁ ପୁରୁଣା ଶାସ୍ତ୍ରମାନଙ୍କରେ ତହିଁରେ ଭୂରିଭୂରି ପ୍ରମାଣ ରହିଥିବା ଜଣାଯାଏ । ସେଥିମଧ୍ୟରେ ସାବିତ୍ରୀ-ସତ୍ୟବାନ ଉପାଖ୍ୟାନ ଏକ ବିଶିଷ୍ଟ ଅଧ୍ୟାୟ ।

 

ମଦ୍ରଦେଶ ରାଜକୁମାରୀ ସାବିତ୍ରୀଙ୍କର ସତ୍ୟବାନଙ୍କୁ ପତି ରୂପେ ବରଣ କରିବା ପରେ ଦେବର୍ଷି ନାରଦ ଉପସ୍ଥିତ ହୋଇ ସତର୍କବାଣୀ ଶୁଣାଇଥିଲେ, ‘ଆଜିଠାରୁ ଯେଉଁଦିନ ଏକବର୍ଷ ପୂର୍ଣ୍ଣହେବ, ସେହିଦିନ ସତ୍ୟବାନଙ୍କର ମୃତ୍ୟୁ ଅବଶ୍ୟମ୍ଭାବୀ ।

 

ଦେବର୍ଷିଙ୍କର ଏହି ବାଣୀ ଥିଲା ଦିବ୍ୟ ଦର୍ଶନ ଏବଂ ଅଭ୍ରାନ୍ତ ପ୍ରତ୍ୟୟ । ଯେଉଁଦିନ ଏକର୍ବଷ ପୂର୍ଣ୍ଣ ହୁଏ, ସେଦିନ ଜ୍ୟେଷ୍ଠ କୃଷ୍ଣ ଅମାବାସ୍ୟା । ସତ୍ୟବାନ ନିଜର ରାଜ୍ୟଭ୍ରଷ୍ଟ ଏବଂ ବନବାସୀ ଅନ୍ଧ ପିତାମାତାଙ୍କ ଭରଣ ପୋଷଣ ନିମନ୍ତେ ବନରୁ କାଠ କାଟି ଆଣିବାକୁ ଯାଇ ମସ୍ତକରେ ପ୍ରବଳ କୁଠାରଘାତ ଯୋଗେ ଧରାଶାୟୀ ହେଲେ । ସାବିତ୍ରୀ ସ୍ୱାମୀଙ୍କର ରୁଧାରାକ୍ତ ମସ୍ତକ କୋଳରେ ଧରି କିଂକର୍ତ୍ତବ୍ୟ ବିମୂଢ଼ ହୋଇ ପଡ଼ିଲେ । ସହସା ସେଠାରେ ଯମରାଜ ଉପସ୍ଥିତ ହେଲେ ।

 

ଯମରାଜଙ୍କ ଦିବ୍ୟ ଦର୍ଶନରେ ମୁଗ୍‌ଧ ହୋଇ ସାବିତ୍ରୀ ଆଶାୟୀ ହୃଦୟରେ ପ୍ରଶ୍ନ କଲେ–‘ଆପଣ କିଏ ଏବଂ କି ସକାଶେ ଆସିଅଛନ୍ତି ?’

 

ଉତ୍ତର ମଳିଲା—‘ମୁଁ ଧର୍ମରାଜ । ସତ୍ୟବାନଙ୍କର ଆୟୁ ଶେଷ ହୋଇଅଛି । ତେଣୁ ମୁଁ ତାଙ୍କ ଜୀବାତ୍ମାକୁ ନେବାପାଇଁ ଆସିଅଛି ।’

 

ଏ ଉକ୍ତିରେ ସାବିତ୍ରୀ ମର୍ମାହତା ହେଲେ ମଧ୍ୟ ସତୀତ୍ୱର ମହାନ୍‌ ଶୌର୍ଯ୍ୟରେ ତାଙ୍କ ଅନ୍ତର ଉଦ୍‌ଭାସିତ ହୋଇ ଉଠିଲା । ସେ ଧୈର୍ଯ୍ୟର ସହିତ ଅନୁନୟ ବ୍ୟକ୍ତ କଲେ—

 

‘‘ଧର୍ମରାଜଙ୍କୁ ସମ୍ମୁଖରେ ଦର୍ଶନ କରିବା ସୌଭାଗ୍ୟ ଲାଭକରି ମଧ୍ୟ ଏ ହତଭାଗିନୀ ପୂଜ୍ୟ-ପୂଜା ପାଇଁ ସମର୍ଥା ହୋଇ ପାରୁନାହିଁ—ଏଥିପାଇଁ କ୍ଷମାଦେବେ । ମାତ୍ର, ମୁଁ ଜୀବିତା ରହି ସ୍ୱାମୀଙ୍କୁ ଅନ୍ତର ହେବାକୁ ଦେବି କିପରି ?’’

 

ଯମରାଜ ସାବିତ୍ରୀଙ୍କ ମନୋଭାବ ପରିବର୍ତ୍ତନ କରିବା ଚେଷ୍ଟାରେ ବ୍ୟକ୍ତ କଲେ–‘ସାବିତ୍ରୀ, ତୁମେ ଯଥାର୍ଥରେ ପତି ପରାୟଣା ସତୀ ଅଟେ, ଏହା ମୁଁ ଜାଣୁଛି । ତଥାପି ମୋତେ ନିଜର କର୍ତ୍ତବ୍ୟ କରିବାକୁ ହେବ । ମୁଁ ତୁମଠାରେ ଅତ୍ୟନ୍ତ ପ୍ରୀତ ହୋଇଅଛି । ତୁମେ ସ୍ୱାମୀଙ୍କ ପ୍ରସଙ୍ଗ ଭିନ୍ନ ଅନ୍ୟ କୌଣସି ବର ଇଚ୍ଛା କରିପାର—ମୁଁ ଆନନ୍ଦରେ ପ୍ରଦାନ କରିବି ।’

 

ସାବିତ୍ରୀ କହିଲେ—‘ମୋର ଶ୍ୱଶୁର ଦ୍ୟୁମତ୍‌ସେନ ଅନ୍ଧ ଥିବାରୁ ଶତ୍ରୁଦ୍ୱାରା ରାଜ୍ୟଚ୍ୟୁତ ହୋଇଅଛନ୍ତି । ସେ ନିଜର ଚକ୍ଷୁ ଲାଭ ସହିତ ରାଜ୍ୟଲାଭ କରନ୍ତୁ ।’

 

‘ତଥାସ୍ତୁ’ କହି ଯମରାଜ ସତ୍ୟବାନଙ୍କ ପ୍ରତି ଅଗ୍ରସର ହେଲେ । ସାବିତ୍ରୀ ବାଧାଦେଇ ବିନୀତ ଭାବରେ କହିଲେ, ‘ପ୍ରଭୋ ! ଧର୍ମାବତାର ! ଆପଣ ଧର୍ମଦଣ୍ଡ ଧାରଣ କରିଛନ୍ତି, ଯେଉଁ ଧର୍ମବଳରେ ଚରାଚର ବିଶ୍ୱ ପ୍ରତିପାଳିତ । ଅଧୀନା ଆପଣଙ୍କ ବିଶ୍ୱ ଦରବାର ମଧ୍ୟରେ ଆପଣଙ୍କ କୃପାପ୍ରାର୍ଥିନା ଜଣେ ସାମାନ୍ୟ ନାରୀ ହୋଇ ଆତ୍ମସ୍ୱାର୍ଥ ନିମନ୍ତେ କିପରି ଧର୍ମଦଣ୍ଡର ଅବମାନନା ପାଇଁ ନିବେଦନ କରିବି ଜାଣିପାରୁ ନାହିଁ । ମାତ୍ର ଆପଣ ନିଜ ଉକ୍ତିରେ ଏ ଅଧୀନାକୁ ପତିପରାୟଣା ସତୀ ବୋଲି ସ୍ୱୀକାର କରିଛନ୍ତି । ଏ ଅଧମ ନାରୀକୁ ଦୟାକରି ବୁଝାଇ ଦେବେକି, ବର୍ତ୍ତମାନ ପରିସ୍ଥିତିରେ ଜଣେ ପତିପ୍ରାଣା ସତୀର କର୍ତ୍ତବ୍ୟ ଧର୍ମ କଣ ହୋଇପାରେ ଏବଂ ସେହି କର୍ତ୍ତବ୍ୟ ଧର୍ମର ଅନୁମୋଦନ ପାଇଁ ଧର୍ମାନୁଶାସନ କଣ ହେବା ବାଞ୍ଛାନୀୟ ?’

 

ଧର୍ମରାଜ କ୍ଷଣକ ପାଇଁ ଚିନ୍ତାକରି କହିଲେ, ‘ମା ! ବିଚଳିତା ହୁଅନାହିଁ । ମୁଁ ଧର୍ମରାଜ ହେଲେ ମଧ୍ୟ ନିଜେ ସେହି ଧର୍ମର ନିୟମରେ ବନ୍ଧା । ମୋତେ ନିଜର କର୍ତ୍ତବ୍ୟ କରିଯିବାକୁ ଦିଅ । ଇଚ୍ଛାକଲେ—ସତ୍ୟବାନଙ୍କ ଜୀବନ ବ୍ୟତୀତ ଅନ୍ୟ ଯେ କୌଣସି ବର ମାଗିଲେ ମୁଁ ନିଶ୍ଚୟ ଦେଇ ପାରିବି ।’

 

ସାବିତ୍ରୀ ଶୋକୋଚ୍ଛ୍ୱାସ କଣ୍ଠରେ କହିଲେ—‘ମହାନୁଭବ ! ଆପଣ କେବଳ ନିଜର ଅଭୀଷ୍ଟ ସିଦ୍ଧିପାଇଁ ନିଜର କର୍ତ୍ତବ୍ୟ କଥା ବ୍ୟକ୍ତକଲେ । ମାତ୍ର ପତିବ୍ରତା ଧର୍ମ-ସତୀଧର୍ମର କୌଣସି ନିଷ୍ଠାପ୍ରତି ଭ୍ରୂକ୍ଷେପ କଲେନାହିଁ । ଏହା ସ୍ୱୟଂ ଧର୍ମରାଜଙ୍କ ପକ୍ଷରେ କିପରି ବିହିତ ?’

 

ଧର୍ମରାଜ ଟିକିଏ ଅପ୍ରତିଭ ହୋଇ ପ୍ରକାଶ କଲେ—‘ସାବିତ୍ରୀ’ ତୁମର ଅଟଳ ନିଷ୍ଠାଯୋଗେ ମୁଁ ଅତିଶୟ ମୁଗ୍‌ଧ । ମାତ୍ର ତୁମ ତେଜୋଦୀପ୍ତ ପ୍ରଶ୍ନାବଳୀର ଯଥାର୍ଥ ସମାଧାନ କରି ନପାରି ଦୁଃଖିତ ।’

 

ତହୁଁ ସାବିତ୍ରୀ ଦୀର୍ଘଶ୍ୱାସ ତ୍ୟାଗକରି କହିଲେ—‘ପ୍ରଭୋ ! କ୍ଷମା କରିବେ । ଏ ଛାର ନାରୀ ଯେ ଧର୍ମରାଜଙ୍କ ଦୁଃଖିତ ହେବାର କାରଣ ହୋଇ ପାରିବ, ଏହା ମୋର ଧାରଣାର ଅତୀତ ଥିଲା । ଆପଣ ସେପରି ଦୁଃଖ ମନରୁ ଦୂରକରି ନିଜର ସ୍ୱାର୍ଥସିଦ୍ଧି ନିମନ୍ତେ ବ୍ରତୀ ହୋଇ ପାରନ୍ତି । ମାତ୍ର ଆପଣ ଏହି ପୂର୍ବକ୍ଷଣରେ ଅଙ୍ଗୀକାର କରିଥିବା ବର ମୋତେ ଦୟାକରି ପ୍ରଦାନ କରନ୍ତୁ ।

 

‘‘ବର ପ୍ରାର୍ଥନା କର’’—ଧର୍ମରାଜ ବ୍ୟକ୍ତ କଲେ ।

 

ସାବିତ୍ରୀ କୃତାଞ୍ଜଳୀ ପୁଟରେ ଜଣାଇଲେ—‘‘ମୁଁ ଶତ ପୁତ୍ରର ଜନନୀ ହେବାକୁ ପ୍ରାର୍ଥନା କରେ । ଦୟାକରି ନିରାଶ କରନ୍ତୁ ନାହିଁ ।’’

 

ଧର୍ମରାଜ ‘ତଥାସ୍ତୁ’ କହି ଅଗ୍ରସର ହେଲେ ।

 

ସାବିତ୍ରୀ ଗଦ୍‌ଗଦ ହୋଇ ତେଜୋଦୀପ୍ତ କଣ୍ଠରେ ଅନୁଯୋଗ କଲେ—‘‘ପ୍ରଭୋ ! ଧର୍ମରାଜ ! ଏ ଧଅୀନା ପତିବ୍ରତା-ସତୀ । ସ୍ୱାମୀ ବିନା ଶତପୁତ୍ରର ଜନନୀ ହେବା କିପରି ସମ୍ଭବ ହୋଇପାରେ ତାହା ଅଧୀନାକୁ ଉପଦେଶ ଦିଅନ୍ତୁ ।’’

 

ଧର୍ମରାଜ ନିରୁତ୍ତର ରହି ଊର୍ଦ୍ଧ୍ୱକୁ ଦୃଷ୍ଟି ନିକ୍ଷେପ କଲେ । ତତ୍ପରେ ସେ ସାବିତ୍ରୀ ଙ୍କ ମସ୍ତକରେ କରସ୍ପର୍ଶ କରି କହିଲେ—‘‘ମା ସାବିତ୍ରୀ, କି ଆଶୀର୍ବାଦ ତୁମକୁ ଦେବି ? ତୁମର ଗରିଷ୍ଠ ବରିଷ୍ଠ ପତିବ୍ରତ୍ୟ ନିକଟରେ ମୋର ଆଶୀର୍ବାଦ ବିଶେଷ ମୂଲ୍ୟବାନ ନୁହେଁ । ଧର୍ମରାଜଙ୍କର ଧର୍ମଦଣ୍ଡ ଆଜି ସତୀତ୍ୱର ମହାନ୍‌ ପ୍ରତିଭା ନିକଟରେ ଅର୍ଦ୍ଧନମିତ । ପରମ ପୁରୁଷଙ୍କ ଧର୍ମାନୁଶାସନ ସହିତ ତୁମେ ଚିର ଅମର ରହିବ, ଏହା ନିୟତିର ନିର୍ଦ୍ଦେଶ ।’’

 

ମାନବ ଏକାନ୍ତ ଆତ୍ମନିଷ୍ଠ ହେଲେ କେବଳ ଅଦୃଷ୍ଟ ଲିପି କାହିଁକି, ପ୍ରାରବ୍‌ଧ ଯୋଜନା ମଧ୍ୟ ଖଣ୍ଡିତ ହୋଇପାରେ ।

Image

 

Unknown

ସତର୍କ-ଘଣ୍ଟି

 

ମାନବର ଦୈନନ୍ଦିନ କାର୍ଯ୍ୟାବଳୀ ମାଧ୍ୟମରେ ନିୟତିର ପ୍ରେରଣା ତାହାକୁ ଯଥାରୀତି ପରିଚାଳନା କରିଥାଏ । ପରିଣାମ ସମ୍ବନ୍ଧରେ ମାନବ ଆଶାୟୀ ରହେ, ମାତ୍ର ଅନେକ ସମୟରେ ସେ ଅପ୍ରତ୍ୟାଶିତ ଫଳଭୋଗ କରିବାକୁ ପଡ଼େ । ବେଳେ ବେଳେ ତାହାର କାର୍ଯ୍ୟଦ୍ୱାରା ନିୟତି କିପରି ଘଟନା ଚକ୍ରରେ ନାନା ଅସମ୍ଭାବିତ୍‌-ଅଜ୍ଞାତ ଫଳ ଉପୁଜିତ କରାଏ ତାହା ମାନବ ବୁଦ୍ଧିର ଅଗମ୍ୟ । ଏପରିକି, କୌଣସି ସତ୍‌ ଅବା ମହତ୍‌ ଉଦ୍ଦେଶ୍ୟ ଲାଗି କାର୍ଯ୍ୟ କରିବାକୁ ଯାଇ ସମୟେ ସମୟେ ନିତାନ୍ତ ଅସତ୍‌ ଫଳ ପାଇବା କିମ୍ବା ଉପୁଜାଇବା ଏବଂ ଅନୈଚ୍ଛିକ ଓ ଅପ୍ରତ୍ୟାଶିତ ଭାବରେ ଅପରର ଅନିଷ୍ଟର କାରଣ ହୋଇପଡ଼ିବା ଦୃଷ୍ଟାନ୍ତ ମଧ୍ୟ ମିଳିପାରିବ । ନିୟତିର ଗତିବିଧି ମଧ୍ୟରେ ନିହିତ ଗୁଢ଼ ରହସ୍ୟ ଭେଦ କରିବାକୁ ଆମର ଜ୍ୟୋତିର୍ବିଜ୍ଞାନ କେତେକାଂଶରେ ସମର୍ଥ ମନେହୁଏ ।

 

ଇତିହାସ ଯୁଗର କଥା । ସେତେବେଳେ ଗଙ୍ଗବଂଶୀୟ ରାଜାମାନେ ଓଡ଼ିଶାରେ ରାଜତ୍ୱ କରୁଥାନ୍ତି । ଖୋର୍ଦ୍ଧାଠାରେ ରାଜଧାନୀ ଏବଂ ଦୁର୍ଗ ଥାଏ । ଗଜପତି ରାଜା ସପରିବାର ସେହି ଦୂର୍ଗରେ ବାସ କରୁଥାନ୍ତି । ଖୋର୍ଦ୍ଧା ଗଡ଼ର କିୟତ୍‌ଦୂରସ୍ଥ କୌଣସି ଏକ ପଲ୍ଲୀଗ୍ରାମରେ ଜୈନିକ ବ୍ରାହ୍ମଣ ଯୁବକ ବାସ କରୁଥିଲେ । ତାହାଙ୍କର ଦୈବୀ ସାଧନା ଏବଂ ଧର୍ମନିଷ୍ଠା ସମ୍ବନ୍ଧରେ ଅବଗତ ହୋଇ ଗଜପତି ମହାରାଜା ତାହାଙ୍କୁ ନିଜର ସ୍ୱସ୍ତ୍ୟୟନ କାର୍ଯ୍ୟରେ ନିଯୁକ୍ତ କରିବାକୁ ଇଚ୍ଛାକରି ତାଙ୍କ ନିକଟକୁ ସମ୍ବାଦ ଦେଲେ । ବ୍ରାହ୍ମଣ ରାଜ ଅନୁଗ୍ରହପ୍ରାପ୍ତି ଆଶାରେ ଉତ୍‌ଫୁଲ୍ଲିତ ହୋଇ ପରଦିନ ପ୍ରତ୍ୟୁଷରେ ସ୍ନାନାଦି ନିତ୍ୟାଚାର ସମାପନାନ୍ତେ ଆନନ୍ଦରେ ଖୋର୍ଦ୍ଧାଗଡ଼ ଅଭିମୁଖରେ ଯାତ୍ର କଲେ ।

 

ବ୍ରାହ୍ମଣ କିଛି ଦୂର ଯିବାପରେ ଲଟାଜଙ୍ଗଲ ରାସ୍ତାଦେଇ ଯିବାକୁ ହେଲା । ରାସ୍ତା ଅତି ସଂକୀର୍ଣ୍ଣ ଏବଂ ଏକପାଦିଆ ଥିଲା । ବ୍ରାହ୍ମଣ ହଠାତ୍‌ ଏକ ଶୂନ୍ୟବାଣୀ ଶୁଣିବାକୁ ପାଇଲେ–‘‘ସାବଧାନ ! ଆଉ ଅଗ୍ରସର ହେଲେ ତୁମେ ବ୍ରହ୍ମହତ୍ୟାର କାରଣ ହେବ ।’’ ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ସବୁଦିଗକୁ ଲକ୍ଷ୍ୟ କଲେ ମାତ୍ର କାହାକୁ ଦେଖିଲେ ନାହିଁ । ସେ ଜଣେ ନିଭୀକ ସାଧକ ହୋଇଥିବା ଯୋଗୁଁ ଏପରି ଶୂନ୍ୟବାଣୀ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ଯଥାରୀତି ଅଗ୍ରସର ହେଲେ ।

 

ଅଳ୍ପ ଦୂର ଯିବାପରେ ବ୍ରାହ୍ମଣ ଦେଖିଲେ ଗୋଟାଏ କଣ୍ଟା ବୃକ୍ଷର ଡାଳ ଭାଙ୍ଗି ପଡ଼ି ରାସ୍ତା ଅବରୋଧ କରିଛି ! ନିର୍ବିଚାରରେ ସେ ତାହାକୁ ଉଠାଇ ଖୁବ୍‌ ଜୋରରେ ରାସ୍ତାର ଗୋଟିଏ କଡ଼କୁ ଫିଙ୍ଗିଦେଇ ଚାଲିଗଲେ ।

 

ବ୍ରାହ୍ମଣ କଣ୍ଟା ବୃକ୍ଷ ଡାଳଟା ଯେଉଁଠି ଫିଙ୍ଗିଲେ ସେଠାରେ ଗୋଟାଏ ବିଷଧର ସର୍ପ ଖାଦ୍ୟ ଅନ୍ୱେଷଣରେ ରହିଥିଲା । ତା ଉପରେ ଆଘାତ ହେବାରୁ ସେ ଉତ୍‌କ୍ଷିପ୍ତ ହୋଇ ଲଟାଜଙ୍ଗଲ ଭିତରକୁ ପଳାୟନ କଲା । ଅଳ୍ପ ଦୂରରେ ଜଣେ ପ୍ରୌଢ଼ ବ୍ରାହ୍ମଣ ସେଠାରେ ବୁଲି ଫୁଲ-ଫଳ ଆହରଣ କରୁଥିଲେ । ସର୍ପ କ୍ରୋଧରେ ଗର୍ଜନ କରି ତାଙ୍କ ପାଦରେ ଆଘାତ କଲା । ସେ ସଙ୍ଗେ ସଙ୍ଗେ ସେହିଠାରେ ଟଳି ପଡ଼ିଲେ । ବ୍ରହ୍ମହତ୍ୟା ସମ୍ଭାବିତ ହେଲା ।

 

ଇତି ମଧ୍ୟରେ ବ୍ରାହ୍ମଣ ଆଉ ଖଣ୍ଡେ ଦୂର ଚାଲି ଯାଇଥିଲେ । ପୁଣି ଦ୍ୱିତୀୟବାର ପାଇଁ ନିୟତିର ସତର୍କ ଘଣ୍ଟି ବାଜିଉଠିଲା—‘‘ସାବଧାନ ! ଆଉ ଯଦି ଅଗ୍ରସର ହୁଅ ଗୋଟିଏ କ୍ଷୁଦ୍ର ପଲ୍ଲୀ ଗ୍ରାମର ଗରିବ ଅଧିବାସୀମାନେ ସର୍ବସ୍ୱାନ୍ତ ହୋଇଯିବେ ।’’

 

ବ୍ରାହ୍ମଣ ଏଥିରେ ବିସ୍ମିତ ହେଲେ ମଧ୍ୟ ବିଚଳିତ ହେଲେ ନାହିଁ । ଏପରି ଶୂନ୍ୟବାଣୀ ଶୁଣାଯିବା ଅବଶ୍ୟ ବିସ୍ମୟକର । ମାତ୍ର ତାଙ୍କର ଗତିଯୋଗୁଁ ସେପରି ଦୁର୍ଘଟଣା ଘଟିବା ତତୋଽଧିକ ଅସମ୍ଭବ ମନେକରି ଦ୍ରୁତପଦରେ ଗନ୍ତବ୍ୟ ପଥରେ ଚାଲିଲେ ।

 

ଅଳ୍ପଦୂରରେ ଗୋଟିଏ କ୍ଷୁଦ୍ର ପଲ୍ଲୀ ଗ୍ରାମର ସୀମାନ୍ତ ବୃକ୍ଷ ମୂଳରେ କୌଣସି ଦେବୀ ମୂର୍ତ୍ତି ପ୍ରତିଷ୍ଠିତା ଥିଲେ । କେହି ଭକ୍ତ କିମ୍ବା କାମନାଲିପ୍‌ସୁ ଦେବୀଙ୍କ ଆଗରେ ଛୋଟ ମାଟି ଦୀପାଳି ମଧ୍ୟରେ ଘିଅ ବଳିତା ରଖି ଜାଳିଦେଇ ଯାଇଥିଲେ । ସେଥିରୁ ଘିଅର ଆସ୍ୱାଦନ ପାଇବା ନିମନ୍ତେ ଗୋଟାଏ କୁଆ ଚେଷ୍ଟା କରୁଥିଲା । ବ୍ରାହ୍ମଣ ସେ ଦିଗକୁ ଆସୁଥିବା ଦେଖି ନିଜର ନିରାପତ୍ତା ସକାଶେ କୁଆ ସେ ଦୀପାଳିଟା ଥଣ୍ଟରେ ଧରି ସେଠାକୁ ଉଡ଼ିଗଲା । ନିକଟସ୍ଥ ପଲ୍ଲୀଗ୍ରାମର ଗୋଟିଏ ଚାଳ ଉପରେ ତାହା ରଖି ଦିଅନ୍ତେ ଶୁଖିଲା ନଡ଼ା ଛିଆଣି ହୋଇତିବା ଚାଳରେ ନିଆଁଲାଗି ତାହା ପ୍ରଚଣ୍ଡ ବେଗରେ ଜଳି ଉଠିଲା ।

 

ସେତେବେଳେ ପଲ୍ଲୀବାସୀ ପୁରୁଷ ଓ ସ୍ତ୍ରୀମାନେ ନିଜନିଜର ଜୀବିକାର୍ଜନ ପାଇଁ କର୍ମକ୍ଷେତ୍ରକୁ ବାହାରି ଯାଇଥିଲେ । କେବଳ କେତେକ ଛୋଟ ଶିଶୁ ଓ ବାଳକ ବାଳିକା ରହିଥିଲେ ସେମାନେ ଭୀତତ୍ରସ୍ତ ହୋଇ ଖୋଲା ସ୍ଥାନକୁ ପଳାଇଲେ ଏବଂ କାନ୍ଦି କାନ୍ଦି ଚିତ୍କାର କରିବାକୁ ଲାଗିଲେ । ଚାହୁଁ ଚାହୁଁ ସମଗ୍ର ପଲ୍ଲୀଗ୍ରାମଟି ଭସ୍ମସାତ୍‌ ହୋଇଗଲା ।

 

ବ୍ରାହ୍ମଣ ଦ୍ରୁତଗତିରେ ଲକ୍ଷ୍ୟ ପଥର ଚାଲିଛନ୍ତି । ଏପରି ଦୁର୍ଘଟଣା ଘଟିବା ସେ ଜାଣି ପାରି ନାହାନ୍ତି । ଗଜପତି ନବରରେ ଯଥା ସମୟରେ ଉପସ୍ଥିତ ହେବା ପାଇଁ ତାଙ୍କ ମନର ବ୍ୟଗ୍ରତା ତାଙ୍କୁ ଅନ୍ୟ କୌଣସି ବିଷୟ ପ୍ରତି ଲକ୍ଷ୍ୟ କରିବାକୁ ଅବସର ଦେଲାନାହିଁ ।

 

ଖୋର୍ଦ୍ଧାଗଡ଼ ପ୍ରାୟ ନିକଟ ହୋଇ ଆସିଲାଣି । ରାଜଦର୍ଶନ ତଥା ରାଜାନୁଗ୍ରହ ଲାଭରେ ଆଶାନ୍ୱିତ ହୋଇ ବ୍ରାହ୍ମଣ ଦ୍ୱିଗୁଣ ଉତ୍ସାହରେ ଗତି କରୁଛନ୍ତି । ହଠାତ୍‌ ଶୂନ୍ୟବାଣୀ ଶୁଣାଗଲା, ‘‘ସାବଧାନ ! ଆଉ ଅଧିକ ଅଗ୍ରସର ହେଲେ ଗଜପତି ରାଜବଂଶ ଲୋପ ପାଇଯିବ ।’’

 

ଏଥର ବ୍ରାହ୍ମଣ ତଟସ୍ଥ ହୋଇ କିଛି ସମୟ ରହିଗଲେ । ସେ ମନେମନେ ଭାବିଲେ, ଏତେବଡ଼ ଅସମ୍ଭବ କଥା ତାଙ୍କ ଗତି କରିବା ଦ୍ୱାରା କଦାପି ସମ୍ଭବ ହୋଇ ନ ପାରେ । ଆଉ ମଧ୍ୟ ଏପରି ଶୂନ୍ୟବାଣୀ ନିଶ୍ଚୟ କୌଣସି ଭୂତ ପ୍ରେତର ପୈଶାଚିକ ଛଳନା । ଦମ୍ଭ ସଞ୍ଚୟ କରି ସେ ଅଗ୍ରସର ହେଲେ । ଚିନ୍ତିତ ଭାବରେ ଯାଉଯାଉ ରାସ୍ତାଉପରେ ପଡ଼ିଥିବା ପଥରଟାଏ ଝୁଣ୍ଟିପଡ଼ି ପାଦ ଅଙ୍ଗୁଳିରୁ ରକ୍ତସ୍ରାବ ହେଲା । ତହିଁର ଉପଶମ ନିମନ୍ତେ ରାସ୍ତା ପାର୍ଶ୍ୱରେ ଥିବା କୌଣସି ଏକ ବୃକ୍ଷରୁ ଖଣ୍ଡେ ଛୋଟ ଡାଳ ଭାଙ୍ଗି ଆଣି ତହିଁର କ୍ଷୀର କ୍ଷତସ୍ଥାନରେ ଲଗାଇ ସେ ଚାଲିଗଲେ ।

 

ବ୍ରାହ୍ମଣ ଯେଉଁ ଗଛର ଡାଳ ଭାଙ୍ଗିଲେ, ସେ ଗଛର ସେହି ଶାଖାରେ ଗୋଟିଏ ପତଙ୍ଗ ନିଜର ଡିମ୍ବ ଦେବପାଇଁ ଯତ୍ନ କରୁଥିଲା । ଡାଳ ଭାଙ୍ଗିବା ଦ୍ୱାରା ବୃକ୍ଷ ଶାଖା କମ୍ପିତ ହେବାରୁ ସେ ଭୀତତ୍ରସ୍ତ ହୋଇ ଦ୍ରୁତଗତିରେ ସେଠାରୁ ପଳାଇଲା । ଅତି ନିକଟରେ ରାଜନବରର ଫୁଲବଗିଚା । ଗଜପତିଙ୍କ ରାଣୀ ଦାସୀମାନଙ୍କ ଗହଣରେ ସେଠାରେ ବୁଲୁଥିଲେ । ଭୀତତ୍ରସ୍ତ ପତଙ୍ଗ ଉଡ଼ିଯାଇ ଉଦ୍‌ଭ୍ରାନ୍ତ ଭାବରେ ରାଣୀଙ୍କ ନାସାରନ୍ଧ୍ରରେ ପଶିଗଲା ।

 

ରାଣୀ ଫୁଲବଗିଚା ମଧ୍ୟରେ ସୌନ୍ଦର୍ଯ୍ୟ ଏବଂ ସୌରଭ ଉପଭୋଗରେ ଅନ୍ୟମନସ୍କା ଥିଲେ । ଅତର୍କିତ ଭାବରେ ନାସା ରନ୍ଧ୍ରରେ କୀଟ ପ୍ରବେଶ କରିବା ଦ୍ୱାରା ସେ ଭୟରେ ଚିତ୍କାର କରି ମୂର୍ଚ୍ଛିତା ହୋଇପଡ଼ିଲେ । ସେତେବେଳେ ସେ ଗର୍ଭବତୀ ଥିଲେ । ଦାସୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ନବର ମଧ୍ୟକୁ ଘେନିଯାଇ ସେବା ଶୁଶ୍ରୂଷା କରିବାକୁ ଲାଗିଲେ । ବିଜ୍ଞ ଚିକିତ୍ସକମାନଙ୍କୁ ମଧ୍ୟ ଡକାଗଲା । କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଏକ ମୃତ ଶିଶୁପୁତ୍ରର ସ୍ଫଳନରେ ଗର୍ଭପାତ ହୋଇଗଲା । ଗଜପତି ରାଜବଂଶର ଭବିଷ୍ୟତ ଆଶାପ୍ରଦୀପ ସେହିଠାରେ ଲିଭିଗଲା । ସେହିଠାରୁ ରାଣୀ ରୁଗ୍‌ଣା ହୋଇପଡ଼ିଲେ ଏବଂ ତାଙ୍କଠାରେ ଗର୍ଭଧାରଣର ସମ୍ଭାବନା ଆଉ ରହିଲା ନାହିଁ । ଗଜପତିଙ୍କର ଭବିଷ୍ୟତ ବଂଶ ଆଉ କେହି ରହିଲେ ନାହିଁ ।

 

ବ୍ରାହ୍ମଣ ଅଳ୍ପକ୍ଷଣ ମଧ୍ୟରେ ଗଜପତିଙ୍କୁ ସାକ୍ଷାତ୍‌ କରି ବିଶେଷ ସ୍ଫୂର୍ତ୍ତି ଓ ଆଡ଼ମ୍ବର ସହିତ ରାଜ ଆଶୀର୍ବାଦ ଶ୍ଳୋକ ପାଠ କରିବାକୁ ଲାଗିଲେ । ଠିକ୍ ସେହି ସମୟରେ ମହାରାଣୀଙ୍କର ଏପରି ଶୋଚନୀୟ ଦୁର୍ଦ୍ଦଶା ସମ୍ବାଦ ଗଜପତିଙ୍କ ନିକଟରେ ପହଞ୍ଚିଲା । ରାଜା ବ୍ୟଥିତ ଏବଂ ବିବ୍ରତ ହୋଇପଡ଼ିଲେ । ପାର୍ଶ୍ୱଚରମାନେ ମଧ୍ୟ ଅଧିର ହୋଇପଡ଼ିଲେ ।

 

ନିକଟରେ ବସିଥିବା ଗଜପତିଙ୍କର ଜଣେ ଅତି ବିଶ୍ୱସ୍ତ ଲୋକ କହିଉଠିଲେ–‘‘ମହାରାଜ, ଏ ବ୍ରାହ୍ମଣ ମହା ତାନ୍ତ୍ରିକ । ଶୁଣାଯାଏ, ସିଦ୍ଧିପ୍ରାପ୍ତି ପାଇଁ ଏ ମହାଶୟ ଶିଶୁହତ୍ୟା କରିବାକୁ ମଧ୍ୟ କୁଣ୍ଠିତ ନୁହନ୍ତି । ଆଜି ଏଠାକୁ ତାଙ୍କର ଆଗମନ ନିତାନ୍ତ ଅଶୁଭ ସୂଚକ ମନେହୁଏ । ତାହା ମଧ୍ୟ ଏପରି ଦୁର୍ଘଟଣାର କାରଣ ହେବା ବିଚିତ୍ର ନୁହେଁ । ଏହାଙ୍କର ଆଡ଼ମ୍ବରପୂର୍ଣ୍ଣ ଆଶୀର୍ବାଦ ସଦ୍ୟ ବିଷଫଳ ବର୍ଷଣ କରିଛି ।’’

 

କହିବା ଅନାବଶ୍ୟକ ଯେ, ରାଜାଙ୍କର କଠୋର ଦଣ୍ଡାଦେଶ ଯୋଗେ ବ୍ରାହ୍ମଣ ନିଜର ସର୍ବସ୍ୱ ହରାଇ ଦେଶାନ୍ତରରେ ଭିକ୍ଷାବୃତ୍ତି ଅବଲମ୍ବନ କଲେ ।

Image

 

ନିୟତି ନିର୍ଦ୍ଦେଶ

 

ବିଶ୍ୱ ରଙ୍ଗମଞ୍ଚରେ ଅହରହ ସ୍ୱାର୍ଥର ଅଭିନୟ ଚାଲିଛି । ନିଃସ୍ୱାର୍ଥପର ହେବାପାଇଁ ଧର୍ମଶାସ୍ତ୍ରମାନଙ୍କରେ ଯେତେଯେତେ ଉପଦେଶ ରହିଛି, ସେ ସମସ୍ତ ମଧ୍ୟରେ ମହତ୍ତର ସ୍ୱାର୍ଥର ଆକାଂକ୍ଷା ପ୍ରଚ୍ଛନ୍ନ । ଦାନ-ପୁଣ୍ୟ-ପରୋପକାର ପ୍ରଭୃତି ନିଃସ୍ୱାର୍ଥପର କାର୍ଯ୍ୟଯୋଗେ ଜୀବର ଊର୍ଦ୍ଧ୍ୱଗତି ହୁଏ ଏବଂ ଅପାର ବିଭୂତି ଲାଭହୁଏ । ଏପରି ବିଶ୍ୱାସ ନଥିଲେ କେହି ସେପରି କର୍ମରେ ନିଷ୍ଠା ରଖନ୍ତେ କି ନାହିଁ ସନ୍ଦେହ । ଅଧିକନ୍ତୁ, ଯୋଗୀ, ମୁନୀ, ତପୀ, ସାଧକ ପ୍ରଭୃତି ମୋକ୍ଷକାମୀମାନେ ଅଧିକତର ମହତ୍ତର ଈଶ୍ୱର ବିଭୂତି ଲାଭପାଇଁ ଯେଉଁ ନିଷ୍ଠା ଆଚରଣ କରନ୍ତି ତାହାମଧ୍ୟ ସେମାନଙ୍କ ପକ୍ଷରେ ସ୍ୱାର୍ଥପରତା କୁହାଯାଇପାରେ ।

 

ପ୍ରତ୍ୟେକ ବ୍ୟକ୍ତି ନିଜନିଜର ସ୍ୱାର୍ଥପାଇଁ କାର୍ଯ୍ୟ କରିବା ସ୍ୱଭାବସିଦ୍ଧ । ତଥାପି ବ୍ୟକ୍ତିଗତ ସ୍ୱାର୍ଥ ସଂରକ୍ଷଣ ପାଇଁ ଯାହା କରାଯାଏ ତଦ୍ଦ୍ୱାରା ମଧ୍ୟ ଅନାକାଂକ୍ଷିତ ଭାବରେ ଅପରର ସ୍ୱାର୍ଥଲାଭରେ ସହାୟକ ହୋଇଥାଏ । ଟାଟା, ବିରଳା ପ୍ରଭୃତି ବ୍ୟବସାୟୀମାନେ ନିଜନିଜର ସ୍ୱାର୍ଥ ସାଧନ କରିବାକୁ ଯିବାଦ୍ୱାରା ଅଗଣିତ କର୍ମୀ ସେମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ନିଜେ ଉପକୃତ ହେଉଛନ୍ତି । ପ୍ରତ୍ୟେକ ହୃଦୟରେ ସ୍ୱାର୍ଥଲାଭର ଆକାଂକ୍ଷା ପୂରି ରହିଥିବା ଯୋଗୁଁ ମଧ୍ୟେ ମଧ୍ୟେ ପରସ୍ପର ମଧ୍ୟରେ ସଙ୍ଘର୍ଷ ଉପୁଜି ତାହା ସ୍ୱାର୍ଥ-ସଂଗ୍ରାମ ରୂପ ଧାରଣ କରୁଛି ।

 

କିନ୍ତୁ ଆଧ୍ୟାତ୍ମିକ ସ୍ୱାର୍ଥ ପ୍ରୟାସୀ ବ୍ୟକ୍ତିମାନଙ୍କ ମଧ୍ୟରେ ସେପରି ଧରଣର ସ୍ୱାର୍ଥସଂଗ୍ରାମ ଦେଖାଯାଏ ନାହିଁ । ବରଂ ପରସ୍ପର ପ୍ରତି ସ୍ନେହ—ମୈତ୍ରୀଭାବ ଆସେ । ଅଧିକନ୍ତୁ, ସେମାନଙ୍କ ଅଭିପ୍ରେତ ନ ହୋଇଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟ ଅଲକ୍ଷିତ ଭାବରେ ଅନ୍ୟମାନଙ୍କ ଆଧ୍ୟାତ୍ମିକ ସ୍ୱାର୍ଥ ଦେଇଥାଏ । ଆମ ଦେଶରେ ଗୋଟିଏ ପ୍ରବାଦ ଅଛି ଯେ, ଜଣେ କେହି ମୁକ୍ତିପଥଗାମୀ ହୋଇପାରିଲେ ତାହାର ପ୍ରତିଭା ଦ୍ୱାରା ତାହାର ସପ୍ତପୁରୁଷ ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର ପାଇଥାନ୍ତି ।

 

ପ୍ରକୃତ ପକ୍ଷେ ସେତିକି ଯଥେଷ୍ଟ ନୁହେଁ । ଜଣେ ମୋକ୍ଷଧର୍ମୀର କାର୍ଯ୍ୟ ପାରିପାର୍ଶ୍ୱକ ସମାଜକୁ ମଧ୍ୟ ବହୁଭାବରେ ପ୍ରଭାବିତ କରି ଆଧ୍ୟାତ୍ମିକତାର ପ୍ରେରଣା ଦେଇଥାଏ । ପୃଥିବୀର ଜନସଂଖ୍ୟା ତୁଳନାରେ ମହାପୁରୁଷମାନଙ୍କ ସଂଖ୍ୟା ଅତି ନଗଣ୍ୟ ହେଲେ ମଧ୍ୟ ସେହିମାନଙ୍କ ପୁଣ୍ୟପ୍ରତିଭା ଯୋଗେ ପୃଥିବୀର ବାୟୁମଣ୍ଡଳ କାଳେକାଳେ ବିଶୋଧିତ ହୋଇ ଆସୁଅଛି । ଏପରିକି ସେମାନଙ୍କ ଅନବଧାନତା ସତ୍ୱେ ଓ ସୂର୍ଯ୍ୟରଶ୍ମି ସଦୃଶ ସେମାନେ ଜଗତର ବହୁ ଉପକାର ସାଧନ କରିଥାନ୍ତି ।

 

ସ୍ୱାର୍ଥର ମହାଜାଗତିକ ଅଭିପ୍‌ସା ଏବଂ ଅଭିନୟ ମୂଳରେ ନିୟତିର ପ୍ରେରଣା ଏବଂ ନିର୍ଦ୍ଦେଶ ଅଲକ୍ଷ୍ୟରେ—ଅଜ୍ଞାତରେ ରହି କାର୍ଯ୍ୟ କରି ଆସୁଅଛି । ଯାବତୀୟ ଘଟଣା ଏବଂ ତହିଁର ପରିଣତି ନିୟତ ଇଙ୍ଗିତରେ ପରିଚାଳିତ ଏବଂ ସମ୍ଭାବିତ । ଏ ସମ୍ବନ୍ଧରେ ଗୋଟିଏ କୌତୁହଳପୂର୍ଣ୍ଣ ଘଟଣା ଏଠାରେ ଉଲ୍ଲେଖଯୋଗ୍ୟ ମନେହୁଏ ।

 

ପ୍ରାୟ ଶହେ ବର୍ଷ ତଳର କଥା । ଏହା ଏକ ସତ୍ୟ ଘଟଣା ଘଟଣା ସମ୍ପର୍କିତ ବ୍ୟକ୍ତିମାନେ ଆମ ଗାଁର ବାସିନ୍ଦା ଥିଲେ । ସେମାନେ ଅନୁଭବ କରିଥିବା ଘଟଣା ସେମାନଙ୍କ ପୁତ୍ରମାନେ ଅବଗତ ହୋଇଥିଲେ ଏବଂ ସେହି ଦାୟାଦମାନଙ୍କ ଠାରୁ ମୁଁ ଶୁଣିବାକୁ ପାଇଥିଲି ।

 

ପ୍ରତିବର୍ଷ ଅଶ୍ୱିନ କୃଷ୍ଣପକ୍ଷରେ ଗୟାଧାମରେ ପିତୃଶ୍ରାଦ୍ଧ କରିବା ପ୍ରଥା ପ୍ରଚଳିତ ଅଛି । ସେ ସମୟରେ ଦକ୍ଷିଣ-ପୂର୍ବ ରେଲପଥ ପ୍ରଚଳିତ ହୋଇ ନ ଥାଏ । ଆମ ଅଞ୍ଚଳର ଇଚ୍ଛୁକ ବ୍ୟକ୍ତିମାନଙ୍କୁ ପଦବ୍ରଜରେ ରାଣୀଗଞ୍ଜ ପର୍ଯ୍ୟନ୍ତ ଯିବାକୁ ହୁଏ । ସେଠାରୁ ରେଲଗାଡ଼ି ମିଳେ । ତେଣୁ ବଳିଷ୍ଠ ବ୍ୟକ୍ତିମାନେ ହିଁ ସେପରି ଯାତ୍ରା ପାଇଁ କେବଳ ସାହସ କରନ୍ତି ।

 

ଗୟାଶ୍ରାଦ୍ଧ କରିଯିବା ଉଦ୍ଦେଶ୍ୟରେ ଆମ ଗାଁର ଅଠରଜଣ ବ୍ୟକ୍ତି ପଦଯାତ୍ରା ଆରମ୍ଭ କଲେ । ସେତେବେଳେ ବ୍ରିଟିଶ ଶାସନର ପ୍ରଥମ ଅବସ୍ଥା । ପଥ ମଧ୍ୟରେ ଅନେକ ସ୍ଥାନରେ ଯାତ୍ରୀମାନଙ୍କର ଧନ-ଜୀବନ ଲୁଣ୍ଠିତ ହେଉଥାଏ ଏବଂ ହିଂସ୍ର ଶ୍ୱାପଦର ମଧ୍ୟ ଭୟ ରହିଥାଏ । ଅଧିକନ୍ତୁ ବହୁ ଦୂରପଥ ଅତିକ୍ରମ କରିବାକୁ ହୁଏ । ତେଣୁ ସ୍ତ୍ରୀଲୋକମାନେ ପ୍ରାୟ ଯାଇପାରନ୍ତି ନାହିଁ-। ଯେଉଁମାନେ ବା କର୍ତ୍ତବ୍ୟ ସାଧନ ନିମନ୍ତେ ସାହସ ବାନ୍ଧି ଯାଇଥାନ୍ତି ସେମାନଙ୍କ ମଧ୍ୟରୁ ଅତିରିକ୍ତ କାୟକ୍ଳେଶ ଯୋଗେ କେତେକ ରୁଗ୍‌ଣ-ଦୁର୍ବଳ ହୋଇ ବହୁ କଷ୍ଟରେ ଘରକୁ ଫେରନ୍ତି । କେହି କେହି ମଧ୍ୟ ପ ମଧ୍ୟରେ ପ୍ରାଣତ୍ୟାଗ କରନ୍ତି । ତେଣୁ ସେତେବେଳେ ଗୋଟାଏ ପ୍ରବାହ ପ୍ରଚଳିତ ଥିଲେ ଯେ—‘ଯୋ ଗୟା ଗୟା,—ସୋ ଗୟା’ ।

 

କିଛିଦିନ ପଦଯାତ୍ରା ପରେ ଗୟା ଯାତ୍ରୀମାନେ ମେଦିନୀପୁର ଜିଲା ମଧ୍ୟରେ ପ୍ରବେଶ କଲେ । ପକ୍‌କା ସଡ଼କ ଥିଲେ ମଧ୍ୟ ଅଧିକାଂଶ ସ୍ଥଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶ୍ୱାପଦସଙ୍କୁଳ ଜଙ୍ଗଲ ଥାଏ । ଯାତ୍ରୀମାନେ ଆଉ ତିନିଚାରି ମାଇଲ ଯିବା ପରେ ଗୋଟାଏ ବଜାର ଏବଂ ସରକାରୀ ପୋଲିସ ଫାଣ୍ଡି ପଡ଼ିବ । ସେଠାରେ ଯାତ୍ରୀ ବିଶ୍ରାମ ପାଇଁ ଚଟିଘର ମଧ୍ୟ ଥାଏ । ସନ୍ଧ୍ୟା ପୂର୍ବରୁ ସେଠାରେ ପହଞ୍ଚି ରାତିରେ ବିଶ୍ରାମ ନେବା ଲକ୍ଷ୍ୟରେ ଯାତ୍ରୀମାନେ ଚାଲିଥାନ୍ତି ।

 

ଯାତ୍ରୀମାନେ କିଛିବାଟ ଅତିକ୍ରମ କରିବା ପରେ ନିର୍ଦ୍ଦିଷ୍ଟ ବଜାରର ପ୍ରାୟ ଦୁଇମାଇଲ ପୂର୍ବରୁ ଦେଖାଗଲା, ଖଣ୍ଡେ ଦୂରରେ ରାସ୍ତା ଉପରେ ଜଣେ ବିଶାଳକାୟ ଲୋକ ଯେପରି କି ଏହି ଯାତ୍ରୀମାନଙ୍କ ଅପେକ୍ଷାରେ ଠିଆହୋଇ ରହିଛି । ଲୋକଟି ଯେପରି ଅସାଧାରଣ ଦୀର୍ଘକାୟ, ସେହିପରି ବଳିଷ୍ଠ ଏବଂ ଦେଖିବାକୁ ମଧ୍ୟ ଅତ୍ୟନ୍ତ ସୁଶ୍ରୀ । ମୂଲ୍ୟବାନ ପାଟଲୁଗା ପିନ୍ଧିଛି, ଦେଖିଲେ ଯେ କେହି ମନେକରିବ ଯେ, ଲୋକଟି ବେଶ୍‌ ଶିଷ୍ଟ ଏବଂ ସମ୍ଭ୍ରାନ୍ତ ।

 

କ୍ରମେ ଯାତ୍ରୀମାନେ ନିକଟବର୍ତ୍ତୀ ହେଲେ । ସେତେବେଳକୁ ଦିନ ପ୍ରାୟ ଦୁଇତିନି ଘଡ଼ି ବାକୀ ଥାଏ । ଉପରୋକ୍ତ ବ୍ୟକ୍ତି ଭକ୍ତି ଗଦ୍‌ଗଦ ଭାବରେ ହାତଯୋଡ଼ି ଯାତ୍ରୀମାନଙ୍କ ଆଗରେ ସେହି ରାସ୍ତା ଉପରେ ସାଷ୍ଟାଙ୍ଗ ପ୍ରଣତି ଜଣାଇ ପଡ଼ି ରହିଲା । ଏପରିକି, ସେ ସେପରି ଶୋଇ ରହିବା ଦ୍ୱାରା ସମସ୍ତ ରାସ୍ତା ଅବରୋଧ କରିଦେଲା । ଯାତ୍ରୀମାନେ ଥକ୍‌କା ହୋ ଚାହିଁ ରହିଲେ । ସେ ବ୍ୟକ୍ତି ସେହିପରି ଶାୟିତ ଅବସ୍ଥାରେ ଥାଇ ବିନୀତ ଭାବରେ ନିବେଦନ ଜଣାଇଲା–‘ଆପଣମାନେ ଶ୍ରୀଜଗନ୍ନାଥ ଦେଶର ଅଧିବାସୀ, ସାକ୍ଷାତ୍‌ ଜଗନ୍ନାଥ ସ୍ୱରୂପ ଅଟନ୍ତି-। ସୌଭାଗ୍ୟବଳରୁ ମୁଁ ଆଜି ଆପଣମାନଙ୍କ ଦର୍ଶନଲାଭ କରି ଧନ୍ୟହେଲି । ଆପଣମାନେ ପଦରେଣୁ ଦେଇ ଏ ଅଧମକୁ କୃତାର୍ଥ କରନ୍ତୁ ।’

 

ବ୍ରାହ୍ମଣମାନେ ପ୍ରସନ୍ନଚିତ୍ତରେ ଯଥାରୀତି ଆଶୀର୍ବାଦ କରିବା ପରେ ଉକ୍ତ ବ୍ୟକ୍ତି ଉଠି ହାତଯୋଡ଼ି ଜଣାଇଲା, ‘ମୋର ପିତା ଜଣେ ଧର୍ମପ୍ରାଣ ମହାପୁରୁଷ ଥିଲେ । ଗଜବର୍ଷ ସ୍ୱର୍ଗାରୋହଣ କଲେ । ଆଜି ତାଙ୍କର ପ୍ରଥମ ସାମ୍ବତ୍ସରିକ ଶ୍ରାଦ୍ଧଦିବସ । ଦେହ ତ୍ୟାଗ କରିବା ସମୟରେ ସେ ମୋତେ ଉପଦେଶ ଦେଇ ଯାଇଥିଲେ ଯେ, ତାଙ୍କ ସାମ୍ବତ୍ସରିକ ଶ୍ରାଦ୍ଧଦିବସରେ ନିଶ୍ଚୟ ଶ୍ରୀଜଗନ୍ନାଥଙ୍କର କୃପାହେବ । ତାଙ୍କ ଦେଶର ଭକ୍ତ ବ୍ରାହ୍ମଣମାନେ ଅବଶ୍ୟ ଏ ରାସ୍ତାରେ ଦେଖାଯିବେ । ମୁଁ ସେମାନଙ୍କୁ ଅଭ୍ୟଥନା କରି ମୋ କୁଟୀରରେ ଅର୍ଚ୍ଚନା କଲେ ତାହା ତାଙ୍କ ମୁକ୍ତିପଥର ସହାୟକ ହେବ । ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଜଣାଉଛି ଏବଂ ବିନୀତ ଅନୁରୋଧ କରୁଛି—ଆପଣମାନେ ଦୟାକରି ମୋ କୁଟୀରରେ ପଦାର୍ପଣ କରି ମୋତେ କୃତାର୍ଥ କରନ୍ତୁ ଏବଂ ମୋ ସ୍ୱର୍ଗତ ପିତାଙ୍କର ସଦ୍‌ଗତି ବିଧାନରେ ସହାୟକ ହୁଅନ୍ତୁ ।’

 

କହୁଁ କହୁଁ ସେ ବ୍ୟକ୍ତି ବ୍ରାହ୍ମଣମାନଙ୍କ ପାଦରେଣୁ ନେଇ ଶିରରେ ଲଗାଇଲା । ବ୍ରାହ୍ମଣମାନେ ତା’ର ଭକ୍ତିରେ ମୁଗ୍‌ଧ ହୋଇ ତା କଥାରେ ସମ୍ମତି ଜଣାଇଲେ । ରାସ୍ତାକଡ଼ରେ ଅଳ୍ପ ଦୂରରେ ତା’ ଘର ଦେଖାଯାଉଥାଏ । ଯାତ୍ରୀମାନେ ତା ସହିତ ଯାଇ ସେ ଘରେ ଉପସ୍ଥିତ ହେଲେ । ବହୁତଗୁଡ଼ାଏ କୋଠରୀ । ପ୍ରତ୍ୟେକଟି ପ୍ରଶସ୍ତ । ଘର ଆଗରେ ଫାଟକ । ସେଠାରେ ଜଣେ ଦରୱାନଥାଏ । ଘର ଭିତର ପାର୍ଶ୍ୱରେ ଦୁଇଟା ଖଞ୍ଜା । ଗୋଟାଏ ଖଞ୍ଜାରେ ଅଲଗା ଭାବରେ ତାହାର ପରିବାର ରହନ୍ତି । ଦୁଇଖଞ୍ଜା ମଧ୍ୟରେ ଗୋଟାଏ ସୁଦୃଢ଼ ପ୍ରାଚୀର ବ୍ୟବଧାନ ରହିଥାଏ । ଅପର ଖଞ୍ଜାଟି ଅତିଥିଶାଳା ।

 

ଅତିଥିଶାଳାର ଗୋଟିଏ କୋଠରୀ ମଧ୍ୟରେ ଉକ୍ତ ଅଠରଜଣ ବ୍ରାହ୍ମଣ ନିଜ ନିଜର ଗଣ୍ଠିଲି ରଖିବା ପରେ ଗୃହସ୍ୱାମୀ ଦୁଇଟା ଚାକର ନିଯୁକ୍ତ କରି ସେମାନଙ୍କ ପାଦଧୋଇବା ବ୍ୟବସ୍ଥା କରିଦେଲା ଏବଂ ବ୍ରାହ୍ମଣାନଙ୍କ ପ୍ରିୟବସ୍ତୁ ଗଞ୍ଜାଇ ଓ ଭାଙ୍ଗ ଆଣି ଚାକରମାନଙ୍କ ଦ୍ୱାରା ବଟାଇଲା । ବ୍ରାହ୍ମଣମାନେ ଏପରି ସମାଦର ଦେଖି ଆନନ୍ଦରେ ବିଭୋର ହୋଇ ପଡ଼ିଲେ । ନାନା ଗଳ୍ପ ଆମୋଦରେ ମାତିଗଲେ । ଗୃହସ୍ୱାମୀ ଅଧଘଣ୍ଟାକ ପରେ ଆସିବାକୁ କହି ବିଦାୟ ନେଇ ବାହାରିଗଲା ।

 

ବେଳବୁଡ଼ ସୂର୍ଯ୍ୟ ରତ-ରତ ସମୟ । ଜଣେ ବ୍ରାହ୍ମଣ ଖଣ୍ଡେ ଗାମୁଛା ପିନ୍ଧି ବୁଲୁଥିବାବେଳେ ସେ ଘରେ ଥିବା ଗୋଟିଏ ଝରକା ବାହାର ପାଖେ ଗୋଟିଏ ସୁନ୍ଦରୀ କିଶୋରୀ ଠିଆହୋଇ ହସ୍ତ ସଙ୍କେତରେ ତାଙ୍କୁ ଆହ୍ୱାନ କରୁଛି । ବ୍ରାହ୍ମଣ ଝରକା ନିକଟକୁ ଲାଗି ଠିଆହେଲେ-। କିଶୋରୀ ଅନୁଚ୍ଚ ସ୍ୱରରେ କହିଲା, ‘‘ଠାକୁର, ଏ ଗୋଟାଏ ଡକାଏତର ଘର । ଆଉ ଅଧଘଣ୍ଟାକ ପରେ ସେ ତାହାର ଦଳବଳ ଘେନି ଆସି ତୁମ ସମସ୍ତଙ୍କୁ ମାରିଦେବ । ସେ ଫାଟକ ପାଖରେ ଦରୱାନ ଜଗିଛି । କାହାକୁ ବାହାରକୁ ଛାଡ଼ିଦେବ ନାହିଁ । ତୁମ ମଧ୍ୟରୁ ଜଣେ କେହି ଯଦି କୌଶଳରେ ଏଠାରୁ ଖସିଯାଇ ଆଗରେ ଥିବା ପୋଲିସ୍‌ ଫାଣ୍ଡିକୁ ଚାଲିଯିବ, ତେବେ ସମସ୍ତ ବ୍ରାହ୍ମଣ ରକ୍ଷା ପାଇଯିବେ । ଯାଅ, ଚେଷ୍ଟାକର । ବିଳମ୍ବ କରନାହିଁ ।’’ କହୁଁ କହୁଁ କିଶୋରୀଟି ସେହିଠାରେ ଅନ୍ତର୍ଦ୍ଧାନ ହୋଇଗଲା ।

 

ବ୍ରାହ୍ମଣ ସେ କିଶୋରୀକୁ ନିଜର ଇଷ୍ଟ ଆରାଧ୍ୟା ଭୁବନେଶ୍ୱରୀ ଦେବୀ ଏବଂ ଏହା ଦୈବୀବାଣୀ ମନେକରି କାର୍ଯ୍ୟସାଧନ ପାଇଁ ଉପାୟ ଚିନ୍ତାକଲେ । ଅନ୍ୟ କାହାକୁ କିଛି ନକହି ଗୋଟାଏ ପାଣିନୋଟା ଧରି ବାହାରି ପଡ଼ିଲେ । ଫାଟକ ପାଖରେ ଦରଓ୍ୟାନ ଛାଡ଼ିଲା ନାହିଁ । ବ୍ରାହ୍ମଣ ବ୍ୟସ୍ତହୋଇ ତାକୁ ଜଣାଇଲେ ଛାଡ଼ିଦେ । ଦରୱାନ ବ୍ରାହ୍ମଣ କଥାରେ ବିଶ୍ୱାସ କରି ଫାଟକ ଖୋଲିଦେଲା । ବ୍ରାହ୍ମଣ ଏକମୁହଁ । ହୋଇ ଫାଣ୍ଡି ଆଡ଼କୁ ଧାଇଁଲା ।

 

ପ୍ରାୟ ୧୦।୧୫ ମିନିଟ ପରେ ଗୃହସ୍ୱାମୀ ଉପସ୍ଥିତ ହୋଇ ଦେଖିଲେ ଯେ, ଅଠରଜଣ ମଧ୍ୟରୁ ଜଣେ ନାହିଁ । ସଙ୍ଗେ ସଙ୍ଗେ ଦରୱାନ ଠାରୁ ବୁଝିନେଲେ ଯେ, ସେ ଲୋକଟା ଝାଡ଼ାଯିବା ବାହାନାରେ ଧାଇଁ ଧାଇଁ ସେ ଦିଗକୁ ଯାଇଛି । ଗୃହସ୍ୱାମୀ ଦେଖିଲା, ସେ ଲୋକ ନିଶ୍ଚୟ ଯାଇ ଫାଣ୍ଡିରେ ଜଣାଇ ଦେବ ଏବଂ କଥାଟା ଧରା ପଡ଼ିଯିବ । ସେ ନିଜେ କିଛିଦୂର ଧାଇଁ ଯାଇ ଦେଖିଲା ବ୍ରାହ୍ମଣ ଫାଣ୍ଡିଆଡ଼କୁ ଧାଇଁଛି । ବହୁଦୂର ଆଗେଇ ଗଲାଣି—ତାକୁ ଆଉ ଧରିପାରିବା ସମ୍ଭବ ନୁହେଁ-

 

ଗୃହସ୍ୱାମୀ ଶୀଘ୍ର ଘରକୁ ଫେରିଆସି ଅବଶିଷ୍ଟ ସତରଜଣ ବ୍ରାହ୍ମଣଙ୍କୁ ଧକ୍‌କାଦେଇ ସେମାନଙ୍କ ଗଣ୍ଠିଲି ସହିତ ବାହାରକୁ ନିକାଲିଦେଲା ଏବଂ ଉଚ୍ଚ ସ୍ୱରରେ ନାନାପ୍ରକାର ଗାଳିଗୁଲଜ କରି କହିଲା—‘ଶାଲାମାନେ ଆସିଛନ୍ତି ପୋଲାଭୋଜନ ଗିଳିବକୁ । ଶୀଘ୍ର ଏଠାରୁ ଯାଅ । ନୋହିଲେ ମାରି ମାରି ସାବାଡ଼ କରିଦେବି ।’

 

ବ୍ରାହ୍ମଣମାନେ ଭୟ ଓ ବିସ୍ମୟରେ ସେଠାରୁ ବାହାରିଗଲେ । ତାଙ୍କ ମଧ୍ୟରୁ ଜଣେ ଝାଡ଼ା ଯାଇଥିବା ସେମାନେ ଜାଣିଥିଲେ । ପକ୍‌କାରାସ୍ତା ଉପରକୁ ଯାଇ ଦେଖିଲେ କେତେଜଣ ପୋଲିସଙ୍କ ସହିତ ଆସୁଛନ୍ତି ସେ । ପୋଲିସମାନେ ବ୍ରାହ୍ମଣମାନେ ନିରାପଦରେ ଫେରିଥିବା ଦେଖି ସେହିଠାରୁ ଫେରିଗଲେ ଏବଂ ବ୍ରାହ୍ମଣମାନେ ଯାଇ ଚଟୀଘରେ ଆଶ୍ରୟ ନେଲେ ।

Image

 

ଶନିକୋପ

 

ନିୟତିର କାର୍ଯ୍ୟନିର୍ବାହିକା ସମିତିରେ ନଅଜଣ ସଦସ୍ୟ ରହିଛନ୍ତି । ସେମାନଙ୍କୁ ଗ୍ରହ ଆଖ୍ୟା ଦିଆଯାଇଛି । ନିୟତି କର୍ତ୍ତୃତ୍ୱକୁ ପ୍ରଭାବିତ କରିବା ନିମନ୍ତେ ପ୍ରତ୍ୟେକ କ୍ଷମତାସୀନ । ନବଗ୍ରହମାନଙ୍କ ମଧ୍ୟରେ ଶନିଙ୍କୁ ଗ୍ରହରାଜ କୁହାଯାଏ । କାରଣ ସେ ଗ୍ରହମାନଙ୍କ ମଧ୍ୟରେ ବଳିଷ୍ଠ ଏବଂ ଶ୍ରେଷ୍ଠ ଶକ୍ତି ସମ୍ପନ୍ନ ଅଟନ୍ତି । ଅନ୍ୟ ଗ୍ରହମାନେ ଯେ ବଳିଷ୍ଠ ନୁହନ୍ତି—ତାହାନୁହେଁ । ନିଜ ନିଜ କ୍ଷେତ୍ରରେ ବଳବାନ ହେଲେ ମଧ୍ୟ କେତେକ ଗ୍ରହ ଖୁବ୍‌ ଧିର ଏବଂ ଶାନ୍ତ ସ୍ୱଭାବବିଶିଷ୍ଟ ଅଛନ୍ତି । କିନ୍ତୁ ଶନି ସେମାନଙ୍କ ମଧ୍ୟରେ ଅତି ପ୍ରଚଣ୍ଡ କ୍ରୋଧୀ । ତେଣୁ ଗ୍ରହ ପର୍ଯ୍ୟାୟରେ ତାହାଙ୍କୁ ‘ମନ୍ଦ’, ‘ଖଳ’, ଏବଂ କ୍ରୂର ମଧ୍ୟ କୁହାଯାଏ । ନିୟତିର ଅଧିକାଂଶ ନିର୍ମମ ନିଷ୍ଠୁର ବିଧାନ କାର୍ଯ୍ୟକାରୀ କରିବା ନିମନ୍ତେ ସେ ଅଧିକାରୀ ହୋଇଥିଲେ ମଧ୍ୟ ଅସମ୍ଭବ ଭାବରେ ଭଲ ଫଳ ଦେବା ମଧ୍ୟ ତାଙ୍କ ହାତରେ ରହିଛି । ଶନିଙ୍କ କୋପଦୃଷ୍ଟିକୁ ଦେବତାମାନେ ମଧ୍ୟ ଭୟ କରନ୍ତି ।

 

ଦେବଲୋକର ଶିଳ୍ପୀ ବିଶ୍ୱକର୍ମା । ତାଙ୍କର ସଂଜ୍ଞା ଓ ଛାୟା ନାମରେ ଦୁଇଟି ଝିଅ ସୂର୍ଯ୍ୟଦେବଙ୍କୁ ବିବାହ କରିଥିଲେ । ଛାୟାଙ୍କ ଗର୍ଭରୁ ଶନିଙ୍କର ଜନ୍ମ । ସେ ଦେବକୁଳରେ ଜନ୍ମ ହୋଇ ମଧ୍ୟ କୌଣସି ଏକ ଅଶୁଭ କ୍ଷଣରେ ଭୂମିଷ୍ଠ ହୋଇଥିବାରୁ ବଡ଼ ଦୁର୍ଦ୍ଦାନ୍ତ ହେଲେ । ତାଙ୍କ ଦୃଷ୍ଟି ଯାହା ଉପରେ ପଡ଼ିଲା, ସେ ବିପଦ ଭୋଗିଲା । ଆଉ ତାଙ୍କ କୋପ ସମ୍ଭାଳିବା ତ ବହୁ ଦୂରର କଥା । ଦେବତା, ଅସୁର କିମ୍ବା ମନୁଷ୍ୟ କେହିହେଲେ ତାଙ୍କ ପ୍ରଭାବରୁ ବର୍ତ୍ତିପାରିଲେ ନାହିଁ । ତାଙ୍କଠାରେ ଅଭିଳଷିତ ଯୋଗ୍ୟତା ଥିବା ଦେଖି ନିୟତି ତାଙ୍କ ମୁଣ୍ଡରେ ଗ୍ରହରାଜ ଶାଢ଼ୀ ବାନ୍ଧିଦେଲେ ।

 

ଶନିଙ୍କର ନିଷ୍ଠୁର ଆଚରଣରେ ବ୍ୟଥିତ ହୋଇ କିପରି ପୁଅକୁ ଭଲବାଟକୁ ଆଣିବେ, ସୂର୍ଯ୍ୟଦେବ ଏହି ଚିନ୍ତା କରିବାକୁ ଲାଗିଲେ । ଦିନେ ସେ ଶନିଙ୍କୁ ଡକାଇ ସ୍ନେହ ଆଦର ସହିତ କହିଲେ—‘ବାବୁ, ତୁ ଦେବକୁଳରେ ଜନ୍ମଲାଭ କରିଛୁ । ତୋର ବୟସ ହୋଇଗଲାଣି, ତୁ ଆଉ ପିଲାନୋହୁଁ । ବର୍ତ୍ତମାନ ତୋର ବିଦ୍ୟାଧ୍ୟୟନ କରିବାର ଉପଯୁକ୍ତ ସମୟ । ବୃହସ୍ପତି ଆମ ଦେବଲୋକର ଗୁରୁ ଅଟନ୍ତି । ସେ ସବୁଶାସ୍ତ୍ରରେ ସୁପଣ୍ଡିତ । ତୁ ଏବେ ଯାଇ ତାଙ୍କ ନିକଟରେ ଶିକ୍ଷା ଗ୍ରହଣ କରି, ବିଦ୍ୟାଅର୍ଜନ କର । ଭବିଷ୍ୟତରେ ବଡ଼ ପଣ୍ଡିତ ହୋଇ ସୁନାମ ପାଇବୁ । ବୃହସ୍ପତି ବର୍ତ୍ତମାନ ଲୋକାପକାର—ଲୋକଶିକ୍ଷା ନିମିତ୍ତ ବ୍ରାହ୍ମଣ ଦେହ ଧାରଣ କରି ଭୂଲୋକରେ ଅବସ୍ଥାନ କରୁଅଛନ୍ତି । ତୁ ତାଙ୍କ ନିକଟକୁ ଯାଇ ଶିଷ୍ୟତ୍ୱ ଗ୍ରହଣ କର ।

 

ଶନି ପିତାଙ୍କ କଥାରେ ସମ୍ମତ ହୋଇ ପିତାମାତା ଦୁହିଁଙ୍କ ଠାରୁ ବିଦାୟ ନେଇ ଯଥାସ୍ଥାନରେ ଆସି ବୃହସ୍ପତି ପଣ୍ଡିତଙ୍କ ନିକଟରେ ଉପସ୍ଥିତ ହେଲେ । ବୃହସ୍ପତି ଅନେକ ବ୍ରାହ୍ମଣ ଏବଂ ପଣ୍ଡିତମାନଙ୍କ ଗହଣରେ ଶାସ୍ତ୍ର ଉପଦେଶ ଦେଇ ସମୟ ଅତିବାହିତ କରୁଥିଲେ । ଶନି ନିଜର ପ୍ରକୃତ ରୂପକୁ ଗୋପନ କରି ମାନବ ବେଶରେ ବୃହସ୍ପତିଙ୍କ ନିକଟରେ ପହଞ୍ଚିଲେ ।

 

ସେତେବେଳେ ରୂପ-ଗୁଣ ଆଉ ପାଣ୍ଡିତ୍ୟରେ ବୃହସ୍ପତିଙ୍କ ସମାନ ମର୍ତ୍ତ୍ୟରେ ଆଉ କେହି ନ ଥିଲେ । ଚାରିଆଡ଼େ ତାଙ୍କ ନାମରେ ପ୍ରଶଂସା ଶୁଣିବାକୁ ମିଳୁଥିଲା । ସେ ଅତି ନିଷ୍ଠାପର ବ୍ରାହ୍ମଣ ବୋଲି ସର୍ବସାଧାରଣ ତାଙ୍କୁ ଭକ୍ତି ଓ ମାନ୍ୟ କରୁଥିଲେ । ତାଙ୍କ ପାଖରେ ବହୁ ଦୂର ଦୂରାନ୍ତରୁ ଅନେକ ଶିଷ୍ୟ ଆସି ବିଦ୍ୟାଶିକ୍ଷା କରୁଥିଲେ । ସମସ୍ତେ ତାଙ୍କଠାରୁ ସମାନ ସ୍ନେହ ଆଦର ପାଉଥିଲେ । ଶିଷ୍ୟମାନେ ରହିବା ପାଇଁ ସେ କେତେଗୁଡ଼ିଏ ଭଲ ଭଲ ଛାତ୍ରାବାସ ନିର୍ମାଣ କରାଇ ପ୍ରତ୍ୟେକ ଶିଷ୍ୟର ଖାଇବା ପିଇବା ପାଇଁ ସମସ୍ତ ଖର୍ଚ୍ଚ ନିଜେ ବହନ କରୁଥିଲେ । ସେଥିପାଇଁ ସର୍ବତ୍ର ଲୋକ ତାଙ୍କୁ ଧନ୍ୟ ଧନ୍ୟ କହୁଥିଲେ ।

 

ବୃହସ୍ପତି ପଣ୍ଡିତଙ୍କର ଏତେଦୂର ସୁନାମ ଏବଂ ବିଶିଷ୍ଟତା ଥିଲା ଯେ ଶନିଙ୍କ ପକ୍ଷରେ ତାଙ୍କୁ ଚିହ୍ନିପାରିବା ବିଶେଷ ଅସୁବିଧା ହେଲାନାହିଁ । ବୃହସ୍ପତିକୁ ଦେଖିବା ମାତ୍ରେ ଶନି ସାଷ୍ଟାଙ୍ଗ ହୋଇ ତାଙ୍କ ପାଦତଳେ ପ୍ରଣତି ଜଣାଇଲେ । ଶନିଙ୍କର କୋମଳ ବୟସ ଏବଂ କନ୍ଦର୍ପ ସୁନ୍ଦର ରୂପ ଦେଖି ବୃହସ୍ପତି ଏବଂ ତାଙ୍କର ଅନ୍ୟାନ୍ୟ ଶିଷ୍ୟମାନେ ମୁଗ୍‌ଧ ହୋଇଗଲେ । ନିର୍ନିମେଷ ଦୃଷ୍ଟିରେ ସମସ୍ତେ ତାଙ୍କୁ ଚାହିଁ ରହିଲେ । ସେ ଯେ ସୂର୍ଯ୍ୟଦେବଙ୍କ ପୁତ୍ର ଶନି, ଏପରି କପଟ ବେଶରେ ଆସିଛନ୍ତି, ଏହା ବୃହସ୍ପତି ମଧ୍ୟ ଜାଣିପାରିଲେ ନାହିଁ; ଆଉ ଅବା କିଏ ଜାଣନ୍ତା ।

 

ଶନିଙ୍କୁ ଉଠି ଠିଆହେବାକୁ ଆଦେଶ କରି ବୃହସ୍ପତି ପ୍ରଶ୍ନ କଲେ, ‘‘ତୁମ ଘର କେଉଁଠାରେ, କେଉଁ ବଂଶରେ ତୁମର ଜନ୍ମ ଏବଂ ଏଠାକୁ କେଉଁ କାର୍ଯ୍ୟ ଉଦ୍ଦେଶ୍ୟରେ ଆସିଅଛି, ମୋତେ କହ ।

 

ଶନି ଦୁଇହାତ ଯୋଡ଼ି ଅତି ବିନୟରେ କହିଲେ—‘ହେ ପଣ୍ଡିତ ଚୂଡ଼ାମଣି ! ମୁଁ କପିଳ ମହର୍ଷିଙ୍କ ବଂଶରେ ଜାତ ବ୍ରାହ୍ମଣ ସନ୍ତାନ । ମୋର ଉପଯୁକ୍ତ ବୟସ ହୋଇଯିବାରୁ ପିତା ମାତାଙ୍କ ଉପଦେଶ ଅନୁସାରେ ସେମାନଙ୍କ ଅନୁମତି ନେଇ ଆପଣଙ୍କ ନିକଟରେ ବିଦ୍ୟାଧ୍ୟୟନ କରିବାକୁ ଆସିଛି । ମୁଁ ଏହିକ୍ଷଣଠାରୁ ଆପଣଙ୍କୁ ଗୁରୁପଦରେ ବରଣ କଲି । ଦୟାକରି ମୋତେ ଶିଷ୍ୟ ଭାବରେ ଗ୍ରହଣ କଲେ ଚରିତାର୍ଥ ହେବି । ଆପଣଙ୍କଠାରୁ ବ୍ରହ୍ମବିଦ୍ୟା ଶିକ୍ଷାକରି ମୁଁ ଧନ୍ୟହେବି ।

 

ବୃହସ୍ପତି ଶନିଙ୍କ ରୂପ-ଗୁଣ ଆଉ ବିନୟ ବଚନରେ ଅତିଶୟ ପ୍ରୀତ ହୋଇ ତାଙ୍କୁ ଛାତ୍ରାବାସରେ ରଖାଇଲେ ଏବଂ ଅତି ଆଦରରେ ବିଦ୍ୟାଶିକ୍ଷା ଦେଲେ । ଶନିଙ୍କର ବୁଦ୍ଧି ଏତେ ପ୍ରଖର ଥିଲା ଯେ ସେ ବର୍ଷକର ପାଠକୁ ମାସ ଦୁଇଟା ମଧ୍ୟରେ ଆୟତ୍ତ କରିପାରୁଥିଲେ । ଅଳ୍ପଦିନ ମଧ୍ୟରେ ସେ ବେଦ-ବେଦାଙ୍ଗ-ଦର୍ଶନ ପ୍ରଭୃତି ସକଳ ଶାସ୍ତ୍ରରେ ପାରଙ୍ଗମ ହେବା ଦେଖି ବୃହସ୍ପତି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଦିନେ ଶନିଙ୍କୁ ଡାକି କହିଲେ—‘‘ବାବୁ, ତୁମେ ମୋର ଶିଷ୍ୟମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିପାରିଛ, ସମସ୍ତ ଶାସ୍ତ୍ରରେ ସୁପଣ୍ଡିତ ହୋଇଛି—ଏହା ବଡ଼ ଗୌରବର କଥା । ବର୍ତ୍ତମାନ ଆଉ କଣ ଇଚ୍ଛାକର ?’’

 

ଶନି ଗୁରୁଦେବଙ୍କ ପାଦତଳେ, ପ୍ରଣତି ଜଣାଇ କହିଲେ, ‘ଗୁରୁଦେବ ! ଆପଣଙ୍କ ଅସୀମ ଅନୁଗ୍ରହ ଏବଂ ସସ୍ନେହ ଆଶୀର୍ବାଦ ଯୋଗେ ମୋର ମନୋରଥ ସାର୍ଥକ ହୋଇଛି । ଏବେ ଦୟାକରି ମୋତେ ସ୍ୱସ୍ଥାନକୁ ଯିବାପାଇଁ ବିଦାୟ ଦିଅନ୍ତୁ । ମୁଁ ଆପଣଙ୍କ ଠାରୁ ଯେଉଁ ବିଦ୍ୟା ଶିକ୍ଷାକଲି ସେଥିପାଇଁ ଏ ସମଗ୍ର ପୃଥିବୀର ମୂଲ୍ୟ ଦକ୍ଷିଣାସ୍ୱରୂପ ଦେଲେ ମଧ୍ୟ ସମାନ ହେବନାହିଁ । ମୁଁ ଛାର କି ଦକ୍ଷିଣା ଦେଇ ଆପଣଙ୍କଠାରୁ ଋଣମୁକ୍ତ ହେବି, ଦୟାକରି କହନ୍ତୁ ।

 

ବୃହସ୍ପତି ଶନିଙ୍କର ରୂପ, ଗୁଣ, ବୁଦ୍ଧି, ବିଚକ୍ଷଣତା ଦେଖି ତାଙ୍କ ମନରେ ପୂର୍ବରୁ ସନ୍ଦେହ ହୋଇଥିଲା ଯେ ଶନି କଦାପି ମାନବ ନୁହନ୍ତି । କୌଣସି ଦେବତା ନିଶ୍ଚୟ କପଟ ରୂପରେ ଆସିଛନ୍ତି । ବର୍ତ୍ତମାନ ସେ ସନ୍ଦେହ ଅଧିକ ଦୃଢ଼ୀ ଭୂତହେଲା । ସେ ଶନିଙ୍କୁ କହିଲେ—‘ବାବୁ, ତୁମଭଳି ଶିଷ୍ୟ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି । ତୁମ ବିନୟ ଏବଂ ସଦ୍‍ଗୁଣରେ ମୁଁ ଅତ୍ୟନ୍ତ ପ୍ରୀତ ହୋଇଅଛି । ତାହାହିଁ ତୁମର ମୋ ପ୍ରତି ଗୁରୁ ଦକ୍ଷିଣା ପ୍ରଦାନ ମନେକରୁଛି । କିନ୍ତୁ ଗୋଟିଏ କଥା ମୋ ମନରେ ସନ୍ଦେହ ହେଉଛି ଯେ—ତୁମେ କୌଣସି ଛଦ୍ମବେଶୀ ଏଠାରେ ବିଦ୍ୟାଶିକ୍ଷା କରିବାକୁ ଆସିଛ । ତୁମର ପ୍ରକୃତ ପରିଚୟ ଦେଲେ ମୁଁ ସନ୍ତୁଷ୍ଟ ହେବି ।’’

 

ଶ୍ରୀଗୁରୁଙ୍କ ଠାରେ କପଟ ଆଚରଣ କରିବା ଅବିହିତ ମନେକରି ଶନି ନିଜର ପ୍ରକୃତ ପରିଚୟ ଦିଅନ୍ତେ ବୃହସ୍ପତି ନିଜକୁ କୃତାର୍ଥ ମନେକଲେ । କିନ୍ତୁ ପରକ୍ଷଣରେ ଶନିଙ୍କ କ୍ରୂରଦୃଷ୍ଟି କଥା ସ୍ମରଣ କରି ତାଙ୍କ ମନରେ ଆଶଙ୍କା ଜାତହେଲା ।

 

ବୃହସ୍ପତି ଶନିଙ୍କୁ ସମ୍ବୋଧନ କରି କହିଲେ—‘ତୁମର ପ୍ରକୃତ ପରିଚୟ ପାଇଁ ମୁଁ ସନ୍ତୁଷ୍ଟ ହେଲି । ଯଦି ମୋତେ କିଛି ଗୁରୁ ଦକ୍ଷିଣା ଦେବା ତୁମର ଅଭିପ୍ରାୟ ଥାଏ, ତେବେ ମୋତେ ଏତିକି ଦିଅ, ଯେପରି ମୁଁ କୌଣସି କାଳେ ତୁମ ଅଶୁଭ ଦୃଷ୍ଟିରେ ନ ପଡ଼ିବି ।’

 

ଶନି ଏହା ଶୁଣି କିଛି ସମୟ ନୀରବରେ ମୁଖପୋତି ବସି ରହିଲେ । ପରେ କହିଲେ–‘ଗୁରୁଦେବ ! କ୍ଷମା କରିବେ । ମୁଁ ଆପଣଙ୍କ କଥା ପାଳନ କରିବାକୁ କୁଣ୍ଠିତ ହେବିନାହିଁ । ମାତ୍ର ଗୋଟିଏ ଦିନପାଇଁ ଆପଣ ମୋ ଅଶୁଭ ଦୃଷ୍ଟି ଭୋଗ କରିବେ, ଏତିକି ମାଗିନେଉଛି । ଆପଣ ସେତେବେଳେ ମହାସଙ୍କଟରେ ପଡ଼ିପାରନ୍ତି । କିନ୍ତୁ ମୁଁ ନିଜେ ଆପଣଙ୍କୁ ସେଥିରୁ ଉଦ୍ଧାର କରିବି-।’ ଏହାକହି ଶନି ଗୁରୁଦେବଙ୍କ ପଦବନ୍ଦନା କରି ସେଠାରୁ ବିଦାୟ ନେଲେ ।

 

ସେହିଦିନଠାରୁ ବୃହସ୍ପତିଙ୍କ ମନ, ଶନିଦୃଷ୍ଟି କେଉଁଦିନ ପଡ଼ିବ—କଣ ଅନିଷ୍ଟ ହେବ, ଭାବି ଭାବି ଅସ୍ଥିର ହେଉଥାଏ । ସେ ଜ୍ୟୋତିଷ ଗଣନା କରି ନିର୍ଦ୍ଦିଷ୍ଟ ଦିନଟା ଅନୁମାନ କରିନେଲେ-। ସେଦିନ ସକାଳେ ସ୍ନାନାଦି ନିତ୍ୟକର୍ମ ସାରି ଭଗବତ୍‌ ପୂଜା, ଅର୍ଚ୍ଚନା, ସ୍ତୁତିପାଠ ସମାପନାନ୍ତେ ଫୁଲଡ଼ାଲା ଧରି ନିକଟସ୍ଥ ଅରଣ୍ୟ ଉପକଣ୍ଠରେ ଥିବା ଫୁଲବନକୁ ଗଲେ ।

 

ଏହି ସମୟରେ ସେ ଦେଶର ରାଜା ବୀରବାହୁ ସୈନ୍ୟସାମନ୍ତ ଘେନି ଶିକାର କରିବା ଉଦ୍ଦେଶ୍ୟରେ ଆସି ସେହି ଫୁଲ ଉପବନର ଅଦୂରରେ ନିଜର ତମ୍ବୁ ପକାଇ ବିଶ୍ରାମ କଲେ । ସ୍ନେହବଶରେ ସେ ତାଙ୍କର ଗୋଟିଏ ଶିଶୁପୁତ୍ରକୁ ସଙ୍ଗରେ ଆଣିଥିଲେ । ଦୈବାତ୍‌ ଦେଖାଗଲା ଶିଶୁପୁତ୍ରଟି ସୈନ୍ୟମାନଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ଥାଇ ମଧ୍ୟ କିପରି ଆଶ୍ଚର୍ଯ୍ୟ ଭାବରେ କାହାଦ୍ୱାରା ହରଣଚାଳ ହୋଇ ଯାଇଛି । ସମସ୍ତେ ଏଥିରେ ବିଚଳିତ ଏବଂ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ପୁଅର ଅନୁସନ୍ଧାନ ନିମନ୍ତେ ରାଜା ଚାରିଦିଗକୁ ସୈନ୍ୟ ପଠାଇଦେଲେ । ସୈନ୍ୟମାନେ ନାନା ଦୁର୍ଗମ ଅଞ୍ଚଳ, ପାହାଡ଼ଗୁମ୍ଫା ପ୍ରଭୃତି ଖୋଜି ଖୋଜି ନିରାଶ ହୋଇ ଫେରିବା ବାଟରେ ଦେଖିଲେ ଯେ ରାସ୍ତାର ଗୋଟାଏ ଦିଗକୁ ଟୋପା ଟୋପା ରକ୍ତଧାର ଲମ୍ବି ଯାଇଛି ।

 

କାଳେ କେହି ରାଜପୁତ୍ରକୁ ହତ୍ୟା କରିଥିବ, ଏହି ଆଶଙ୍କାରେ ସେହି ରକ୍ତଚିହ୍ନ ଅନୁସରଣ କରି ଚାଲିଲେ । କିଛିଦୂର ଯାଇ ଦେଖିଲେ, ବୃହସ୍ପତି ପଣ୍ଡିତ ଫୁଲଡ଼ାଲା ଧରି ଯାଉଛନ୍ତି ଏବଂ ସେହି ଡାଲାରୁ ଟପ ଟପ ହୋଇ ରକ୍ତ ବହୁଛି । ସେ ପର୍ଯ୍ୟନ୍ତ ବୃହସ୍ପତି ମଧ୍ୟ ଏହା ଜାଣିପାରି ନ ଥିଲେ । ସୈନ୍ୟମାନେ ପଣ୍ଡିତଙ୍କୁ ବାଟ ଓଗାଳି ସମସ୍ତ ବୃତ୍ତାନ୍ତ ଜଣାଇଲେ ଏବଂ ଡାଲାରୁ ରକ୍ତ ପଡ଼ୁଥିବା କାରଣ ପ୍ରଶ୍ନକଲେ । ଫୁଲଡ଼ାଲା ରକ୍ତ ସୁଡ଼ୁବୁଡ଼ୁ ହେବା ଦେଖି ବୃହସ୍ପତି ତଟସ୍ଥ ହୋଇ ବସି ପଡ଼ିଲେ । ସୈନ୍ୟମାନେ ଡାଲାର ଢାଙ୍କୁଣୀ ଖୋଲିଦେଇ ଦେଖନ୍ତି ତ, ରାଜକୁମାରଙ୍କର ମୁଣ୍ଡ ବିହୀନ ଗଣ୍ଡି ତାହା ମଧ୍ୟରେ ଅଛି । ଦେହରେ ଥିବା ସ୍ୱର୍ଣ୍ଣଅଳଙ୍କାରଗୁଡ଼ିକ ମଧ୍ୟ ଠିକ୍ ରହିଛି । ବାଧ୍ୟହୋଇ ସେମାନେ ବୃହସ୍ପତିଙ୍କୁ ଧରିନେଇ ରାଜାଙ୍କ ନିକଟରେ ହାଜର କରାଇଲେ ।

 

ରାଜା ପ୍ରଥମେ ବୃହସ୍ପତି ପଣ୍ଡିତଙ୍କୁ ବନ୍ଦୀ ଅବସ୍ଥାରେ ଦେଖି ସ୍ତମ୍ଭୀଭୂତ ହୋଇଗଲେ । ପରେ ସୈନ୍ୟମାନଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ଏବଂ ନିଜ ସ୍ନେହ ପାଳିତ ଶିଶୁପୁତ୍ରର ଏପରି ଶୋଚନୀୟ ପରିଣାମ ଦେଖି ମୂର୍ଚ୍ଛିତ ପ୍ରାୟ ପଡ଼ିଗଲେ । ଏ ଘଟଣାରେ ଚାରିଆଡ଼େ ଚହଳ ପଡ଼ିଗଲା । ପାତ୍ର-ମନ୍ତ୍ରୀ-ଅମାତ୍ୟମାନେ ଧାଇଁ ଆସିଲେ । ବହୁ କଷ୍ଟରେ ରାଜାଙ୍କୁ ସିଚେତ କରାଇ ନାନା ପ୍ରକାରେ ସାନ୍ତ୍ୱନା ଦେଲେ ।

 

ରାଜା ପ୍ରକୃତିସ୍ଥ ହୋଇ ଧିରଭାବରେ କହିଲେ, ‘ଦେଖ, ଗଲା ପୁତ୍ରତ ଆଉ ଫେରିବ ନାହିଁ । କିନ୍ତୁ ବୃହସ୍ପତି ପଣ୍ଡିତ ଯେ ଏଡ଼େ ନୃଶଂସ କାର୍ଯ୍ୟରେ ଅଭିଯୁକ୍ତ ଏହା ଦେଖି ମୁଁ କଣ କରିବି ଭାବିପାରୁ ନାହିଁ । ମୋର ମୁଣ୍ଡ ଘୂରିଯାଉଛି । ତୁମ୍ଭେମାନେ ଉଚିତ ପ୍ରଣାମ ନେଇ ଦୋଷୀ ପ୍ରତି ଉପଯୁକ୍ତ ଦଣ୍ଡବିଧାନ କର ।’

 

ପାତ୍ରମନ୍ତ୍ରୀ ଅମାତ୍ୟମାନେ ବୃହସ୍ପତି ପଣ୍ଡିତଙ୍କୁ କିପରି ଦୋଷୀ ବୋଲି ମନେକରିବେ ଚିନ୍ତା କରିପାରିଲେ ନାହିଁ । ବୃହସ୍ପତିଙ୍କରୂପ-ଗୁଣ-ପାଣ୍ଡିତ୍ୟ-ଧର୍ମନିଷ୍ଠା, ପରୋକାର କାର୍ଯ୍ୟ ସମସ୍ତେ ଜାଣନ୍ତି । ଲୋକେ ତାଙ୍କ ଦେବତା ପରି ମାନନ୍ତି, ପୂଜା କରନ୍ତି । ସେ ହଜାର ହଜାର ଶିଷ୍ୟଙ୍କୁ ନିଜ ବ୍ୟୟରେ ଖାଦ୍ୟପେୟ, ବାସଗୃହାଦି ଦେଇ ପାଠ ପଢ଼ାଉଛନ୍ତି । ଅନେକ ଦାନ-ପୁଣ୍ୟ ମଧ୍ୟ କରୁଛନ୍ତି-। ସାମାନ୍ୟ ସୁନାଅଳଙ୍କାର ଲୋଭରେ ଏପରି କାର୍ଯ୍ୟ କରିବାକୁ ଯିବା ତାଙ୍କ ପକ୍ଷରେ ଆଦୌ ବିଶ୍ୱାସଯୋଗ୍ୟ ହୋଇ ନ ପାରେ ।

 

ଅଧିକନ୍ତୁ ବୃହସ୍ପତି ଅନେକ ଦୂରରେ ଫୁଲ ଚାଙ୍ଗୁଡ଼ି ଧରି ଫୁଲ ତୋଳୁଥିବା ଲୋକେ ଦେଖିଛନ୍ତି । ତାଙ୍କ ହାତରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା କିମ୍ବା ଏବେ ମଧ୍ୟ ନାହିଁ । ଫୁଳଡ଼ାଲାରେ ମଧ୍ୟ ଗୋଟିଏହେଲେ ଫୁଲ ନାହିଁ, କେବଳ ଏହି କଟା ଗଣ୍ଡିଟି ରହିଛି । ଏତେ ସୈନ୍ୟ ଘେରି ରହିଥିବା ବେଳେ ସେ ଅବା କିପରି କେତେବେଳେ ତା ଭିତରକୁ ପଶି ପିଲାକୁ ଘେନିଆସି ପାରିଲେ, ଏହା ଅଦ୍‌ଭୂତ । ଗଣ୍ଡିଟା ନେଲେ କିନ୍ତୁ ମୁଣ୍ଡ କୁଆଡ଼େ ଗଲା ? ପାତ୍ରମନ୍ତ୍ରୀମାନଙ୍କ ବିଚାରବୁଦ୍ଧି କିଛି ସ୍ଥିର କରି ପାରିଲା ନାହିଁ । ସମସ୍ତେ ଅବାକ୍‌ ହୋଇ ବସିରହିଲେ ।

 

ଏତିକିବେଳେ ବୃହସ୍ପତିଙ୍କର ଶନିଙ୍କ କଥା ମନେ ପଡ଼ିଲା । ସେ ବ୍ୟାକୁଳ ହୋଇ ଶନିଙ୍କ ସ୍ତବ ପାଠକରି ଏ ବିପଦରୁ ରକ୍ଷା କରିବା ନିମନ୍ତେ ବାରମ୍ବାର ପ୍ରାର୍ଥନା କଲେ । ଶନି ତତ୍‌କ୍ଷଣାତ୍‌ ସେଠାରେ ଉପସ୍ଥିତ ହୋଇ ପୂର୍ବରୁ କହିଥିବା ବିଷୟ ଗୁରୁଦେବଙ୍କୁ ସ୍ମରଣ କରାଇ ଦେଲେ । ଶନି ହାତଯୋଡ଼ି ଗୁରୁଙ୍କ ଠାରୁ କ୍ଷମା ମାଗି କହିଲେ, ‘ଗୁରୁଦେବ ! ମୋର ଦୃଷ୍ଟି ଗୋଟିଏ ମାତ୍ର ଦିନ ପଡ଼ିବ ଏବଂ ମୁଁ ନିଜେ ରକ୍ଷା କରିବି, ଏହା ଜଣାଇଥିଲି । ତାହା ଘଟିଗଲା । ଜୀବନରେ ଆଉ ଏପରି ଘଟିବ ନାହିଁ । ଆପଣ ନିଶ୍ଚିନ୍ତ ରହନ୍ତୁ ଏବଂ ମୋତେ କ୍ଷମା କରନ୍ତୁ ।’

 

ତତ୍ପରେ ଶନି ରାଜାଙ୍କୁ ସମ୍ବୋଧନ କରି କହିଲେ, ‘ହେ ରାଜା ! ବ୍ରାହ୍ମଣ, ବ୍ରାହ୍ମଣ କୁଳତିଳକ, ଜ୍ଞାନୀ-ପଣ୍ଡିତ ଏବଂ ଧାର୍ମିକ ପଣରେ ଜଗତରେ ଅଦ୍ୱିତୀୟ ବୋଲି ସମସ୍ତେ ମାନନ୍ତି । ଏପରି ମନ୍ଦକାର୍ଯ୍ୟ କରିବା ତାଙ୍କ ପକ୍ଷରେ ନିତାନ୍ତ ଅସମ୍ଭବ । ସେ କଦାପି ସେପରି କରିନାହାନ୍ତି । ଦେଖ, ତୁମ ଶିଶୁପୁତ୍ର ମରିନାହିଁ, ନିଶ୍ଚିନ୍ତରେ ଅଛି, ତୁମ ଭଣ୍ଡାରଘର ମଧ୍ୟରେ ଶୋଇଛି । ଏସବୁ ଯାହା ଦେଖିଲ, ସବୁ ନିୟତିର ନିର୍ଦ୍ଦେଶ, ଶନିଙ୍କର ମାୟା ।’

 

କହୁଁ କହୁଁ ଶନି ଅନ୍ତର୍ଦ୍ଧାନ ହେଲେ । ସତକୁ ସତ ଭଣ୍ଡାର ଘରୁ ବାହାରି ରାଜକୁମାର ହସି ହସି ସେଠାକୁ ଧାଇଁ ଆସିଲା । ଆଶ୍ଚର୍ଯ୍ୟରେ ସମସ୍ତେ କାଠପିତୁଳା ପରି ରହିଗଲେ । ରାଜା ପୁଅକୁ କୋଳକରି ବୃହସ୍ପତିଙ୍କ ଠାରୁ ଶନିଙ୍କର ପରିଚୟ ଏବଂ ମହିମା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ-। ସେହିଦିନଠାରୁ ରାଜା ଆଉ ରାଣୀ ପ୍ରତି ଶନିବାର ବ୍ରତ, ପୂଜା, ଉପବାସ ବିଧି ପାଳନ କଲେ-

Image

 

ଶନିଦୃଷ୍ଟି

 

ଆଜକାଲି ଭାରତର ପଶ୍ଚିମାଞ୍ଚଳରେ ଥିବା ଗୁଜୁରାଟ ପ୍ରଦେଶକୁ ସେ କାଳରେ ସିନ୍ଧୁଦେଶ କୁହାଯାଉଥିଲା । ସେଥିରେ ବୀରସେନ ନାମକ ରାଜା ରାଜତ୍ୱ କରୁଥିଲେ । କ୍ଷାତ୍ରଗୁଣରେ ସେ ପ୍ରବଳ ପ୍ରତାପଶାଳୀ ହୋଇ ଅନେକ ରାଜ୍ୟ ଜୟ କରିଥିଲେ ଏବଂ ତାଙ୍କ ଅଧୀନରେ ଅନେକ ସାମନ୍ତ ରାଜାଙ୍କୁ ବଶୀଭୂତ କରି ରଖୁଥିଲେ । ବୀରସେନଙ୍କର ରୂପ ଯେପରି ବଳିଷ୍ଠ ଏବଂ ସୁକାନ୍ତ ଥିଲା, ତହୁଁ ବଳି ଥିଲା ତାଙ୍କର ଧର୍ମପ୍ରାଣତା । ତାଙ୍କ ମନ ଅନୁସାରେ ସେ ପାଇଥିଲେ ପରମ ଧର୍ମଶାଳୀ ପତିପରାୟଣା ରାଣୀ ସତ୍ୟବତୀ ।

 

କିଛିଦିନ ବାହ୍ୟ ଶତୃମାନଙ୍କୁ ବିନାଶ କରି ରାଜ୍ୟ ଜୟ କରିବା ଉନ୍ମାଦନା ତାଙ୍କୁ ଘାରିଥିଲା । ମାତ୍ର ଯୁଦ୍ଧରେ ଅଗଣିତ ସୈନ୍ୟଙ୍କ ମୃତ୍ୟୁ ଦେଖି ତାଙ୍କ ହୃଦୟରେ ଭାବାନ୍ତର ଜାତହେଲା । ସେ ରାଜ୍ୟକାର୍ଯ୍ୟର ପରିଚାଳନା ଦାୟିତ୍ୱ ପାତ୍ରମନ୍ତ୍ରୀ ଅମାତ୍ୟମାନଙ୍କ ହସ୍ତରେ ନ୍ୟସ୍ତକରି ନିଜେ ରାଣୀଙ୍କ ସହିତ ସର୍ବଦା ନାନାପ୍ରକାର ଧର୍ମାନୁଷ୍ଠାନ କାର୍ଯ୍ୟରେ ଲିପ୍ତ ରହିଲେ । ତାଙ୍କର ଅଧିକାଂଶ ସମୟ ହୋମ ଦେବପୂଜାଦିଁ କାର୍ଯ୍ୟରେ ଅତିବାହିତ ହେଉଥିଲା । ବ୍ରାହ୍ମଣ ଏବଂ ଦରିଦ୍ରମାନଙ୍କୁ ଡକାଇ ସେ ସର୍ବଦା ଦାନପୁଣ୍ୟ କରିବାରେ ବ୍ରତୀ ଥିଲେ । ପ୍ରତ୍ୟକ କାର୍ଯ୍ୟରେ ରାଣୀ ସତ୍ୟବତୀ ଯଥାର୍ଥ ସହଧର୍ମିଣୀ ଭାବରେ ସ୍ୱାମୀଙ୍କର ସହାୟତା କରୁଥିଲେ ।

 

କ୍ରମେ ବୀରସେନଙ୍କର ପ୍ରତିଭା ଏବଂ ସଦ୍‌ଗୁଣାବଳୀ ଦେଶ ଦେଶାନ୍ତରରେ ଘୋଷିତ ହେଲା । ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ କଲେ । ରାଜ୍ୟର ପ୍ରଜାମାନେ ତାଙ୍କୁ ପିତା ପରି ମନେ କରୁଥିଲେ ଏବଂ ଦେବତା ତୁଲ୍ୟ ଭକ୍ତି କରୁଥିଲେ । ସକଳ ଐଶ୍ୱର୍ଯ୍ୟ ମଧ୍ୟରେ ରାଜା-ରାଣୀଙ୍କର ଅଭାବ ଥିଲା ଗୋଟିଏ, ତାଙ୍କର ସନ୍ତାନ ନ ଥିଲା । ସେଥିପାଇଁ ସେମାନଙ୍କ ମନରେ ଲେଶମାତ୍ର ଚିନ୍ତିତ ଥିଲେ । କୌଣସି ଦୈବଜ୍ଞଙ୍କ ଦ୍ୱାରା ରାଜା-ରାଣୀଙ୍କର କୋଷ୍ଠୀ ଗଣନା କରାଇ ସନ୍ତାନପ୍ରାପ୍ତି ନିମନ୍ତେ ଉପଯୁକ୍ତ ପ୍ରାୟଶ୍ଚିତ ବିଧାନ କରିବାକୁ ସେ ମନସ୍ତ କଲେ ।

 

ମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ଦିନେ ଜଣେ ଜ୍ୟୋତିର୍ବିଦ ପଣ୍ଡିତ ଆସି ରାଜସଭାରେ ଉପସ୍ଥିତ ହେଲେ । ମନ୍ତ୍ରୀ ତାଙ୍କୁ ଡକାଇଥିବା ରାଜା ଜାଣି ନ ଥିଲେ । ତେଣୁ ସେ ପଣ୍ଡିତଙ୍କୁ କିଛି ଧନଦେଇ ବିଦାୟ କରିଦେବାକୁ ଆଦେଶ କଲେ । ମନ୍ତ୍ରୀ ନିଜର ଉଦ୍ଦେଶ୍ୟ ରାଜାଙ୍କୁ ଜଣାଇ ଦେବାରୁ ରାଜା ନୀରବ ରହିଲେ ।

 

ତତ୍ପରେ ପଣ୍ଡିତ ମହାଶୟ ରାଜାଙ୍କ ଜନ୍ମକୋଷ୍ଠୀ ଉପରେ ଆଲୋଚନା ଆରମ୍ଭ କଲେ ଏବଂ ଶେଷରେ ବିନମ୍ର ଭାବରେ କହିଲେ—‘ମହାରାଜ, ଆପଣ ନିଜର ସଦ୍‌ଗୁଣ ଏବଂ ଐଶ୍ୱର୍ଯ୍ୟଯୋଗେ ଉତ୍ତମ ଲୋକପୂଜ୍ୟ ହୋଇଛନ୍ତି—ପ୍ରାତଃ ସ୍ମରଣୀୟ ହୋଇଛନ୍ତି । କିନ୍ତୁ ଦୁଃଖର ସହିତ ଜଣାଉଛି ଯେ ଆପଣଙ୍କ କୋଷ୍ଠୀ ଅନୁସାରେ ଖୁବ୍‌ ନିକଟରେ ଶନିଙ୍କ ପ୍ରଭାବ ଆପଣଙ୍କୁ ଛାରଖାର କରିଦେବ । ସେଥିରୁ ରକ୍ଷା ପାଇବା ନିମନ୍ତେ ଶାସ୍ତ୍ରୋକ୍ତ ବିଧାନ ଅନୁସାରେ ଶନିଶ୍ଚର ମହାଗ୍ରହଙ୍କ ପ୍ରୀତ୍ୟର୍ଥେ ପୂଜା-ହୋମୋଦି ଅନୁଷ୍ଠାନ କରିବା ବିହିତ ଅଟେ ।’

 

ପଣ୍ଡିତଙ୍କ କଥା ରାଜାଙ୍କର ପସନ୍ଦ ହେଲାନାହିଁ । ସେ ଟିକିଏ ବିରକ୍ତି ପ୍ରକାଶ କରି କହିଲେ—‘ଦେଖ ପଣ୍ଡିତେ, ତୁମେ ଯେଉଁ ଶନିଗ୍ରହଙ୍କ ଭୟ ମୋତ ଦେଖାଇଲେ ଆଉ କେବେ ସେପରି କରିବାକୁ ଯିବନାହିଁ । ତୁମେ ଜାଣ, ମୁଁ ନିତ୍ୟ ନିୟମିତ ଦେବାର୍ଚ୍ଚନା, ପୂଜା, ହୋମ ଏବଂ ବ୍ରାହ୍ମଣ ସେବାରେ ବ୍ରତୀ । ଦେବତାମାନେ ସହାୟ ଥିଲେ ଗ୍ରହମାନଙ୍କ କଥା ବିଚାର କରିବା ଅନାବଶ୍ୟକ । ମୁଁ ସେକଥାକୁ ଭୟ କରିବାର କୌଣସି କାରଣ ନାହିଁ । ତୁମେ ବର୍ତ୍ତମାନ ତୁମର ଉପଯୁକ୍ତ ପାରିଶ୍ରମିକ ନେଇ ବିଦାୟ ହୁଅ ।’

 

ମନ୍ତ୍ରୀ ଓ ଅନ୍ୟାନ୍ୟ ପାରିଷଦମାନେ ରାଜାଙ୍କର ଏପରି କଥାରେ ବିସ୍ମିତ ଏବଂ ଦୁଃଖିତ ହେଲେ । ମାତ୍ର କେହି ପ୍ରତିବାଦ କରିବାକୁ ସାହସ କଲେନାହିଁ । ଗଣକ ପଣ୍ଡିତ ହାତଯୋଡ଼ି ବିନୀତ ଭାବରେ ଜଣାଇଲେ ‘‘ମହାରାଜ ! ଗ୍ରହମାନଙ୍କୁ, ବିଶେଷତଃ ଗ୍ରହରାଜ ସୌରୀଙ୍କୁ ଅବମାନନା କରନ୍ତୁ ନାହିଁ । ଆପଣ ମନେକରନ୍ତୁ ନାହିଁ ଯେ ମୁଁ କେବଳ ନିଜର ସ୍ୱାର୍ଥଲାଭ ଅଭିପ୍ରାୟରେ ଏପରି କହୁଛି । ତେଣୁ ମୁଁ ବର୍ତ୍ତମାନ ଆପଣଙ୍କଠାରୁ କୌଣସି ପାରିଶ୍ରମିକ ନେବା ଆଶା କରୁନାହିଁ । କିନ୍ତୁ ମନେରଖନ୍ତୁ, ଗ୍ରହମାନେ ମଧ୍ୟ ଏକ ଏକ ଦେବତା ଏବଂ ମାନବର ଭାଗ୍ୟ ବିଧାନ ପାଇଁ ନିୟତି ଦ୍ୱାରା ଅଧିକାର ପ୍ରାପ୍ତ । ଆପଣ ଇହକାଳର ପୁଣ୍ୟ ପ୍ରଭାବରେ ସ୍ୱର୍ଗ ପର୍ଯ୍ୟନ୍ତ ଜୟକରି ପାରନ୍ତି, ମାତ୍ର ଇହ ଜୀବନକୁ ପ୍ରାରବ୍‌ଧ କବଳରୁ ମୁକ୍ତ କରିବା ସହଜ ନୁହେଁ । ପ୍ରାରବ୍‌ଧ ଭୋଗପକ୍ଷରେ ଗ୍ରହମାନଙ୍କ କର୍ତ୍ତୃତ୍ୱ ଅପରିହାର୍ଯ୍ୟ । ସେମାନଙ୍କୁ ଅବଜ୍ଞା କରନ୍ତୁ ନାହିଁ । ଆପଣ ଜାଣିଥିବେ, ଦେବତାମାନେ ମଧ୍ୟ ଶନିଙ୍କ ପ୍ରଭାବ ଏଡ଼ିପାରି ନାହାନ୍ତି ।’’

 

ରାଜା ଏ କଥାରେ ଅଧିକ ଉତ୍ତ୍ୟକ୍ତ ହୋଇ ପଣ୍ଡିତଙ୍କୁ ସଭାସ୍ଥଳରୁ ବିଦାୟ କରିଦେଲେ ।

 

ଏହାପରେ ଶନିଙ୍କ ଦଶା ଭୋଗ ସମୟ ଆସିଗଲା । ଶନି ନିଜର ଉଦ୍ଦେଶ୍ୟ ସିଦ୍ଧି ପାଇଁ ଛଦ୍ମବେଶରେ ଆସି ରାଜାଙ୍କୁ ଦେଖାକଲେ । ରାଜା ତାଙ୍କର ଧୀମତ୍ତା ଏବଂ ପାଣ୍ଡିତ୍ୟରେ ମୁଗ୍‌ଧ ହୋଇ ତାଙ୍କୁ ନିଜର ପ୍ରଧାନମନ୍ତ୍ରୀ ପଦରେ ରଖିଲେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କ ଉପଦେଶ ଗ୍ରହଣ କଲେ । ପରିଣାମରେ ଶନି କୌଶଳ କ୍ରମେ ପୂର୍ବରୁ ରହିଥିବା ପାତ୍ରମନ୍ତ୍ରୀ ମାନଙ୍କ ପ୍ରତି ରାଜାଙ୍କର ବିରୋଧ ଜନ୍ମାଇ ସମସ୍ତଙ୍କୁ କାର୍ଯ୍ୟରୁ ଅନ୍ତର କରିଦେଲେ । ନୂତନ ମନ୍ତ୍ରୀଙ୍କ ଅତ୍ୟାଚାର, ଉତ୍ପୀଡ଼ନରେ ପ୍ରଜାକୁଳ ହାହାକାର କଲେ । ଏହି ସମୟରେ ଶନିଙ୍କ କୁଚକ୍ର ଯୋଗେ ପ୍ରତବେଶୀ ରାଜ୍ୟର ଯବନ ରାଜା ସିନ୍ଧୁରାଜ୍ୟ ଆକ୍ରମଣ କରି ଛାରଖାର କଲା । ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ । ରାଜା ଓ ରାଣୀ ଆତଙ୍କିତ ହୋଇ ନିର୍ଜନ ଅରଣ୍ୟକୁ ପଳାୟନ କଲେ । ସେମାନଙ୍କ ସହିତ ଏକମାତ୍ର ବିଶ୍ୱସ୍ତ ଭୃତ୍ୟ ସଞ୍ଜୀବ ଏବଂ ରାଣୀଙ୍କର ଜଣେ ଦାସୀ ଥିଲେ ।

 

ନିବିଡ଼ ଜଙ୍ଗଲ ମଧ୍ୟରେ କେବଳ ପତ୍ର ଫଳ-ମୂଳ ଖାଇ ବୁଲୁ ବୁଲୁ ଦିନେ ରାତିରେ କେତେଜଣ ଦସ୍ୟୁ ସେମାନଙ୍କୁ ଲୁଣ୍ଠନ କରି ସର୍ବସ୍ୱ ନେଇଗଲେ ଏବଂ ରାଣୀଙ୍କୁ ଦାସୀ ସହିତ ହରଣ କରି ନେଇଗଲେ । ରାତି ପାହିବାରୁ ରାଜା ବ୍ୟସ୍ତ, ବିଦ୍ରତ ହୋଇ ସଞ୍ଜୟଙ୍କୁ ରାଣୀଙ୍କ ଅନୁସନ୍ଧାନରେ ପଠାଇ ଦେଇ ନିଜେ ଅନ୍ୟ ଏକ ଦିଗରେ ଅନ୍ୱେଷଣ କରିବାକୁ ଗଲେ । ଭାଗ୍ୟ ଦୋଷରେ ଭିନ୍ନ ଭିନ୍ନ ଦିଗରେ ରହି କେହି କାହାକୁ ଦେଖି ପାରିଲେ ନାହିଁ ।

 

ରାଜା ଏହିପରି ଏକବସ୍ତ୍ର ହୋଇ ଭିକ୍ଷା ଅବଲମ୍ବନରେ ନାନା ଦେଶ ବୁଲିବାକୁ ଲାଗିଲେ-। ନିଜର ରାଜ୍ୟ, ଧନ-ସଂପଦ ହରାଇବା ଦ୍ୱାରା ସେ ଯେତେ ବ୍ୟଥିତ ହୋଇ ନ ଥିଲେ ରାଣୀଙ୍କ ବିଚ୍ଛେଦରେ ସେ ଅଧିକ ମୁହ୍ୟମାନ ହୋଇପଡ଼ିଲେ । ତେଣେ ଦସ୍ୟୁମାନେ ରାଣୀ ଓ ତାଙ୍କ ଦାସୀକୁ ନେଇ ତାଙ୍କ ରାଜ୍ୟରେ କିରାତ ରାଜାଙ୍କ ନିକଟରେ ଅର୍ପଣ କଲେ । କିରାତରାଜା ରାଣୀଙ୍କର ଅସାମାନ୍ୟ ରୂପ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ତାଙ୍କୁ ଦେବୀ ସ୍ୱରୂପ ଜ୍ଞାନ କରି ସସମ୍ମାନରେ ରଖାଇଲେ । ଭୃତ୍ୟ ସଞ୍ଜୀବ ରାଜା ଏବଂ ରାଣୀ ଉଭୟଙ୍କୁ ଖୋଜିବାରେ ବ୍ୟସ୍ତ ରହିଲା ।

 

କିଛିଦିପରେ ବୀରସେନ ପାଞ୍ଚାଳ ରାଜ୍ୟରେ ପହଞ୍ଚିଲେ । କିନ୍ତୁ ତାହା ପାଞ୍ଚାଳ ଦେଶ ବୋଲି ସେ ଜାଣନ୍ତି ନାହିଁ । ଦିନେ ଆକସ୍ମିକ ସେ ପାଞ୍ଚାଳ ରାଜନବର ନିକଟରେ ଉପସ୍ଥିତ ହୋଇ ଦ୍ୱାରପାଳକୁ ଭିକ୍ଷା ମାଗିଲେ । ଦ୍ୱାରପାଳ ତାଙ୍କର ଜୀର୍ଣ୍ଣଶୀର୍ଣ୍ଣ ଶରୀରରେ ମଧ୍ୟ ରାଜପୁରୁଷର ଲକ୍ଷଣ ଥିବା ଅବଗତ ହୋଇ ତାଙ୍କ ସମ୍ବନ୍ଧରେ ନିଜ ରାଜାଙ୍କୁ ଯାଇ ଜଣାଇଲା । ରାଜା ଭିକ୍ଷୁକକୁ ତାଙ୍କ ପାଖକୁ ଡକାଇନେଲେ । ବୀରସେନ ନିତାନ୍ତ ଅପ୍ରତ୍ୟାଶିତ ଭାବରେ ବନ୍ଧୁବର ପାଞ୍ଚାଳ ରାଜାଙ୍କୁ ଦେଖି ଲଜ୍ଜିତ ଏବଂ ବିବ୍ରତ ହୋଇ ଭୂମିରେ ବସିପଡ଼ିଲେ । ତାଙ୍କ ଆଖିରୁ ଅବିରଳ ଲୋତକଧାର ଗଳିପଡ଼ିଲା ଏବଂ ଅନ୍ତରରୁ କୋହର ଉଚ୍ଛ୍ୱାସ ଉଠିଲା ।

 

ପାଞ୍ଚାଳ ରାଜା ନିଜ ଅନ୍ତରଙ୍ଗ ବନ୍ଧୁଙ୍କର ଏପରି ଦୁର୍ଦ୍ଦଶା ଦେଖି କ୍ଷଣକାଳ ସ୍ତମ୍ଭୀଭୂତ ରହିବାପରେ ବନ୍ଧୁଙ୍କ ହାତଧରି ଉଠାଇ ସଶ୍ରଦ୍ଧ ଅଭିଭାଷଣରେ ଆଲିଙ୍ଗନ କଲେ । କିଛି ସମୟ ଉଭୟେ ନୀରବ ରହିଯିବା ପରେ ପାଞ୍ଚାଳ ରାଜା ପଚାରିଲେ—‘‘ବନ୍ଧୁବର ! ଯବନ ରାଜା ତୁମ ରାଜ୍ୟ ଅପହରଣ କରିବା ସମ୍ବାଦ ପାଇ ମୁଁ ମର୍ମବ୍ୟଥା ଅନୁଭବ କରିଥିଲି । ଆଜି ତାହା ବହୁଗୁଣିତ ହୋଇଛି । ମନେକରୁଛି, ତୁମର ଏ ଦୁର୍ଦ୍ଦଶା ଖଣ୍ଡନ ପାଇଁ ମୁଁ ଯଦି ମୋର ପ୍ରାଣପର୍ଯ୍ୟନ୍ତ ଦେଇପାରେ ତେବେ ତୁମ ସ୍ନେହର କିଞ୍ଚିତ୍‌ ପରିଶୋଧ କରିପାରିବ ।’’

 

ପାଞ୍ଚାଳ ରାଜା ବୀରସେନଙ୍କର ଉପଯୁକ୍ତ ସେବା-ଅର୍ଚ୍ଚନାର ସୁବ୍ୟବସ୍ଥା କରି ଦେବା ପରେ ଯବନ ରାଜା ଯୁଦ୍ଧ ଅଭିଯାନ ଘୋଷଣାକରି ସୈନ୍ୟସାମନ୍ତ ଆଦି ଚତୁରଙ୍ଗ ବଳ ପ୍ରସ୍ତୁତ କଲେ ଏବଂ ବୀରସେନଙ୍କୁ ନେଇ ଯାତ୍ରା ଆରମ୍ଭ କଲେ ।

 

ପଥ ମଧ୍ୟରେ କିରାତରାଜା ପଞ୍ଚାଳ ରାଜାଙ୍କୁ ସମ୍ବର୍ଦ୍ଧନା ଜଣାଇ ନିଜ ରାଜପୁରରେ ଅତିଥି ସତ୍କାର ବିଧାନ କଲେ । ପୂର୍ବରୁ ବୀରସେନଙ୍କ ରାଣୀ ସେଠାରେ ପୂଜନୀୟା ଭାବରେ ସମ୍ମାନିତା ହୋଇ ରହିଥିଲେ ଏବଂ କିରାତ ରାଜାଙ୍କର ପରମା ସୁନ୍ଦରୀ ତେଜସ୍ୱିନୀ କନ୍ୟା ତାଙ୍କର ସେବାରେ ନିଯୁକ୍ତା ଥିଲେ । ବୀରସେନଙ୍କ ବିଶ୍ୱସ୍ତ ଭୃତ୍ୟ ସଞ୍ଜୟ ମଧ୍ୟ ଘଟନା କ୍ରମେ ସେଠାରେ ପହଞ୍ଚିଥିଲା । ସେଠାରେ ସେ ନିଜ ପ୍ରଭୁଙ୍କୁ ଦେଖି ଆନନ୍ଦରେ ଅଧିର ହୋଇପଡ଼ିଲା । ବୀରସେନଙ୍କ ଉପସ୍ଥିତି ଶୁଣିପାରି ତାଙ୍କ ରାଣୀ ପ୍ରଥମେ ଆସି ତାଙ୍କ ପଦବନ୍ଦନା କରି ପାଛୋଟି ନେଲେ । ସେତେବେଳେ କିରାତ ରାଜକୁମାରୀ ବୀରସେନଙ୍କୁ ଅର୍ଚ୍ଚନା କରିବାକୁ ଆସି ତାଙ୍କ ସୁଲଳିତ କାନ୍ତିରେ ମୁଗ୍‌ଧ ହୋଇ ମନେମନେ ତାଙ୍କୁ ପ୍ରତି ପଦରେ ବରଣ କଲା ।

 

ବୀରସେନ ଏତେଦିନ ପରେ ପ୍ରିୟତମା ରାଣୀଙ୍କୁ ପାଇ ଅପାର ଆନନ୍ଦ ଲାଭ କଲେ ଏବଂ ଉଭୟେ ନିଭୃତ ସ୍ଥାନରେ ବସି ନିଜ ନିଜର ଅତୀତ ଦୁଃଖ କ୍ଳେଶ ବର୍ଣ୍ଣନା କରିବାକୁ ଲାଗିଲେ-। ଏପରି ସମୟରେ ଶୂନ୍ୟରୁ ବାଣୀ ଶୁଭିଲା, ‘‘ବୀରସେନ ! ତୁମେ ନିଜ ଧାର୍ମିକତାର ଗର୍ବରେ ଗ୍ରହରାଜ ସୌରୀଙ୍କର ଯେପରି ଅବମାନନା କରିଥିଲ, ତାହା ସ୍ମରଣ କର । ସେଥିଯୋଗୁଁ ହିଁ ତୁମେ ଏପରି ଦଶା ଭୋଗକଲ । ବର୍ତ୍ତମାନ ଯଦି ସ୍ୱାମୀ ସ୍ତ୍ରୀ ଉଭୟେ ନିଷ୍ଠାପର ଭାବରେ ଶନିଶ୍ଚରଙ୍କର ପୂଜା, ବ୍ରତ କରିପାରିବ, ତେବେ ସମସ୍ତ ପୂର୍ବବିଭବ ଫେରିପାଇବ ।’’ ବୀରସେନଙ୍କର ଚୈତନ୍ୟ ଉଦୟ ହେଲା । ସ୍ୱାମୀ ସ୍ତ୍ରୀ ଦୁହେଁ ଉପବାସ ବିଧିରେ ଶନିଶ୍ଚରଙ୍କର ପୂଜା ଉପାସନାରେ ବ୍ରତୀ ହେଲେ ।

 

ଏଣେ ପାଞ୍ଚାଳ ସୈନ୍ୟ ସହିତ କିରାତରାଜା ନିଜର ସୈନ୍ୟମାନଙ୍କୁ ନେଇ ଯବନ ରାଜା ସଙ୍ଗେ ଯୁଦ୍ଧ କଲେ । ମାତ୍ର ପରାଭୂତ ହୋଇ ଫେରିଆସିଲେ । ପଥମଧ୍ୟରେ ଦେଖିଲେ ଜଣେ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀ ଅଶ୍ୱ ଆରୋହଣ କରି ଛତ୍ରଭଙ୍ଗ ଦେଇଥିବା ସୈନ୍ୟମାନଙ୍କୁ ନେଇ ପୁନର୍ବାର ଯୁଦ୍ଧ ପାଇଁ ସେନାପତି ସାଜିଛନ୍ତି । ସଙ୍ଗରେ ଅଛନ୍ତି ଯୋଦ୍ଧା ବେଶରେ ବୀରସେନ । ସେହି କନ୍ୟା ଯେ କିରତରାଜକୁମାରୀ ଏକଥା ସମସ୍ତେ ବୁଝିପାରିଲେ ଏବଂ ଦ୍ୱିଗୁଣ ଉତ୍ସାହରେ ପୁଣି ଯୁଦ୍ଧରେ ପ୍ରବୃତ୍ତ ହେଲେ । ଯବନସୈନ୍ୟ ବିଧ୍ୱସ୍ତ ହେଲେ ଏବଂ ଯବନ ରାଜା ପ୍ରାଣଭୟରେ ନିଜ ରାଜ୍ୟକୁ ପଳାୟନ କଲା ।

 

‘‘ଜୟ ମହାରାଜା ବୀରସେନଙ୍କର ଜୟ’’ ନାଦରେ ଗଗନ ପ୍ରକମ୍ପିତ ହେଲା । କିରାତ ଯୁବତୀର ଅସୀମ ସାହସ ଏବଂ ଅଦ୍‌ଭୂତ ରଣ କୌଶଳରେ ମୁଗ୍‌ଧ ହୋଇ ସମସ୍ତେ ‘ଧନ୍ୟ, ଧନ୍ୟ’ କହିବାକୁ ଲାଗିଲେ । କିରାତକୁମାରୀ ସଦଳବଳେ ସିନ୍ଧୁରାଜାଙ୍କ ପ୍ରାସାଦକୁ ଯାଇ ବୀରସେନଙ୍କୁ ନିଜ ସିଂହାସନ ଅଳଂକୃତ କରିବାପାଇଁ ଅନୁରୋଧ ଜଣାଇଲେ । ବୀରସେନ କୃତଜ୍ଞତା ଜଣାଇ ତାହା ଅଙ୍ଗୀକାର କଲେ । ବୀରସେନ ସିଂହାସନ ଆରୋହଣ କରନ୍ତେ କିରାତକୁମାରୀ ତାଙ୍କ ଚରଣତଳେ ପ୍ରଣିପତ୍ୟ ହୋଇ ଗଦ୍‌ଗଦ କଣ୍ଠରେ ଜଣାଇଲେ, ‘‘ମହାରାଜ ! ପ୍ରାଣ ପ୍ରଭୁ ! ଏ ଅଧୀନା ଆପଣଙ୍କ ପ୍ରଥମ ସନ୍ଦର୍ଶନରେ ଆପଣଙ୍କ ପାଦତଳେ ପ୍ରାଣ ଉତ୍ସର୍ଗ କରିଥିଲା । ଆଜି ସୌଭାଗ୍ୟ ବଶତଃ ସେହି ପ୍ରାଣକୁ ଏ ସ୍ଥୂଳ ଦେହର ଆଧାର ସହିତ ଅର୍ପଣ କରୁଛି । ଯଦି ନୀଚ୍ଚ ବଂଶ ଜାତ ମନେକରି ଗ୍ରହଣ କରିବାକୁ କୁଣ୍ଠିତ ହୁଅନ୍ତି, ଏହି ଅସି ମୁନରେ ଅଧୀନା ବକ୍ଷରେ ରକ୍ତଲିପି ଦ୍ୱାରା ତାହା ପ୍ରକାଶ କରନ୍ତୁ ।’’

 

ବୀରସେନ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ । ମନେମନେ ଶନିଶ୍ଚିରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲେ । ଶୂନ୍ୟବାଣୀ ହେଲା, ‘ରାଜନ୍‌ ! ତୁମ୍ଭମାନଙ୍କ ଭକ୍ତି ଉପାସନାରେ ମୁଁ ପ୍ରୀତ ହୋଇଅଛି । ତୁମେ ସ୍ୱଚ୍ଛନ୍ଦରେ ରାଜ୍ୟସଂପଦ ଭୋଗକର । ଆଉ ମଧ୍ୟ ଗୁଣ, ଅମେଧ୍ୟରୁ କାଞ୍ଚନ, ନୀଚ କୁଳରୁ ସୁକନ୍ୟା ଗ୍ରହଣ କରିବା ଶାସ୍ତ୍ର ସମ୍ମତ । ପଙ୍କରୁ ଜାତ ହେଲେ ମଧ୍ୟ ପଦ୍ମ ଦେବତା ଶିରରେ ଶୋଭାପାଏ । ପର୍ବତ ନନ୍ଦିନୀଙ୍କୁ ମଧ୍ୟ ଶିବ ଅର୍ଦ୍ଧାଙ୍ଗିନୀ କରିଅଛନ୍ତି । ତେଣୁ ଏ କିରାତକୁମାରୀକୁ ତୁମେ ନିର୍ବିଚାରରେ ଗ୍ରହଣ କରିପାର ।’’

 

ବୀରସେନ ତତ୍‌କ୍ଷଣାତ୍‌ ଉଠିଆସି କିରାତ ନନ୍ଦିନୀକୁ କୋଳାଗ୍ରତ କଲେ । ପାଞ୍ଚାଳ ରାଜା ଏବଂ କିରାତ ରାଜା ହଠାତ୍‌ ପ୍ରବେଶ କରି ଏ ଦୃଶ୍ୟରେ ଆନନ୍ଦ ବିହ୍ୱଳ ହୋଇ ପଡ଼ିଲେ ଏବଂ ଯଥାବିଧି ମଙ୍ଗଳ ଉତ୍ସବର ଆୟୋଜନ କରାଇଲେ ।

 

ବୀରସେନ କିରାତ ରାଜନବରରୁ ରାଣୀ ସତ୍ୟବତୀଙ୍କୁ ରାଜକୀୟ ସମାରୋହରେ ସିନ୍ଧୁ ରାଜନବରକୁ ଅଣାଇ ରାଜ୍ୟରେ ବିବିଧ ଆନନ୍ଦ ଉତ୍ସବ କରାଇଲେ ଏବଂ ସତ୍ୟବତୀଙ୍କ ଅନୁରୋଧ ଏବଂ ସମ୍ମତିକ୍ରମେ କିରାତ କୁମାରୀଙ୍କର ପାଣି ଗ୍ରହଣ କଲେ । ସେହିଦିନଠାରୁ ରାଜା ଏବଂ ରାଣୀ ନିୟତି ବିଧାନ ନିକଟରେ ନତମସ୍ତକ ହୋଇ ନିୟତିର କାର୍ଯ୍ୟ ନିର୍ବାହକ ଗ୍ରହଶକ୍ତିମାନଙ୍କର ପୂଜା ଉପାସନାରେ ବ୍ରତୀ ରହିଲେ ଏବଂ ପରମ ଆନନ୍ଦରେ କାଳାତିପାତ କଲେ ।

Image

 

ଭକ୍ତ ବିଭାବ

 

ସହଜେ ଦେବତାମାନେ ସ୍ୱର୍ଗବାସୀ । ଆମଠାରୁ ଅନେକ ଉଚ୍ଚରେ ସେମାନଙ୍କର ସ୍ଥାନ-। ସେଥିମଧ୍ୟରେ ପୁଣି ନାରଦ; ସେ ବ୍ରହ୍ମାଙ୍କ ପୁତ୍ର ଏବଂ ଦେବତାମାନଙ୍କ ମଧ୍ୟରେ ଋଷି, ଅର୍ଥାତ୍‌ ଦେବର୍ଷି । ସର୍ବଦା ତାଙ୍କ ମୁଖରେ ହରିନାମ କୀର୍ତ୍ତନ । ବୈକୁଣ୍ଠରେ ବିଷ୍ଣୁ ଆଉ ମହାଲକ୍ଷ୍ମୀ ମଧ୍ୟ ତାଙ୍କୁ ଭଲ ପାଆନ୍ତି, ଆଦର କରନ୍ତି ।

 

ନାରଦ ଦିନେ ହରିନାମ କୀର୍ତ୍ତନ କରି ଯାଉ ଯାଉ ବୈକୁଣ୍ଠ ଭୁବନରେ ଦେଖିଲେ, ବିଷ୍ଣୁଙ୍କ ପ୍ରାସାଦର ଅତି ନିକଟରେ ଆଉ ଏକ ପ୍ରକାଣ୍ଡ କୋଠାଘର ନିର୍ମାଣ କାର୍ଯ୍ୟ ଚାଲିଛି । କାରଣଟା ଜାଣିବାପାଇଁ ନାରଦଙ୍କର ଆଗ୍ରହ ହେଲା । ସେ ବିଷ୍ଣୁଙ୍କ ନିକଟକୁ ଗଲେ । ନାରଦଙ୍କ ପାଇଁ ବିଷ୍ଣୁଙ୍କ ନବର ଆଉ ମହାଲକ୍ଷ୍ମୀଙ୍କ ଉଆସ ସବୁବେଳେ ମୁକ୍ତ । ବିଷ୍ଣୁଙ୍କୁ ଯଥାବିଧି ସମ୍ମାନ ଜଣାଇବା ପରେ ନାରଦ ଉକ୍ତ କୋଠା ନିର୍ମାଣର କାରଣ ତାହାଙ୍କୁ ପଚାରିଲେ ।

 

ବିଷ୍ଣୁ କହିଲେ, ‘‘ମର୍ତ୍ତ୍ୟରେ ମୋର ଜଣେ ପରମ ଭକ୍ତ ଅଛନ୍ତି । ତାଙ୍କ ଉଦ୍ଦେଶ୍ୟରେ କୋଠା ନିର୍ମାଣ କରାଯାଉଛି ।’’

 

ନାରଦ ମନେକଲେ, ତାଙ୍କୁ ଭୁଲାଇ ଦେଇ ବିଷ୍ଣୁ ଏପରି କହୁଥିବେ । କାରଣ ସେ ନିଜେ ଦେବର୍ଷି ହୋଇ ମଧ୍ୟ ଏପରି ସୌଭାଗ୍ୟର ଅଧିକାର ପାଇବା ଅସମ୍ଭବ । ଅଥଚ ମାନବ ଲୋକରେ ପୁଣି ଏପରି ପରମଭକ୍ତ ଅଛନ୍ତି ! ଏହା ବୋଧହୁଏ ବିଷ୍ଣୁଙ୍କର ଛଳନା ହୋଇଥିବ ।

 

ନାରଦ ବିଷ୍ଣୁଙ୍କ କଥାର ସତ୍ୟାସତ୍ୟ ବୁଝିବା ପାଇଁ ପଚାରିଲେ, ମହାପ୍ରଭୁ ! ମର୍ତ୍ତ୍ୟରେ ପୁଣି ଏପରି ସୌଭାଗ୍ୟବାନ ଭକ୍ତ ଅଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ । ଆପଣ ଦୟାକରି ମୁଁ ତାଙ୍କ ଦର୍ଶନ ପାଇବା ବ୍ୟବସ୍ଥା କରିଦେଲେ ବଡ଼ ଉପକୃତ ହେବି ।’’

 

ବିଷ୍ଣୁ ନାରଦଙ୍କ ମନର ଭାବ ବୁଝିପାରି କହିଲେ, ‘‘ଦେବର୍ଷି ! ତୁମେ ଯଦି ଇଚ୍ଛାକର, ଯାଅ ଦେଖି ଆସିବ । ସେ ଲୋକର ନାମ ଗୋପାଳ ପ୍ରଧାନ, ଘର ତେଲପଡ଼ା ଗାଁରେ । ତୁମେ କେବଳ ତାଙ୍କୁ ଦେଖିଦେଲେ କିଛି ଜାଣିପାରିବ ନାହିଁ । ଗୋଟିଏ ଅହୋରାତ୍ର ତାଙ୍କ ପାଖରେ ରହି ତାଙ୍କ ଗତି, ବିଧି, ନିଷଠା ଲକ୍ଷ୍ୟ କଲେ ଜାଣିପାରିବ, ସେ କିପରି ମୋର ପରମ ଭକ୍ତ । ଆଉ ମଧ୍ୟ ସେଠାରୁ ଦେଖି ଆସିବାପରେ ସଙ୍ଗେ ସଙ୍ଗେ ମୋତେ ଜଣାଇବ ।’’

 

ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ଯାଇ ନାରଦ ଗୋପାଳ ପଧାନ ଘରଠାରେ ପହଞ୍ଚିଗଲେ-। ନିଜକୁ ଅଦୃଶ୍ୟ ଭାବରେ ରଖି ପଧାନର କାର୍ଯ୍ୟକୁ ଲକ୍ଷ୍ୟ କଲେ । ପଧାନର ପରିବାରରେ ତାହାର ସ୍ତ୍ରୀ ଆଉ ଛୋଟ ପିଲା ଦୁଇଟି । ଛୋଟ ଧରଣର ଚାଳିଘର ଖଣ୍ଡିଏ । ବାରିପଟେ ଗୁହାଳ ଘର । ସେଥିରେ ଦୁଇଟି ବଳଦ ।

 

ପଧାନ ଭୋରରୁ ଉଠି ଝଡ଼ା ଯାଇ, ଦାନ୍ତଘସି ବଳଦ ଦୁହିଙ୍କୁ ଗୁହାଳରୁ ଆଣି ପଦାରେ ବାନ୍ଧିଦେଲା । ସେମାନଙ୍କ ଦେହକୁ ଘଷା ଆଉଁସା କରି ସଫା କରିଦେଲା । ଖାଇବା ପାଇଁ କିଛି ନଡ଼ା ଆଣି ପକାଇ ଦେଲା । ଗୁହାଳକୁ ଯାଇ ଗୋବର ଓ ଅଳିଆକୁଟା ଯାହାଥିଲା ସବୁ ସଫାକରି ଆଣିଲା । ତାପରେ ଘରୁ ପେଜ-ତୋରାଣି, କୁଣ୍ଡା ଆଣି ବଳଦମାନଙ୍କୁ ଖାଇବାକୁ ଦେଲା । ପରେ ନିଜେ ଗୋଡ଼ହାତ ଧୋଇଆସି ପିଲାମାନଙ୍କୁ ପାଖରେ ବସାଇ ପଖାଳ କଂସାଏ ଖାଇଲା । ଖାଇସାରି ଧୂଆଁ ପତର ଟିକିଏ ମଳି ପାଟିରେ ପକାଇଲା । ବଳଦମାନଙ୍କୁ ଲଙ୍ଗଳରେ ଯୋଚି ବିଲକୁ ଗଲା ।

 

ପଧାନ ବିଲରେ ଚାଷକରି ଘରକୁ ଫେରିଲାବେଳକୁ ଉଦୁଉଦିଆ ଦି’ପହର । ବଳଦଙ୍କୁ ପଦାରେ ବାନ୍ଧି କୁଣ୍ଡା-ତୋରାଣି ଖୁଆଇବା ପରେ ପୋଖରୀକୂଳକୁ ନେଇ ଘସି ମାଜି ଗାଧୋଇ ଦେଲା । ନିଜେ ମଧ୍ୟ ଗାଧୋଇ ପଡ଼ିଲା । ବଳଦଙ୍କୁ ପୁଣି ଆଣି ପଦାରେ ବାନ୍ଧି ତାଙ୍କ ଆଗରେ ନଡ଼ା ପକାଇଦେଲା । ପରେ ନିଜେ ଗଲା ଖାଇବାକୁ । ସ୍ତ୍ରୀ ଆଉ ପିଲାମାନଙ୍କ ସହିତ ଏକାଠି ବସି ଖାଇଦେଲା । ଦଣ୍ଡେ ମୁହୂର୍ତ୍ତେ ବିଶ୍ରାମକରି ଧୂଆଁ ପତର ପିକା ତିଆରି କରି ଧୂଆଁ ଟାଣିଲା । ପୁଣି ବଳଦଙ୍କୁ ହଳରେ ଯୋଚି ବିଲକୁ ଗଲା ।

 

ମୁହଁସଞ୍ଜ ବେଳକୁ ପଧାନ ହଳକାମ ସାରି ଫେରିଲା । ବଳଦମାନଙ୍କ ଖାଇବା ପିଇବା ବ୍ୟବସ୍ଥା ପରେ ସେମାନଙ୍କୁ ଗୁହାଳରେ ବାନ୍ଧି ନଡ଼ା ପକାଇ ଦେଲା । ମଶା ଉପଦ୍ରବ ଥିବାଯୋଗୁଁ ଗୋବରଘଷି ଆଣି ଧୂଆଁ ଦେଲା । ଗୁହାଳ ବନ୍ଦକରି ଘରକୁ ଆସିଲା । ଗୋଡ଼ହାତ ପରିଷ୍କାର କରି ଧୋଇ ଚାଳିପିଣ୍ଡାରେ ବସିଗଲା ।

 

ଘରେ ସ୍ତ୍ରୀର ଓ ପିଲାମାନଙ୍କର ସୁଖ ଦୁଃଖ ପଚାରି ବୁଝି ଗୃହାବଶ୍ୟକ ନିମନ୍ତେ ଦୋକାନ ସଉଦା କିଣି ମଣିଦେଲା । କିଛି ସମୟ ପରେ ସେ, ସ୍ତ୍ରୀ ଓ ଅନ୍ୟ ପିଲାମାନଙ୍କ ସହିତ ଏକାଠି ବସି ଖାଇବା ପିଇବା କଲେ । ପରେ ସମସ୍ତେ ଶୋଇବାକୁ ଗଲେ । ଶୋଇବା ପୂର୍ବରୁ ପଧାନ ଚକାମାଡ଼ି ବସି ଦୁଇହାତ ଯୋଡ଼ି ଗମ୍ଭୀର ସ୍ୱରରେ ଉଚ୍ଚାରଣ କଲା—‘ହରିହେ !’ ପଧାନ ଶୋଇଲା ନାରଦ ଫେରିଲେ ।

 

ପଧାନର ଗୋଟିଏ ଦିନର କାର୍ଯ୍ୟରେ ସମସ୍ତ ଗତିବିଧି ଲକ୍ଷ୍ୟକରି ସେଥିରେ ଈଶ୍ୱରଙ୍କ ପ୍ରତି ଭକ୍ତି କେଉଁଠାରେ ଅଛି, ନାରଦ ତାହା ବୁଝିପାରିଲେ ନାହିଁ । କେବଳ ଶୋଇବାକୁ ଯିବା ପୂର୍ବରୁ ସେ ଥରେମାତ୍ର ‘ହରିନାମ’ ଉଚ୍ଚାରଣ କରିଥିଲା । କିନ୍ତୁ ସେ ନିଜେ ଅବିରତ ହରିନାମ ଭଜନ କରି ଆସୁଛନ୍ତି । ଦିନମଧ୍ୟରେ ହଜାର ହଜାର ସଂଖ୍ୟା ହେବ । ତାଙ୍କ ମନରେ ସନ୍ଦେହ ହେଲା ଯେ, ଏହା ନିଶ୍ଚୟ ପ୍ରଭୁଙ୍କର ଛଳନା ।

 

ପରଦିନ ନିଜର ପରିଦର୍ଶନ ଅନୁଭୂତି ଜଣାଇବା ପାଇଁ ନାରଦ ବିଷ୍ଣୁଙ୍କ ନିକଟରେ ଉପସ୍ଥିତ ହେଲେ । ବିଷ୍ଣୁ ସେତେବଳକୁ ନାରଦଙ୍କ ଅନ୍ତର କଥା ବେଶ୍‌ ବୁଝି ପାରିଥିଲେ । ସେ ନାରଦଙ୍କୁ ଦେଖିବା କ୍ଷଣି ହଠାତ୍‌ କହିଲେ—‘ଦେବର୍ଷି ! ମୋତେ ବଡ଼ କ୍ଷୁଧା ହେଲାଣି—ତୃଷା ମଧ୍ୟ ହେଉଛି । ତୁମେ ଏ ପାତ୍ରଟା ନେଇ ଶୀଘ୍ର ଯାଅ । ଉଆସରୁ କ୍ଷୀର ପୂର୍ଣ୍ଣକରି ନେଇ ଆସିବ । ସାବଧାନ ଥିବ—ବାଟରେ ଯେପରି ସେଥିରେ ଟୋପାଏ କ୍ଷୀର ତଳେ ଢଳି ନଯାଏ । ଯାଅ, ଶୀଘ୍ର ଆସିବ । ପରେ ଦୁହେଁ କଥାବାର୍ତ୍ତା ହେବା ।’

 

ନାରଦ ଅବିଳମ୍ବେ ପାତ୍ର ଘେନି ଉଆସକୁ ଗଲେ । ବରାଦ ଅନୁସାରେ ପାତ୍ରଟି ପରିପୂର୍ଣ୍ଣ କରି କ୍ଷୀର ଭରିଲେ । ଆସିବାବେଳେ ଉଆସ ଭିତରେ ଅନେକ ପାହାଚ ତାଙ୍କୁ ଅତିକ୍ରମ କରିବାକୁ ପଡ଼ିଥାଏ । ଦୁଇହାତରେ ଦୃଢ଼ ରୂପେ କ୍ଷୀରପାତ୍ର ଧରିଥାନ୍ତି । କାଳେ କ୍ଷୀର ଢାଳିଯିବ ସେଥିପାଇଁ ଶଙ୍କିତ ହୋଇ ଅତି ଧିରେ ଏବଂ ସାବଧାନରେ ପାଦ ପକାଉଥାନ୍ତି । କ୍ଷୀରପାତ୍ର ଏବଂ ଯାଉଥିବା ପଥ—ଏ ଉଭୟ ପ୍ରତି ସତର୍କ ଦୃଷ୍ଟିରଖି ସେ ଧିରେ ଧିରେ ଯାଇ ବିଷ୍ଣୁଙ୍କ ପାଖରେ ଅଣନିଶ୍ୱାସୀ ହୋଇ ପହଞ୍ଚିଗଲେ ।

 

ବିଷ୍ଣୁ ପ୍ରଶ୍ନକଲେ—‘ଦେବର୍ଷି ! ଏତେ ବିଳମ୍ବ ହେଲା କାହିଁକି ? ମୋର ଜିଭ-କଣ୍ଠ ଶୁଖିଗଲାଣି ।’

 

ନାରଦ ଅପ୍ରତିଭ ହୋଇ ବିଳମ୍ବର କାରଣ କହିଗଲେ । ବିଷ୍ଣୁ ପୁଣି ପ୍ରଶ୍ନକଲେ—‘ଆଚ୍ଛା, ଦେବର୍ଷି ! ତୁମେ ସର୍ବଦା ହରିନାମ କୀର୍ତ୍ତନ କରିବାରେ ଅଭ୍ୟସ୍ତ । କିନ୍ତୁ କହିଲ ଦେଖି, ଉଆସରୁ କ୍ଷୀରପାତ୍ର ନେଇ ଏଠାରେ ପହଞ୍ଚିବା ସମୟ ମଧ୍ୟରେ କେତେଥର ହରିନାମ ସ୍ମରଣ ଅବା ଭଜନ କରିଛ ?’

 

ପ୍ରକୃତ ପକ୍ଷେ ନାରଦ ଉପରୋକ୍ତ ସମୟ ମଧ୍ୟରେ ଆଦୌ ହରିନାମ ଭଜନରେ ସମର୍ଥ ହୋଇ ନାହାନ୍ତି—ଏକଥା ସ୍ୱୀକାର କଲେ । ବିଷ୍ଣୁ ତହିଁରେ କାରଣ ପଚାରିବାରୁ ନାରଦ ଉତ୍ତର କଲେ—‘ମହାପ୍ରଭୁ ! ଆପଣ ମୋତେ ଯେଉଁ କାର୍ଯ୍ୟ କରିବାକୁ ଆଦେଶ ଦେଲେ ସେ କାର୍ଯ୍ୟରେ ଦାୟିତ୍ୱ ମତେ ଏତେ ଚାପ ଦେଲା ଯେ, କେବଳ କ୍ଷୀର ପାତ୍ରର ସୁରକ୍ଷା ଏବଂ ମୋ ଗତିର ନିରାପତ୍ତ ବିଷୟରେ ମୋତେ ବିଶେଷ ସାବଧାନ ହେବାକୁ ପଡ଼ିଲା । ତେଣୁ ଅନ୍ୟକିଛି ଚିନ୍ତା କରିବାକୁ ମୋର ଅବସର ନଥିଲା ।’

 

ବିଷ୍ଣୁ ହସି ହସି କହିଲେ—ଦେବର୍ଷି ! ତୁମେ ବଡ଼ ଭୁଲ କରିଛ । ହରିନାମ କୀର୍ତ୍ତନ-ସ୍ମରଣ କରି ଏପରି ଅନ୍ୟମନସ୍କ ରହିବା ତୁମ ପକ୍ଷରେ ଅନୁଚିତ ହୋଇଛି—ଏକଥା ବୁଝିପାରୁଛ ?

 

ନାରଦ ଉତ୍ତର କଲେ—‘ମହାପ୍ରଭୁ ! କ୍ଷମା କରିବେ । ମୁଁ ଆପଣଙ୍କ ପ୍ରୀତି ସମ୍ପାଦନ ନିମନ୍ତେ ଆଦେଶ ପାଳନ କରିବାକୁ ଯାଇ ସେପରି ସମ୍ଭବ ହେଲା ।’

 

ବିଷ୍ଣୁ କହିଲେ—‘ବେଶ୍, ତୁମେ ତେବେ ବୁଝିପାରୁଛ ଯେ ମୋର ନାମ କୀର୍ତ୍ତନ ଅପେକ୍ଷା ମୋର ନିର୍ଦ୍ଦେଶିତ କର୍ମ ସମ୍ପାଦନ କରିବା ଦ୍ୱାରା ମୁଁ ଅଧିକ ପ୍ରୀତ ହୋଇପାରେ । ବର୍ତ୍ତମାନ ତୁମେ ସେ ପଧାନବାପୁଡ଼ା କଥା ଚିନ୍ତାକର । ସେ ଯେପରି ଭାବରେ ଯାହା କାର୍ଯ୍ୟ କରୁଛି ସେ ସମସ୍ତ ମୋର ଅଭିଳଷିତ ଏବଂ ଆଦେଶ ମନେକରି ସେସବୁ କରିଯାଉଛି । ସେ ନିର୍ଲିପ୍ତ ଭାବରେ ଆନ୍ତରିକତା ସହିତ ମୋ ଆଦେଶ ପାଳନକୁ କର୍ତ୍ତବ୍ୟ ମନେକରି ସବୁ କରି ଯାଉଛି । ତାକୁ ଅନ୍ୟଚିନ୍ତା କରିବାକୁ ଅବସର କାହିଁ ? ଶୋଇବାକୁ ଯିବା ପୂର୍ବରୁ ସେ ଥରେମାତ୍ର ମୋ ନାମ ଉଚ୍ଚାରଣ କରିଛି । ସେତିକି ଯଥେଷ୍ଟ । ତାହା ତା ମୁଖର ସରଳ ଉଚ୍ଚାରଣ ନୁହେଁ—ଅନ୍ତରର ଗଭୀର କୃତଜ୍ଞତା ପୂର୍ଣ୍ଣ ଆତ୍ମନିବେଦନ ତହିଁରେ ଭରା । ତାହା ମୋ ଆତ୍ମାକୁ ସ୍ପର୍ଶ କରେ—ମୋ ଆସନକୁ କମ୍ପାଇଦିଏ ।

 

ନାରଦ ନିଜର ଭ୍ରମ ଏବଂ ଆତ୍ମାଭିମାନ ବୁଝିପାରି ଲଜ୍ଜିତ ହେଲେ । ବଷ୍ଣୁ ପୁଣି ପ୍ରକାଶକଲେ—‘ଦେବର୍ଷି ! ଏଥିରେ ବିସ୍ମିତ ହେବାର କିଛି ନାହିଁ । ସେ ପଧାନ ବାପୁଡ଼ା ନିତାନ୍ତ ଅଶିକ୍ଷିତ । ସେ ମଧ୍ୟ କୌଣସି ଗୁରୁ ମୁଖରୁ ଉପଦେଶ ଶୁଣିନାହିଁ । ତଥାପି ତା ଅନ୍ତରରେ ମୋ ପ୍ରତି ଏପରି ଦୃଢ଼ ଧାରଣା ଆଉ ଭକ୍ତି କିପରି ସମ୍ଭବ ହେଲା ? ତାହାର ପରିସ୍ଥିତି ଏବଂ ପରିବେଶ କୌଣସି ମତେ ଏଥିପ୍ରତି ଅନୁକୂଳ ନ ଥିଲେ ମଧ୍ୟ ନିୟତିର ପ୍ରେରଣା ତା ଅନ୍ତରକୁ ଆଲୋକିତ କରିଅଛି ।’

Image

 

ଆତ୍ମନିଷ୍ଠା

 

କୌଣସି ଏକ ନଗରରେ ଜଣେ ପରମ ଧାର୍ମିକ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ସ୍ତ୍ରୀ, ପୁତ୍ର, କନ୍ୟା, ଧନସମ୍ପତ୍ତି ପ୍ରଭୃତି ସବୁକିଛି ଥାଇ ମଧ୍ୟ ସେ କାହିଁରେ ସନ୍ତୋଷଲାଭ କରିପାରିଲେ ନାହିଁ । ସେସବୁ ବିଷୟଜଞ୍ଜାଳ ତାଙ୍କୁ ସୁଖକର ବୋଧ ହେଲା ନାହିଁ । ତାଙ୍କ ମନରେ ସର୍ବଦା ଈଶ୍ୱରାନୁରାଗିତା ପ୍ରବଳ ହୋଇ ମୁକ୍ତିର ବାସନା ଜାଗି ଉଠିଲା । ପ୍ରତ୍ୟହ ସେ ଗୃହ ମଧ୍ୟରେ ନିର୍ଦ୍ଦିଷ୍ଟ ଏକ କୋଠରୀରେ ବସିରହି ଅଧିକାଂଶ ସମୟ ପୂଜା-ଉପାସନା ଏବଂ ଜପ-ଧ୍ୟାନରେ କଟାଉଥିଲେ । ମାତ୍ର ପାରିବାରିକ ଏବଂ ଭୂସମ୍ପତ୍ତି ବ୍ୟାପାର ନେଇ ତାଙ୍କ ସ୍ତ୍ରୀ ଓ ପୁତ୍ରକନ୍ୟାମାନେ ବାରମ୍ବାର ତାଙ୍କ କାର୍ଯ୍ୟରେ ବାଧା ଦେଇ ତାଙ୍କୁ ବିରକ୍ତ କରୁଥିଲେ ।

 

ଏପରି ପରିସ୍ଥିତିରେ ବ୍ରାହ୍ମଣଙ୍କର ନିଷ୍ଠା କିମ୍ବା ଚିତ୍ତ ସ୍ଥିରତା ରହି ପାରିଲା ନାହିଁ । ତହୁଁ ସେ ବସ୍ତି ମଧ୍ୟରେ ପରିବାର ଠାରୁ ଦୂରରେ ରହିବାକୁ ମନସ୍ଥ କରି ଅନ୍ୟତ୍ର ତାଙ୍କର ଥିବା ଏକ ଘରେ ଏକାନ୍ତରେ ବାସକଲେ । କେବଳ ଦିନ ମଧ୍ୟରେ ହବିଷ୍ୟାନ୍ନ ଭୋଜନ ପାଇଁ ଥରେମାତ୍ର ଘରକୁ ଆସନ୍ତି ଏବଂ ସେତିକିବେଳେ ପାରିବାରିକ ସୁବିଧା-ଅସୁବିଧା କିମ୍ବା ବିଷୟ ସମ୍ପତ୍ତି ସମ୍ବନ୍ଧରେ ଯାହାକିଛି ବୁଝିବାକୁ ଥାଏ ନିଷ୍ପତ୍ତି କରି ଯାଆନ୍ତି ।

 

ବ୍ରାହ୍ମଣ କିନ୍ତୁ ସେ ସ୍ଥାନରେ ମଧ୍ୟ ନିଶ୍ଚନ୍ତ ହୋଇ ନିଜର ପୂଜା ଉପାସନା କାର୍ଯ୍ୟ ସ୍ଥିର ରଖିପାରିଲେ ନାହିଁ । ଅନେକ ସମୟରେ ପୁଅ ଝିଅମାନେ ସେଠାକୁ ଯାଇ ନାନା ଛୋଟ ଛୋଟ କାରଣ ନେଇ ଗଣ୍ଡଗୋଳ କଲେ । ପ୍ରଜାମାନେ ମଧ୍ୟ ବହୁ ସମୟରେ ନିଜନିଜର ଆପତ୍ତି ଅଭିଯୋଗ ଜଣାଇବାକୁ ଆସି ତାଙ୍କ କାର୍ଯ୍ୟରେ ଅସ୍ତରାୟ ସୃଷ୍ଟି କଲେ । ବ୍ରାହ୍ମଣ ଦେଖିଲେ, ସେଠାରେ ମଧ୍ୟ ଶାନ୍ତ ନାହିଁ । ତେଣୁ ଏପରି ସବୁ ଜଞ୍ଜାଳରୁ ଦୂରରେ ରହିବା ଉପାୟ ପାଞ୍ଚିଲେ । ସେ ସ୍ତ୍ରୀ ପୁତ୍ରଙ୍କଠାରେ ସମସ୍ତ ବିଷୟ ସମ୍ପତ୍ତିର ଦାୟିତ୍ୱ ଅର୍ପଣ କରିଦେଲେ ଏବଂ ନିଜେ ଅଜ୍ଞାତ ଭାବରେ ବାହାରିଯାଇ କୌଣସି ଏକ ଦୂରବର୍ତ୍ତୀ ଗ୍ରାମରେ ଆଶ୍ରୟ ନେଲେ ସେଠାରେ କିଛିଦିନ ସୁବିଧାରେ କଟିଗଲା ।

 

ଏଣେ ସ୍ତ୍ରୀ ପୁତ୍ର ବିଷୟ ସମ୍ପତ୍ତି ପରିଚାଳନାରେ ଅନଭିଜ୍ଞ ଏବଂ ଅପାରଗ ଥିବାରୁ ପ୍ରଜାମାନେ ଅନୁସନ୍ଧାନ କରି ବ୍ରାହ୍ମଣ ଯେଉଁ ଗ୍ରାମରେ ରହିଥିଲେ ଜାଣିପାରିଲେ ଏବଂ ଆପତ୍ତି ଜଣାଇବା ସକାଶେ ସେଠାକୁ ଧାଇଁ ଆସିଲେ । ବ୍ରାହ୍ମଣ ରହିଥିବା ସ୍ଥାନ ସମସ୍ତଙ୍କୁ ଜଣା ପଡ଼ିଗଲା । ପରିବାର ମଧ୍ୟରେ କେହି ରୋଗରେ ପଡ଼ିଲେ କିମ୍ବା କୌଣସି ମାଙ୍ଗଳିକ କାର୍ଯ୍ୟର ଅନୁଷ୍ଠାନ ପାଇଁ ବ୍ରାହ୍ମଣଙ୍କୁ ବାରମ୍ବାର ତଲବ କରାଗଲା । ଆଉମଧ୍ୟ ବନ୍ଧୁବାନ୍ଧବମାନେ ଅନେକ ସମୟରେ ଆସି ନାନା କୁତର୍କ ଆରମ୍ଭ କଲେ । ବ୍ରାହ୍ମଣ ଅତିଷ୍ଠ ହୋଇ ପଡ଼ିଲେ । ଶେଷରେ ସେ ସ୍ଥିର କଲେ ଯେ ଈଶ୍ୱରପ୍ରାପ୍ତି ପାଇଁ ତାଙ୍କୁ ଗ୍ରାମାଞ୍ଚଳ ଛାଡ଼ି କୌଣସି ନିର୍ଜନ ସ୍ଥାନରେ ରହିବାକୁ ହେବ ।

 

ଦିନେ ରାତି ନ ପାହୁଣୁ ବ୍ରାହ୍ମଣ ସମସ୍ତଙ୍କ ଅଜ୍ଞାତରେ ସେ ଗ୍ରାମ ଛାଡ଼ି ଚାଲିଗଲେ । ବହୁ ଦୂର ଯିବା ପରେ ଗୋଟାଏ ଅରଣ୍ୟରେ ପହଞ୍ଚି ଦେଖିଲେ ଯେ, ସେ ସ୍ଥାନର ପରିବେଶ ତାଙ୍କ ସାଧନା ପାଇଁ ବେଶ୍‌ ଅନୁକୂଳ ହେବ । ତେଣୁ ଏକ ବୃକ୍ଷ ମୂଳରେ ଆଶ୍ରୟ କଲେ । ବନର ପତ୍ର, ଫୁଲ, ଫଳ ଯାହା ମିଳିଳା ତହିଁରେ ଉଦର ଭର୍ତ୍ତି କରି ରହିଲେ । ଏତେଦିନ ପରେ ମନମୁତାବକ ଉପଯୁକ୍ତ ସ୍ଥାନଟିଏ ପାଇଥିବାରୁ ଆନନ୍ଦରେ ସମୟ କଟାଇଲେ ।

 

ଦିନେ ବ୍ରାହ୍ମଣ ବୃକ୍ଷ ମୂଳରେ ବସି ଧ୍ୟାନରତ ଥାନ୍ତି । ସେହି ସମୟରେ ଜଣେ ଶବର ଶିକାର ଉଦ୍ଦେଶ୍ୟରେ ଗୋଟିଏ ହରିଣକୁ ଲକ୍ଷ୍ୟକରି ଧାଉଁ ଧାଉଁ ଅଜାଣତରେ ବ୍ରାହ୍ମଣଙ୍କୁ ଝୁଣ୍ଟି ତଳେ ପଡ଼ିଗଲା । ଶିକାର ଲକ୍ଷ୍ୟଭ୍ରଷ୍ଟ ହେଲା । ହରିଣ ମଧ୍ୟ ଚାଲିଗଲା । ଶବର ସେ କଥାରେ ଚିନ୍ତା କଲା ନାହିଁ । ମାତ୍ର ସେ ଜଣେ ତପସ୍ୱୀ ବ୍ରାହ୍ମଣଙ୍କୁ ଝୁଣ୍ଟିବା ଦ୍ୱାରା ପଦାଘାତ କରିଛି, ଗୁରୁତର ଅପରାଧ କରିଛି, ତାହାହିଁ ଭାବି ସେ ବ୍ୟସ୍ତ ହୋଇପଡ଼ିଲା । ବ୍ରାହ୍ମଣ ଗଭୀର ଧ୍ୟାନମଗ୍ନ ଥିବାରୁ ଶବର ତାଙ୍କୁ ଝୁଣ୍ଟି ପଡ଼ିବା ସେ ଜାଣିପାରି ନାହାନ୍ତି । କିଛି ସମୟ ପରେ ଧ୍ୟାନରୁ ଉଠି ସେ ଦେଖନ୍ତିତ—ଗୋଟାଏ ଶବର କାନ୍ଦ କାନ୍ଦ ହୋଇ ଯୋଡ଼ହସ୍ତରେ ତାଙ୍କ ଆଗରେ ବସିଛି । ଶବର ଭୂଇଁରେ ସାଷ୍ଟାଙ୍ଗ ଲୋଟି ନିଜର ଅପରାଧ ଜଣାଇଲା ଏବଂ ସେଥିପାଇଁ କ୍ଷମା ଦେବାକୁ ବହୁତ କାକୁତି ମିନତି ପ୍ରକାଶ କଲା ।

 

ବ୍ରାହ୍ମଣ କହିଲେ—‘‘ତୁ ଝୁଣ୍ଟିଥିବା କଥା ମୁଁ କିଛିମାତ୍ର ଜାଣିପାରି ନାହିଁ । ଆଉ ମଧ୍ୟ ସେଥିଯୋଗୁଁ ମୁଁ କୌଣସି କ୍ଳେଶ ଅବା ଅସୁବିଧା ଭୋଗ କରିନାହିଁ । ତୋଠାରେ ମୋର କୌଣସି ଅସନ୍ତୋଷ ନାହିଁ । ତେଣୁ କ୍ଷମା କରିବାର ପ୍ରଶ୍ନ ନାହିଁ ।’’

 

ଶବର ମନ ଏ କଥାରେ ମାନିଲା ନାହିଁ । ସେ ବାରମ୍ବାର କାକୁସ୍ଥ ହୋଇ କହିଲା, ‘‘ମହାପ୍ରଭୁ ! ମୋ ମନ ମାନୁଛି, ମୁଁ ଝୁଣ୍ଟିଛି, ମହାଅପରାଧ କରିଛି, ମୋତେ କ୍ଷମାକର ।’’

 

ବ୍ରାହ୍ମଣ ଦେଖିଲେ—ଶବର ମୂର୍ଖଜାତି, ଯାହା ବୁଝିବ ସେୟା । ତାକୁ କିପରି ସେଠାରୁ ବିଦାୟ ଦେବାକୁ ହେବ । ତେଣୁ ‘କ୍ଷମାଦେଲି’ କହି ଶବରକୁ ତା ବାଟରେ ବାହାରି ଯିବାପାଇଁ ଜଣାଇଲେ । ଶବର ବ୍ରାହ୍ମଣଙ୍କର ନିଷ୍ଠା ଆଉ ଆଚରଣ ଦେଖି ତା ହୃଦୟରେ ଭାବାନ୍ତର ଉପସ୍ଥିତ ହେଲା । ସେ ଭାବିଲା, ‘‘ପେଟ ଚାଖଣ୍ଡକ ପାଇଁ ଧାଇଁ ଧାଇଁ ନିର୍ଦ୍ଦୋଷ ଜୀବନ୍ତୁଙ୍କୁ ମାରି ବଞ୍ଚି ରହିବା ଅପେକ୍ଷା ଏଠାରେ ବ୍ରାହ୍ମଣଙ୍କ ସେବାରେ ରହି ବଣର ଫଳମୂଳ ଖାଇ ବଞ୍ଚିରହିବା ବରଂ ଭଲହେବ-।’’ ତେଣୁ ଶବର ସେଠାରୁ ନ ଯାଇ ନିରବରେ ବସି ରହିଲା ।

 

ବ୍ରାହ୍ମଣ ତାହାର ବସିରହିବା ଦେଖି ଅଶ୍ୱସ୍ତି ଅନୁଭବ କଲେ ଏବଂ ତାକୁ ସେଠାରୁ ବାହାରି ଯିବାପାଇଁ ଅନୁରୋଧ କଲେ । ତହୁଁ ଶବର ସାଷ୍ଟାଙ୍ଗ ଭୂଇଁରେ ଲୋଟି ହାତଯୋଡ଼ି ଜଣାଇଲା—‘ମହାପ୍ରଭୁ ! ମୁଁ ମହାପାପୀ । ନୀଚ୍ଚ ଶବର କୂଳରେ ଜନ୍ମ ହୋଇ କେତେ କେତେ ପ୍ରାଣୀଙ୍କୁ ନିର୍ଦ୍ଦୋଷରେ ବଧ କରିଛି । ଏ ପାପ ଲାଗି ଦଇବ ପୁଣି ମୋତେ କେଉଁ ଦଣ୍ଡରେ ହାଜର କରାଇବ ସେ ଜାଣେ । ସେକଥା ଭାବିଲେ ମୋ କଲିଜା ଥରିଯାଉଛି । ଆପଣ ମୋତେ ରକ୍ଷାକରନ୍ତୁ । ମୁଁ ଆଜିଠାରୁ ଆପଣଙ୍କର ଶିଷ୍ୟ ହେଲି । ଆପଣ ମୋର ଇଷ୍ଟଗୁରୁ । ମୋତେ ରକ୍ଷା ପାଇବାର ବାଟ କହିଦିଅନ୍ତୁ । ମୁଁ ଆପଣଙ୍କଠାରେ ଶରଣ ମାଗୁଛି । ଏହିଠାରେ ରହି ଆପଣଙ୍କ ସେବାରେ ମୁଁ ଦିନ କଟାଇବି, ଏଇ ମୋର ସଂକଳ୍ପ ।’

 

ବ୍ରାହ୍ମଣ କହିଲେ—‘ମୁଁ ଯେ ବ୍ରାହ୍ମଣ । ତୁ ଜାତିରେ ଶବର ହୋଇ କିପରି ମୋର ସେବା କରିବାକୁ କହୁଛୁ ? ସେ ଅଧିକାର ତୋର ନାହିଁ । କୌଣସି ଧର୍ମ ଉପଦେଶ ଶୁଣିବାକୁ ମଧ୍ୟ ତୁ ଅଧିକାରୀ ନୋହୁ । ତୁ ବାହାରି ଯା । ତୋଠାରୁ କୌଣସି ସେବା ପାଇବା ମୋର ଦରକାର ନାହିଁ ।’

 

ଶବର ଭୋ-ଭୋ ରଡ଼ିକରି କାନ୍ଦିବାକୁ ଲାଗିଲା । ଶେଷକୁ କହିଲା—‘ମହାପ୍ରଭୁ ! ଆପଣ ଯାହା କହିଲେ—ମୁଁ ଆପଣଙ୍କ ସେବା କରିବାକୁ ଅଭାଜନ । ଆଉମଧ୍ୟ, ଧର୍ମକଥା ଶୁଣିବାକୁ ମୋର ଅଧିକାର ନାହିଁ । କପାଳକୁ ନିନ୍ଦିବି ସିନା, କାହାକୁ କହିବି ? ଏପରି ଧର୍ମଛଡ଼ା ଜୀବନ ଥାଇ କେତେ ନ ଥାଇ କେତେ ? ମୁଁ ଯେତେବେଳେ ଆପଣଙ୍କୁ ଗୁରୁକରି ମାନି ନେଇଛି—ଆଉ ହଟିବି ନାହିଁ । ଆପଣ ମତେ ନ ଚାହିଁଲେ ମଧ୍ୟ ମୁଁ ଏଇଠି ଆପଣଙ୍କ ପାଖରେ ପଡ଼ି ପଡ଼ି ମରିବି ।’ ଶବର ଭୋ-ଭୋ କାନ୍ଦିଲା ।

 

ଏହାଦେଖି ବ୍ରାହ୍ମଣ ବଡ଼ ଅଡ଼ୁଆରେ ପଡ଼ିଲେ । ଗାଁ ଗହଳ ଛାଡ଼ି ଆସି ବଣ ଜଙ୍ଗଲରେ ରହିଲେ ମଧ୍ୟ ବିଘ୍ନ ଗୋଡ଼ାଇଛି । ଏ କିରାତ ଲୋକ ଖୁବ୍‌ ଝୁଙ୍କିବାଦୀ । କିପରି କୌଶଳରେ ତାକୁ ସେଠାରୁ ଅନ୍ତର ନ କଲେ ସବୁ କାର୍ଯ୍ୟଭ୍ରଷ୍ଟ ହେବ । ସେ ବହୁତ ଭାବିଚିନ୍ତି ଶବରକୁ କହିଲେ—‘ତୁ କହୁଚୁ ଯେ ମତେ ଗୁରୁ କଲୁ । ଭଲକଥା, ମୁଁ ତୋର ଗୁରୁ ହେଲି । ଶିଷ୍ୟହେଲେ ଗୁରୁ ଯାହା କହନ୍ତି ତାହା କରିବାକୁ ହୁଏ, ଏକଥା ଜାଣିଛୁତ ?’

 

ଶବର ଟିକିଏ ଆଶ୍ୱସ୍ତ ହୋଇ କହିଲା—‘ଆଜ୍ଞା, ଆପଣ ଯାହା ବରାଦ କରିବେ ମୋ ପ୍ରାଣ ଗଲେ ମଧ୍ୟ ମୁଁ କରିବି । ଆପଣଙ୍କ କଥା ତଳେ ପକାଇବି ନାହିଁ, ଏକଥା ପ୍ରମାର କରି କହୁଛି-।’

 

ବ୍ରାହ୍ମଣ କହିଲେ—‘ଭଲକଥା । ଏବେ ତୁ ଶୀଘ୍ରଯାଇ ମୋ ପୁଅ କେଉଁଠି ବୁଲୁଛି ତାକୁ ମୋ ପାଖକୁ ଘେନି ଆସିବୁ । ବୋଧହୁଏ ସେ ଏଇ ସାମନା ଦିଗରେ ଥିବ । ଆଉ ଦେଖ—ପୁଅକୁ ନ ଆଣି ମୋ ପାଖକୁ ଆସିବୁ ନାହିଁ ।

 

ବ୍ରାହ୍ମଣଙ୍କ କଥାରେ ଶବର ଉତ୍‌ଫୁଲ୍ଲିତ ହୋଇ ଯିବାକୁ ତତ୍ପର ହେଲା । ପୁଅର ରୂପ-ବର୍ଣ୍ଣ ବୟସ-ନାମ ପ୍ରଭୃତି ସଙ୍କେତ ଜାଣିବା ନିତାନ୍ତ ଦରକାର । ତାହା ଜାଣିବାକୁ ପଚାରନ୍ତେ ବ୍ରାହ୍ମଣ କହିଲେ—‘ତୋ’ ରୂପ କଳା । ଖଣ୍ଡେ ହଳଦିଆ ଲୁଗା ପିନ୍ଧିଥିବ । ଦେହରେ ଗହଣାପତ୍ର ଅଛି । ବେକରେ କାଇଁଞ୍ଚ ମାଳୀଟାଏ ଆଉ ମୁଣ୍ଡରେ ଗୋଟାଏ ମୟୁର ପୁଚ୍ଛ ସେ ଖୋସିଥାଏ । ବଂଶୀ ବଜାଇବାରେ ତା’ର ଭାରି ସଉକ । ତେଣୁ ଦେଖିବୁ, ତା ହାତରେ ବଂଶୀଟାଏ ଥିବ । ତା’ ନା କୃଷ୍ଣ । କେହି କେହି ଗୋବିନ୍ଦ କିମ୍ବା ବନମାଳୀ ବୋଲି ମଧ୍ୟ ଡାକନ୍ତି ।

 

ଶବର ହୃଷ୍ଟ ଚିତ୍ତରେ ଗୁରୁଙ୍କ ପାଦ ନିକଟରେ ମୁଣ୍ଡିଆମାରି ଠିକ୍‌ ଗୁରୁ କହିଥିବା ସାମନା ଦିଗକୁ ଲକ୍ଷ୍ୟକରି ଚାଲିଲା । ଆଗରେ ବାଟ ଯେତେ ଦୁର୍ଗମ ହେଲେ ମଧ୍ୟ ସେ ହଟି ନଯାଇ ସିଧାସଳଖ ଚାଲିଥାଏ । ମଧ୍ୟେ ମଧ୍ୟେ—‘ହେ କୃଷ୍ଣ, ହେ ଗୋବିନ୍ଦ, ହେ ବନମାଳୀ’ ଡାକ ଛାଡ଼ିଥାଏ-। ଦିନଯାଇ ରାତି ହେଲା, ରାତି ଯାଇ ଦିନ ଆସିଲା । ଶବର ନ ଖାଇ ନ ପିଇ ଡାକି ଡାକି ବାଟ ଚାଲିଛି । ଦୁଇଦିନ ପରେ ସେ ଅତିଶୟ କ୍ଳାନ୍ତ ଓ ଦୁର୍ବଳ ହୋଇ ପଡ଼ିଲା । ‘ହେ କୃଷ୍ଣ, ହେ ଗୋବିନ୍ଦ, ହେ ବନମାଳୀ’ ଡାକି ଡାକି ଅବଶ ହୋଇ ଜଙ୍ଗଲ ମଧ୍ୟରେ ବସିପଡ଼ିଲା ।

 

ଶବର ଦେଖିଲା, ଜଙ୍ଗଲ ମଧ୍ୟରୁ ତା ଗୁରୁପୁତ୍ର ହସିହସି ତା ପାଖକୁ ଆସୁଛନ୍ତି । ଶବରର ଆନନ୍ଦ କହିଲେ ନ ସରେ । ସବୁ ଦୁଃଖକଷ୍ଟ ସେ ଭୁଲିଯାଇ ତାଙ୍କ ହାତକୁ ଧରିପକାଇ କହିଲା, ‘ତୁମେ ବଡ଼ ଚଗଲା । ତୁମ ବାପା ତେଣେ ତୁମକୁ ଖୋଜୁଛନ୍ତି, ତୁମେ ଆସି ଏତେ ଦୂରରେ ଏଆଡ଼େ ବୁଲୁଛ । ତୁମକୁ ସାଙ୍ଗରେ ନେଇ ଯିବାପାଇଁ ସେ ମୋତେ ପଠାଇଛନ୍ତି । ଆସ, ଯିବା । ତୁମେ ଚଗଲାଲୋକ । କାଳେ କେଉଁଆଡ଼େ ପୁଣି ପଳାଇଯିବ । ମୋ କାନ୍ଧରେ ବସ, ମୁଁ ନେଇଯିବି-।’

 

ଗୁରୁପୁତ୍ର ହସିହସି ଶବର କାନ୍ଧରେ ବସିଲେ । ଶବର ମନ ଆନନ୍ଦରେ ଭୋକ-ଶୋଷ ଭୁଲିଯାଇ ଚାଲିଲା । ଗୁରୁଙ୍କ ଆଶ୍ରମ ବୃକ୍ଷ ଅଳ୍ପ ଦୂର ଥାଉଣୁ ଗୁରୁପୁତ୍ର ଶବର କାନ୍ଧରୁ ଓହ୍ଲାଇପଡ଼ି ଚାଲିଚାଲି ଯିବାକୁ ପ୍ରସ୍ତୁତ ହେଲେ । କାଳେ ପଳାଇଯିବ, ଏଇ ଆଶଙ୍କାରେ ଶବର ତାଙ୍କ ହାତ ଧରି ଧରି ଆଗେ ଆଗେ ଚାଲିଲା । ଗୁରୁଙ୍କ ନିକଟରେ ପହଞ୍ଚି ଶବର ଜଣାଇଲା, ‘ଗୁରୁ ଆଜ୍ଞା, ମୋର କିଛି ଦୋଷ ନାହିଁ । ଆପଣଙ୍କ ପୁଅ ବଡ଼ ଚଗଲା । ବହୁତ ଦୂର ପଳାଇ ଯାଇଥିଲେ । ମୁଁ ଦୁଇଦିନକାଳ ବୁଲିବୁଲି ୟା’ଙ୍କୁ ଠାବକଲି । ତେଣୁ ଆସିବାରେ ବିଳମ୍ବ ହେଲା । ମୋତେ କ୍ଷମା କରିବେ ।’

 

ବ୍ରାହ୍ମଣ ଦେଖିଲେ ଶବର ବାଚାଳଙ୍କ ପରି ଏପରି ଗୁଡ଼ାଏ କଣ କହୁଛି । ଜଙ୍ଗଲରେ ବୁଲି ବୁଲି ତା ମୁଣ୍ଡ ବିଗିଡ଼ି ଯାଇଥିବ । ତାକୁ ପଚାରିଲେ—‘କିରେ ! ତୁ ମୋ ପୁଅକୁ ସଙ୍ଗରେ ନ ଆଣି ଏଠାକୁ କାହିଁକି ଆସିଲୁ ?’

 

ଶବର ଆଚମ୍ବିତ ହୋଇ କହିଲା—‘ଆଜ୍ଞା, ଏଇପରି ଆପଣଙ୍କ ପୁଅ ଠିଆ ହୋଇଛନ୍ତି । ଆପଣ ଯେତେ ଯେତେ ସଙ୍କେତ ଦେଇଥିଲେ ସବୁଗୁଡ଼ିକ ତ ଏହାଙ୍କଠାରେ ଅଛି । ସେ ମଧ୍ୟ ତାଙ୍କ ନାଁ କୃଷ୍ଣ ବୋଲି କହୁଛନ୍ତି । ଆଉ ପୁଣି ୟେ ଆପଣଙ୍କ ପୁଅ ନୁହନ୍ତି ବୋଲି ମୁଁ କିମିତି ଜାଣିବି ?’

 

ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇ କହିଲେ—‘କାହିଁ ? ତୁ ଯାହାକୁ ସଙ୍ଗରେ ଆଣିଛୁ ବୋଲି କହୁଛୁ ସେ କାହିଁ ?’

 

ଶବର କୃଷ୍ଣଙ୍କୁ ଦେଖିଛି, ତାଙ୍କ ହାତ ଧରିଛି । କିନ୍ତୁ ବ୍ରାହ୍ମଣଙ୍କୁ ସବୁ ଅଦୃଶ୍ୟ । ଶବର କୃଷ୍ଣଙ୍କ ହାତଧରି ଆଉ ଟିକିଏ ବ୍ରାହ୍ମଣଙ୍କ ପାଖକୁ ଟାଣିଆଣି କହିଲା, ‘ଗୁରୁଆଜ୍ଞା ! ଏଇ ପରା, ୟେ କଣ ଆପଣଙ୍କ ପୁଅ ନୁହନ୍ତି ?’

 

ଶବର କୃଷ୍ଣଙ୍କ ହାତଧରି ଟାଣି ଆଣିବାବେଳେ ତାଙ୍କ ପାଦର ନୁପୂର ଧ୍ୱନି ବାଜିଉଠିଲା ଏବଂ କୃଷ୍ଣ ଟିକିଏ ବଂଶୀ ବଜାଇ ଦେଲେ ।

 

ବ୍ରାହ୍ମଣ ଉଦ୍‌ଭ୍ରାନ୍ତ ଭାବରେ ଚିତ୍କାର କଲେ, ‘ଶବର ! ହେ ଭାଗ୍ୟବାନ୍‌ ପୁରୁଷ ! ତୁ ପାଇଲୁ, ମୁଁ ହତଭାଗା ପାଇଲି ନାହିଁ । ତୁ ଶବର ନୋହୁ, ତୁ ମହାପୁରୁଷ, ତୁ ମୋର ଗୁରୁ !’ କହୁଁ କହୁଁ ବ୍ରାହ୍ମଣ ମୂର୍ଚ୍ଛିତ ହେଲେ ।

 

କୃଷ୍ଣ ଅନ୍ତର୍ଦ୍ଧାନ ହୋଇଗଲେ । ଶବର କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଚାହିଁ ରହିଲା ।

 

ବ୍ରାହ୍ମଣ ଧିରେ ଚେତା ଫେରିଯାଇ ଉଠି ବସିଲେ । ଏ ସମୟରେ ଶୂନ୍ୟବାଣୀ ଶୁଭିଲା, ‘ନିୟତି ନିୟମରେ ବ୍ରାହ୍ମଣ ଶବରର ଭେଦବିଚାର ନାହିଁ । ଶବର ନିଜର ବିଶ୍ୱାସ, ଦୃଢ଼ ନିଷ୍ଠାଯୋଗେ ପ୍ରାଣର ଆଶା ନରଖି ମଧ୍ୟ କାର୍ଯ୍ୟ ସାଧନରେ ବ୍ରତୀ ହେଲା । ବ୍ରାହ୍ମଣ ସଂକୀର୍ଣ୍ଣମନା, ଆତ୍ମବଡ଼ିମା ଗ୍ରସ୍ତହୋଇ ମନ୍ଦ ଅଭିପ୍ରାୟ ରଖି ଶବରକୁ ଅନ୍ତର କଲା । ଉଭୟଙ୍କର କାର୍ଯ୍ୟ ମଧ୍ୟରେ ବହୁତ ବ୍ୟବଧାନ । ନିୟତି ପ୍ରତ୍ୟେକଙ୍କୁ ଯଥୋପଯୁକ୍ତ ଫଳ ଦେବାରେ କୁଣ୍ଠିତ ହୋଇନାହିଁ ।’

Image

 

ଋଣଶୋଧ

 

ହସ୍ତିନା ନଗରୀ ମଧ୍ୟସ୍ଥ ବିଶାଳ କାରାଗାରର ଏକ ପ୍ରଶସ୍ତ କକ୍ଷ ମଧ୍ୟରେ ଗାନ୍ଧାର ରାଜା ଶତପୁତ୍ରଙ୍କ ସହିତ ରାଜବନ୍ଦୀ । ହସ୍ତୀନାଧିପତି ଦୁର୍ଯ୍ୟୋଧନର ନିର୍ମମ ନିଷ୍ଠୁର ଆଦେଶ । ରାଜକୀୟ ଭୋଗବିଳାସ ଐଶ୍ୱର୍ଯ୍ୟ ମଧ୍ୟରେ ଜୀବନ ଅତିବାହିତ କରୁଥିବା ଗୋଟାଏ ବୃହତ୍‌ ରାଜପରିବାର ଭାଗ୍ୟ ପ୍ରଭାବରେ ଆଜି ଶୋଚନୀୟ ଭାବରେ ଦୁର୍ଦ୍ଦଶାଗ୍ରସ୍ତ । ଋଦ୍ଧ କାରାଗାରର ଭୂତଳ ସେମାନଙ୍କର ଶଯ୍ୟା । ସାଧାରଣ ବ୍ୟକ୍ତିର ଦୈନନ୍ଦିନ ଖାଦ୍ୟପରି ନିରସ କଦର୍ଯ୍ୟ ଖାଦ୍ୟ ଦ୍ୱାରା ଜୀବନ ଧାରଣ କରିବାକୁ ବାଧ୍ୟ । ସେତିକି ମଧ୍ୟ ନୁହେଁ, ଦିନକୁଦିନ ଖାଦ୍ୟର ପରିମାଣ କ୍ରମଶଃ ହ୍ରାସ ହେଉଥିବା ଦ୍ୱାରା ଜଣାଯାଉଛି, ଯେପରି କି ବନ୍ଦୀମାନେ ଅନ୍ନ ବିନା ମୃତ୍ୟୁ ମୁଖରେ ପଡ଼ିବା ବନ୍ଦୀକର୍ତ୍ତାଙ୍କର ଅଭିପ୍ରେତ ।

 

ଶତପୁତ୍ର ପରିବେଷ୍ଟିତ ଗାନ୍ଧାରରାଜା ମୁହଁ ତଳକୁ ପୋତି ବସିଛନ୍ତି । ପୁତ୍ରମାନଙ୍କ ମୁହଁ ମଧ୍ୟ ଦୁଶ୍ଚିନ୍ତାରେ ଝାଉଁଳି ପଡ଼ିଛି । ସମସ୍ତେ ଆକୁଳିତ, ବିଷାଦଗ୍ରସ୍ତ । କାରାଗାରର ଚାରିପାଖ କାନ୍ଥରେ ମୃତ୍ୟୁର ବିଭୀଷିକାମୟ ଛାୟା ନୃତ୍ୟ କରୁଥିବାର ଯେପରି ସେମାନେ ଦେଖିବାକୁ ପାଉଛନ୍ତି । ଭୟ ଆଉ ନୈରାଶ୍ୟରେ ପ୍ରାଣ ଶୁଷ୍କ ହୋଇ ଆସୁଛି । ନିରବରେ କେବଳ ମୃତ୍ୟୁର ପଦଧ୍ୱନିକୁ ଅପେକ୍ଷା କରିବା ବ୍ୟତୀତ ଗତ୍ୟନ୍ତର ନାହିଁ ।

 

ଦୀର୍ଘ ନିରବତା ଭଙ୍ଗକରି ଶକୁନି ଡାକିଲା—‘ବାପା’ !

 

ରାଜା ମୁଣ୍ଡଟେକି ଚାହିଁଲେ, ମାତ୍ର କିଛି ନ କହି ପୁଣି ମୁଣ୍ଡ ପୋତିଲେ । ଶକୁନି ପୁଣିଥରେ କରୁଣ କାତର କଣ୍ଠରେ ଡାକିଲା—‘ବାପା ! ଏପରି ଶୋଚନୀୟ ଭାବରେ ଏଇ ଚାରିକାନ୍ଥ ମଧ୍ୟରେ ବନ୍ଦୀ ହୋଇ ଆମେ ସମସ୍ତେ ମରିଯିବା ସିନା ?’

 

ରାଜା ଦୀର୍ଘ ନିଃଶ୍ୱାସ ତ୍ୟାଗକରି କହିଲେ, ‘ବାବୁ ! ଆଉ କଣ ହୋଇପାରେ ? ପ୍ରଭୁଙ୍କର ଇଚ୍ଛା ।’

 

‘ଏ ଶହେ ଏକଜଣ ନିର୍ଦ୍ଦୋଷ ନିରପରାଧଙ୍କ ପ୍ରାଣର ଆକୁଳ ନିବେଦନ କଣ ସେ ଶୁଣିବେ ନାହିଁ ?’ —ଶକୁନି କହିଲା ।

 

‘ଶୁଣିପାରନ୍ତି । ମାତ୍ର ତାଙ୍କ ବିଚାର ଆମେ ଶୁଣି ପାରିବା ନାହିଁ । ଆମେ ଯାହା ଅନୁଭବ କରିବା ତାହାହିଁ ତାଙ୍କ ବିଚାର ବୋଲି ମନେ କରିବାକୁ ହେବ ।’

 

‘ତେବେ କଣ ଆମ ସମସ୍ତଙ୍କୁ ବିନା କାରଣରେ ମାରିଦେବା ତାଙ୍କର ଇଚ୍ଛା ? ଏକଶହ ଏକ ଅନ୍ତରରେ ସମ୍ମିଳିତ କରୁଣ ଉଚ୍ଛ୍ୱାସ କଣ ତାଙ୍କ ଅନ୍ତରକୁ ସ୍ପର୍ଶ କରିବ ନାହିଁ ?’

 

‘କରିପାରେ । ମନେହୁଏ ତୁ ସମସ୍ତଙ୍କୁ ନେଇ କିପରି ଜୀବନରେ ବଞ୍ଚି ରହିବୁ ତାହାହିଁ ଚିନ୍ତା କରୁଛୁ । ତାହା ଆମ୍ଭମାନଙ୍କ ପକ୍ଷେ ପ୍ରଭୁଙ୍କର ଆଶୀର୍ବାଦ ହେବ ବୋଲି । ମନେ କରୁଛୁ ।’

 

‘ବର୍ତ୍ତମାନ ପରିସ୍ଥିତିରେ ଆଉ ଅଧିକ କଣ ଆଶା କରାଯାଇ ପାରେ ?’

 

‘ଆମ୍ଭମାନଙ୍କ ଜୀବନକୁ ଯେପରି ଅଧୋଗତି କରାଗଲାଣି, ଆତ୍ମମର୍ଯ୍ୟାଦାକୁ ଯେପରି ନିର୍ଦ୍ଦୟ ନିର୍ବିଚାରରେ ପଦଦଳିତ କରାଗଲାଣି—ସମାଜରେ ଆଉ ଲାଞ୍ଛିତ, ଭର୍ଚ୍ଛିତ, ଅପମାନିତ ହୋଇ ଭିକ୍ଷାଶୀ ଜୀବନ ଧାରଣ କରିବା ଅପେକ୍ଷା ଏହି ବନ୍ଦୀଗୃହରେ, ଲୋକଲୋଚନ ଅଗୋଚରରେ ସମସ୍ତଙ୍କର ମୃତ୍ୟୁ ହୋଇଯିବା ଶ୍ରେୟସ୍କର ।’

 

‘ବାପା ! ଏ ଲାଞ୍ଛନା ଏ ଅପମାନର କଣ ପ୍ରତିଶୋଧ ନାହିଁ ?’

 

ରାଜା ଟିକିଏ ବିଚଳିତ ହୋଇ କହି ଉଠିଲେ—‘ପ୍ରତିଶୋଧ ! ଅଛି ନିଶ୍ଚୟ । ମାତ୍ର, ଆମ୍ଭେମାନେ ଜୀବଦ୍ଦଶାରେ ବନ୍ଦୀମୁକ୍ତ ହୋଇ ପାରିଲେ ମଧ୍ୟ ପ୍ରବଳ ପରାକ୍ରାନ୍ତ ଦୁର୍ମତି ଦୁର୍ଯ୍ୟୋଧନର ପ୍ରତିଶୋଧ ନେଇ ପାରିବା, ସେ ଆଶା କରୁଛୁ କାହିଁକି ? ତାହା ଏକ ଅସମ୍ଭବ ପରିକଳ୍ପନା । ବରଂ ଦେହାନ୍ତ ହେବାପରେ ଆମ୍ଭମାନଙ୍କ ଆତ୍ମା ଯଦି ସମସ୍ୱରରେ ତାହା ଘୋଷଣା କରନ୍ତି ତାହା ଫଳପ୍ରଦ ହୋଇ ପାରିବା ବିଶ୍ୱାସ ।’

 

ଶକୁନି ପ୍ରଶ୍ନକଲା—‘ମୃତ୍ୟୁ ପରେ ସମସ୍ତଙ୍କ ଆତ୍ମା କଣ ସମ୍ମିଳିତ ହୋଇପାରେ ?’

 

‘ଅସମ୍ଭବ କିଛି ନୁହେଁ । ପ୍ରତ୍ୟେକ ଜୀବନର ମୃତ୍ୟୁକାଳୀନ ବଳବତୀ ଆକାଂକ୍ଷା ତାହାର ପରବର୍ତ୍ତୀ ଜୀବନକୁ ଠିକ୍ ସେହି ଦିଗରେ ପରିଚାଳନ କରେ । ପ୍ରତ୍ୟେକଙ୍କ ପ୍ରାଣରେ ଯଦି ଏ ଦୁରନ୍ତ ଆଘାତରୁ ବ୍ୟଥା ଅନିଭୂତ ହେଉଥାଏ, ପ୍ରତ୍ୟେକ ଅନ୍ତରରେ ଯଦି ସେଥିପାଇଁ ପ୍ରତିଶୋଧର ବହ୍ନି ଜଳିଉଠେ, ଅନ୍ତିମ ଅବସ୍ଥାରେ ‘ପ୍ରତିଶୋଧ’ ମନ୍ତ୍ର ଧ୍ୟାନ କରି ଯଦି ଆତ୍ମା ଦେହମୁକ୍ତ ହୁଏ, ତେବେ ଉଦ୍ଦେଶ୍ୟ ସାଧନ ନିମନ୍ତେ ଅବଶ୍ୟ ସେମାନଙ୍କର ଆଭିମୁଖ୍ୟ ସମ୍ମିଳିତ ଭାବ ଗ୍ରହଣ କରିପାରିବ, ଏହା ଶାସ୍ତ୍ର ସମ୍ମତ ।’

 

‘ତେବେ ବର୍ତ୍ତମାନର ପରିସ୍ଥିତିରେ ଆମ୍ଭମାନଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ ଉପଦେଶ ଦିଅନ୍ତୁ-।’

 

‘ଅବଶ୍ୟ କହିବି । କିନ୍ତୁ କିଛି କହିବା ପୂର୍ବରୁ ମୁଁ ଜାଣିବାକୁ ଚାହେଁ ଯେ ତୁମ୍ଭମାନଙ୍କର କାମ୍ୟ ପ୍ରାଣରକ୍ଷା ନା ପ୍ରତିଶୋଧ ?’

 

ସମସ୍ତେ ଏକ ସ୍ୱରରେ କହି ଉଠିଲେ—‘ପ୍ରତିଶୋଧ—ପ୍ରତିଶୋଧ ।’ ବନ୍ଦୀଗୃହ ପ୍ରକମ୍ପିତ ହୋଇ ଉଠିଲା ।

 

ଗାନ୍ଧାରରାଜା ଧିର ଗମ୍ଭୀର ଭାଷଣରେ ଆରମ୍ଭ କଲେ—‘ତୁମ୍ଭେମାନେ ମୋ ରକ୍ତରେ ଜାତ, ମୋର ଅତି ପ୍ରିୟ, ଆଦରର ସନ୍ତାନଗଣ । ନିଜର ପ୍ରାଣ ବିନିମୟରେ ମଧ୍ୟ ସନ୍ତାନର ପ୍ରାଣରକ୍ଷା କରିବାକୁ ଯିବା ପିତା ପକ୍ଷରେ କର୍ତ୍ତବ୍ୟ ହୋଇପାରେ । ମାତ୍ର, ମୁଁ ଏଠାରେ ଯାହା କହିବାକୁ ଯିବି, ତାହା ସମ୍ପୂର୍ଣ୍ଣ ବିପରୀତ, ତାହା ଆର୍ଯ୍ୟଧର୍ମର ସାମାଜିକ ଜୀବନରେ ଏକ ଅକଳ୍ପନୀୟ ବ୍ୟତିପାତ ।’

 

କ୍ଷଣେ ନିରବ ରହି ପୁଣି କହିଲେ—‘ବର୍ତ୍ତମାନ ତୁମ୍ଭମାନଙ୍କର ଜୀବନକୁ ନିଷ୍ପେଷିତ କରାଯାଉଛି—ପଙ୍ଗୁକରି ଦିଆଯାଉଛି । ଏଥିରୁ ରକ୍ଷାପାଇ ଆତ୍ମସମ୍ମାନହୀନ ଜୀବନ ବଞ୍ଚିବା କଣ ଆଶା କରୁଛ ? ପରନ୍ତୁ, ବଞ୍ଚିବାର ଆଶା ମଧ୍ୟ କ୍ଷୀଣ । ମନେ କରୁଛି, ଅନ୍ନାଭାବ ଜନିତ କ୍ଳେଶକର ପତନ ଆମ୍ଭମାନଙ୍କୁ ଭୋଗ କରିବାକୁ ହେବ । ତେଣୁ ମୁଁ ତୁମ୍ଭମାନଙ୍କର ଜୀନକ ହେଲେ ମଧ୍ୟ ଅନ୍ତରର ସମସ୍ତ ସ୍ନେହ ମମତାକୁ, ଦୂରରେ ରଖି, ଏ ହୃଦୟକୁ ପାଷାଣୀଭୂତ କରି, ନିର୍ମମ-ନିଷ୍ଠୁର ଭାବରେ କହିବାକୁ ଯାଉଛି ଯେ, ସମସ୍ତେ ‘ପ୍ରତିଶୋଧ’ ମନ୍ତ୍ର ଜପ କରି ସ୍ୱଇଚ୍ଛାରେ ଆତ୍ମବଳି ଦେବାକୁ ପ୍ରସ୍ତୁତ ହେବା ବାଞ୍ଛନୀୟ ।’

 

ପୁତ୍ରମାନେ ଜଣ ଜଣ ହୋଇ ଗର୍ବିତ ଭାବରେ କହିଉଠିଲେ, ‘ପ୍ରସ୍ତୁତ’—ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ ।’

 

କିଛିସମୟ ପାଇଁ କାରାକକ୍ଷ ମୁଖରିତ ହୋଇ ପୁଣି ନିସ୍ତବ୍‌ଧ ହେଲା । ରାଜା କହିଲେ–‘ଜୀବାତ୍ମା ତାହାର ମୃତ୍ୟୁକାଳୀନ ଏକାନ୍ତ ଅଭିଳାଷ ସିଦ୍ଧି ନିମନ୍ତେ ନିଶ୍ଚୟ ସୁଯୋଗ ପାଇବ, ମାତ୍ର ତାହା ବହୁ ଦୂରର କଥା । ସେଥିପାଇଁ ଜନ୍ମାନ୍ତରରେ ଭୌତିକ ଦେହ ଲାଭକରି କିଏ କେତେଦୂର ଉଦ୍ଦେଶ୍ୟ ସିଦ୍ଧିପାଇଁ ସମର୍ଥ ହେବ କୁହାଯାଇ ନ ପାରେ । ଅଧିକନ୍ତୁ ତାହା ନିକଟ ଭବିଷ୍ୟତର ସମ୍ଭାବନା ନୁହେଁ । କେବଳ ସମ୍ମିଳିତ ଆତ୍ମାର ଅଭିସଂପାତ ଏକୀଭୂତ ହୋଇ ନିୟତିର ଗତିପଥକୁ ପ୍ରଭାବିତ କରିପାରେ—ତାତ୍କାଳିକ ଫଳ ଦେଇପାରେ, ଏ ବିଶ୍ୱାସ ରହିଛି । ତେଣୁ, ସମସ୍ତେ ଆସ, ଏକମନ ଓ ଏକ ପ୍ରାଣରେ ଅସନ୍ତୋଷ ଏବଂ ଅଭିଶାପ ବ୍ୟକ୍ତକରି ମୃତ୍ୟୁକୁ ଆଲିଙ୍ଗନ କରିବା ।

 

ପୁତ୍ରମାନେ ଜିଙ୍ଘାସୁ ଶ୍ୱାପଦ ପରି ଗର୍ଜିଉଠିଲେ—‘ଉଦ୍ଦେଶ୍ୟ ସାଧନ ପାଇଁ ଆଜିଠାରୁ ଆମ୍ଭେମାନେ ଅନ୍ନଗ୍ରହଣ ପରିତ୍ୟାଗ କଲୁ ।’

 

ରାଜା ଗଦ୍‌ଗଦ୍‌ ହୋଇ କହିଲେ—‘ଶତପୁତ୍ରଙ୍କୁ ଅନଶନ ଯୋଗେ ମୃତ୍ୟୁବରଣ କରିବାକୁ ଉପଦେଶ ଦେଇ ସେମାନଙ୍କର ପିତା ଯେ ସନ୍ତୁଷ୍ଟ ଏବଂ ଗର୍ବିତ ହୋଇପାରେ, ଏହା ଯୁଗଇତିହାସରେ ଏକ ନିର୍ମମ ବିପ୍ଳବ । ବର୍ତ୍ତମାନ ପ୍ରତିଶୋଧର ପ୍ରଶ୍ନ ଅବାନ୍ତର । କୁରୁକୁଳର ଧ୍ୱଂସ ନିମନ୍ତେ ମର୍ମ ତନ୍ତ୍ରୀରେ ଅଭିସମ୍ପାତ ମନ୍ତ୍ର ଝଙ୍କୃତ ହେଉ ।’

 

ପୁଣି କ୍ଷଣେ ନିରବ ରହିବା ପରେ କହିଲେ, ଅଭିସମ୍ପାତ; ନିଷ୍ପେଷିତ ଆତ୍ମାର ଅଭିସମ୍ପାତ, ତାହା କଦାପି ବ୍ୟର୍ଥ ହୋଇ ନପାରେ । କିନ୍ତୁ ସେହି ଅଭିଶାପକୁ ରୂପାୟିତ ଏବଂ ଫଳପ୍ରସୂ କରିବା ନିମନ୍ତେ ନିଶ୍ଚୟ କୌଣସି ବଳିଷ୍ଠ ବ୍ୟକ୍ତିତ୍ୱର ନେତୃତ୍ୱ ସମ୍ଭାବିତ ହେବ ଏବଂ ସେହି ବ୍ୟକ୍ତିତ୍ୱ ମଧ୍ୟରେ ଆମ୍ଭମାନଙ୍କର ଆତ୍ମଶକ୍ତି ପ୍ରଭାବିତ ହୋଇ ତାହାକୁ ଶକ୍ତିମାନ୍‌ କରିପାରିବ-। ଅବଶ୍ୟ ତାହା ନିୟତିର ଇଚ୍ଛାଧୀନ ।’’

 

ରାଜା କିଛି ସମୟ ଚିନ୍ତାମଗ୍ନ ରହିବା ପରେ ଆରମ୍ଭ କଲେ, ଆମ୍ଭମାନଙ୍କର ମୃତ୍ୟୁ ଦୁଯ୍ୟୋଧନର କାମ୍ୟ ହୋଇଛି, ଏହା ଜାଣିବା ଅତି ସହଜ । ମାତ୍ର ଦୈବଯୋଗେ କେହି ଅବା ବର୍ତ୍ତି ଯାଇପାରନ୍ତି କହି ହେବ ନାହିଁ । ସେପରି ହେବା ମଧ୍ୟ ବାଞ୍ଛନୀୟ ନୁହେଁ । ତଥାପି ଆମ୍ଭମାନଙ୍କ ମଧ୍ୟରେ ଜଣେ କେହି ବଞ୍ଚି ରହିବାକୁ ଯଦି ସମର୍ଥ ହୁଏ, ସେ ଆମ୍ଭମାନଙ୍କର ପୁଞ୍ଜୀଭୂତ ଆଶୀର୍ବାଦ ଗ୍ରହଣ କରି ଏ ଜଘନ୍ୟ ଅତ୍ୟାଚାରର ପ୍ରତିଶୋଧ ନେବାକୁ କଥଞ୍ଚିତ ଶକ୍ତି ଲାଭ କରିପାରିବ । ତେଣୁ ମୁଁ ମନେକରେ, ଆମ୍ଭମାନଙ୍କୁ ଦିଆଯାଉଥିବା ସମସ୍ତ ଖାଦ୍ୟ କେବଳ ସେହି ଜଣକ ଉଦ୍ଦେଶ୍ୟରେ ସଞ୍ଚିତ ରହୁ । ପ୍ରଭୁ ତାକୁ ରକ୍ଷାକରନ୍ତୁ, ଏ ଋଣଶୋଧ ପାଇଁ ଯଥାର୍ଥ ଶକ୍ତି ତା’ଠାରେ ଦିଅନ୍ତୁ, ଏହା ହିଁ ତା ପ୍ରତି ଆମ୍ଭମାନଙ୍କର ଅନ୍ତିମ ଆଶୀର୍ବାଦ ହେଉ ।’

 

ପୁତ୍ରମାନେ ଏଥିରେ ଉତ୍ସାହିତ, ଆଗ୍ରହାନ୍ୱିତ ହୋଇ ସମ୍ମତି ଜଣାଇଲେ । ରାଜା କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଶକୁନି କନିଷ୍ଠ । ସେ ସମସ୍ତଙ୍କ ଆଶୀର୍ବାଦ ଗ୍ରହଣ କରିବାର ପାତ୍ର । ଅଧିକନ୍ତୁ ତାହାର ବିଦ୍ୟା, ବୁଦ୍ଧି ଏବଂ ଦକ୍ଷତା ସମ୍ବନ୍ଧରେ ମୁଁ ନିଃସନ୍ଦେହ । ଆସ, ସମସ୍ତେ ତାହାଠାରେ ଅନ୍ତରର ଆଶୀର୍ବାଦ ଅର୍ପଣ କରି ଗାନ୍ଧାର ବଂଶର ଏକମାତ୍ର ଦାୟାଦ ରୂପେ ପ୍ରତିଷ୍ଠିତ କରିଯିବା ।’’

 

ପୁତ୍ରମାନଙ୍କ ଉତ୍ସାହପୂର୍ଣ୍ଣ ‘ହରିବୋଲ’ ଧ୍ୱନିରେ କକ୍ଷ ପ୍ରକମ୍ପିତ ହେଲା । ଶକୁନି ନତଜାନୁ ହୋଇ ଯୁକ୍ତ ହସ୍ତରେ ସମସ୍ତଙ୍କୁ ପ୍ରଣତି ଜଣାଇ ଅନ୍ତରର ଆବେଗ ଉଚ୍ଛ୍ୱାସରେ ବ୍ୟକ୍ତ କଲେ ‘‘ପିତଃ-! ପ୍ରିୟ ବରିଷ୍ଠ ଭାଇମାନେ ମୋର !

 

ତୁମ୍ଭମାନଙ୍କର ଏ ଆନ୍ତରିକତା ପୂର୍ଣ୍ଣ ମହାନ ଅଭିଳାଷ ମୋ ପ୍ରତି ଆଦେଶ ତୁଲ୍ୟ । ମୁଁ ତାହା ଅକାତରରେ ଗ୍ରହଣ କରି ନେଉଛି । ତୁମ୍ଭମାନଙ୍କର ସସ୍ନେହ ଆଶୀର୍ବାଦ ମୋତେ ଉଦ୍ଦିଷ୍ଟ କାର୍ଯ୍ୟ ସାଧନ ନିମନ୍ତେ ଜୀବନ ଦେଉ, ଶକ୍ତି ଦେଉ । ମୋର ଜନ୍ମଦାତା ପିତା ଆଉ ପ୍ରାଣୋପମ ଊନଶତ-ସହୋଧରଙ୍କର ବିକଳ ମୃତ କଳେବର ପରିବେଷ୍ଟିତ ହୋଇ ସେମାନଙ୍କର ଉଦ୍ଦେଶ୍ୟ ସାଧନ ନିମନ୍ତେ ଏ ବନ୍ଦୀଗୃହ ମଧ୍ୟରେ ବଞ୍ଚି ରହିବାକୁ ପ୍ରଭୁ ମୋତେ ଧୈର୍ଯ୍ୟ ଦିଅନ୍ତୁ, ଏହାହିଁ ପ୍ରାର୍ଥନା । ନିୟତିର ନିଷ୍ଠୁର ବିଧାନ ନିକଟରେ ଆମେ ସମସ୍ତେ ମ୍ରିୟମାଣ ସତ୍ୟ, କିନ୍ତୁ କ୍ଷାତ୍ରୋଚିତ କର୍ତ୍ତବ୍ୟ ଜ୍ଞାନ ଆମ୍ଭମାନଙ୍କୁ ପରାଜୟ କରିବାକୁ ଶିଖାଇ ନାହିଁ, ଏହା କାଳ ବକ୍ଷରେ ଲିପିବଦ୍ଧ ହୋଇ ରହିବ ।’’

 

ପୁନର୍ବାର ‘ହରିବୋଲ’ ଧ୍ୱନିରେ କକ୍ଷ ଅଭ୍ୟନ୍ତର ମୁଖରିତ ହୋଇ ଉଠିଲା ।

 

X X X

 

ଦିନ ପରେ ଦିନ ଅତୀତ ହେଲା । ଗୋଟି ଗୋଟି ହୋଇ ଶକୁନିର ପିତା ଏବଂ ସହୋଦରମାନେ ଟଳି ପଡ଼ିଲେ । ଶକୁନି ଏକାକୀ ପାନାହାର କରି ଭବିଷ୍ୟତ ଉଦ୍ଦେଶ୍ୟରେ ‘ଋଣଶୋଧ’ ମନ୍ତ୍ର ଧ୍ୟାନ କରି ନିର୍ଭୀକ ଚିତ୍ତରେ ବଞ୍ଚିରହିଲା । କ୍ରମେ ଖାଦ୍ୟ ପଡ଼ି ମିଳିବା ବନ୍ଦ ହୋଇଥିଲେ ମଧ୍ୟ ପୂର୍ବ ସଞ୍ଚିତ ଖାଦ୍ୟ ଯୋଗେ ଶକୁନି ଜୀବନ ଧାରଣ କରିବାକୁ ସମର୍ଥ ହେଲା ।

 

ଅନେକ ଦିନ ଅବଧି ବନ୍ଦୀମାନଙ୍କୁ ଅନ୍ନଯୋଗାଣ ବ୍ୟବସ୍ଥା ବନ୍ଦ କରାଗଲାଣି, ଏ ପର୍ଯ୍ୟନ୍ତ ଆଉ କେହି ଜୀବିତାବସ୍ଥାରେ ନ ଥିବେ, ଏକଥା ସମସ୍ତେ ଧାରଣା କରିବା ସ୍ୱାଭାବିକ । ମଧ୍ୟେ ମଧ୍ୟେ ରାଜଅନୁଚରମାନେ ଆସି ବନ୍ଦୀଗୃହ ନିକଟରେ କାନଡ଼େରି ଅନୁମାନ କରିଯାନ୍ତି । କେହି ଜୀବିତ ବ୍ୟକ୍ତି ସେଥିମଧ୍ୟରେ ଥିବାର କୌଣସି ସୂଚନା ନ ପାଇ ରାଜାଙ୍କୁ ଜଣାନ୍ତି । ତଥାପି ବନ୍ଦୀଗୃହର କବାଟ ଆବଦ୍ଧ ରହିଥାଏ, ଖୋଲିବାକୁ ନିଷେଧ ।

 

ଦିନେ ଦୁର୍ଯ୍ୟୋଧନ ସଦମ୍ଭରେ ପ୍ରତ୍ୟକ୍ଷ ଅନୁଭବ କରିବା ଉଦ୍ଦେଶ୍ୟ ନେଇ ବନ୍ଦୀଶାଳା ନିକଟକୁ ଆସିଲେ । କାରାଗାରର ଅନତି ଦୂରର ଏକ ପାର୍ଶ୍ୱରେ ରକ୍ଷୀମାନଙ୍କ ନିବାସ ମଧ୍ୟରେ ପ୍ରଶସ୍ତ ପ୍ରାଙ୍ଗଣର ବ୍ୟବଧାନ । ଗୋଟିଏ ବିଶାଳ ବଟ ଦ୍ରୁମ ପ୍ରାଙ୍ଗଣର ମଧ୍ୟ ସ୍ଥଳରେ କାୟା ବିସ୍ତାର କରି ଦଣ୍ଡାୟମାନ । ଦୁର୍ଯ୍ୟୋଧନ ସେହି ବଟ ବୃକ୍ଷ ଛାୟାରେ ବସି ପ୍ରସ୍ରାବ ତ୍ୟାଗ କରିବା ସମୟରେ ସେଠାରେ ପଡ଼ିଥିବା ଶୁଷ୍କ ବଟଫଳ ପ୍ରସ୍ରାବ ସ୍ରୋତରେ ଭାସିଯିବା ଦେଖି ଆଚମ୍ବିତ ହୋଇ ହସି ପକାଇଲେ । ସେତେବେଳେ ସେ ଲକ୍ଷ୍ୟ କରି ପାରିଲେ ଯେ, ଅଦୂରସ୍ଥ କୁଟୀର ବାସିନୀ ରକ୍ଷୀ-ସ୍ତ୍ରୀ ମଧ୍ୟ ତାଙ୍କୁ ଚାହିଁ ହସିଦେଲା ।

 

ରକ୍ଷୀ-ସ୍ତ୍ରୀର ଏପରି ନିର୍ଲଜ୍ଜ ହସ ଦେଖି ଦୁର୍ଯ୍ୟୋଧନ ନିଜକୁ ଅପମାନିତ ଏବଂ ଲଜ୍ଜିତ ମନେକଲେ । ସେ କ୍ରୁଦ୍ଧ ହୋଇ ରକ୍ଷୀ ଏବଂ ତାହାର ସ୍ତ୍ରୀକୁ ଡକାଇ ‘‘ସେ କାହିଁକି ଏପରି ହସିଲା’’ ତାହା ପ୍ରକାଶ କରିବାକୁ ଆଦେଶ କଲେ । ରକ୍ଷୀ ଏବଂ ତାହାର ସ୍ତ୍ରୀ ଭୟରେ କମ୍ପିବାକୁ ଲାଗିଲେ । ଏ କଥାରେ ଉପଯୁକ୍ତ କାରଣ ଦର୍ଶାଇ ନ ପାରିଲେ ପରଦିନ ଉଭୟଙ୍କୁ ମୃତ୍ୟୁଦଣ୍ଡ ଭୋଗିବାକୁ ହେବ, ଏହା ଦୃଢ଼ଭାବରେ ଜଣାଇ ଦେଇ ରାଜା ବାହାରିଗଲେ । ମୃତ୍ୟୁ ଅନିର୍ବାର୍ଯ୍ୟ ଜାଣି ରକ୍ଷୀ ସ୍ୱାମୀ-ସ୍ତ୍ରୀ ଉଭୟେ ଭୀତତ୍ରସ୍ତ ହୋଇ ରୋଦନ କରିବାକୁ ଲାଗିଲେ ।

 

ରାତ୍ରିର ଶେଷ ପ୍ରହର । ଶକୁନି ନିଜର ଭାଗ୍ୟ ଗଣନା କରିବାରେ ଏକାନ୍ତ ନିବିଷ୍ଟ ଚିତ୍ତ । ହଠାତ୍‌ ଏକ ଦିବ୍ୟ ଆଲୋକରେ କାରାଗାର କକ୍ଷ ଆଲୋକିତ ହୋଇ ଉଠିଲା । ସହସା ଜଣେ ଷୋଡ଼ଶୀ ଆବିର୍ଭୁତା ହୋଇ ଡାକିଦେଲେ—‘ଶକୁନି’ ।

 

ଶକୁନି ଚମକିତ ହୋଇ ଅପଲକ ନେତ୍ରରେ ଚାହିଁ ରହିଲେ । ମନେହେଲା ଏହା କୌଣସି ଦୈବୀମୟା ଅବା ନିଜର ଦୃଷ୍ଟି ବିଭ୍ରାନ୍ତି ହୋଇପାରେ । ସେ ପ୍ରତି ଉଦାସୀନ ହୋଇ ସେ ଧ୍ୟାନମନ୍ନସ୍ଥ ପରି ନୟନ ମୁଦ୍ରିତ କଲେ । ପୁନର୍ବାର ଶବ୍ଦ ହେଲା, ‘‘ଶକୁନି ।’’

 

ଏଥର ଶକୁନି ବୁଝିପାରିଲେ ଯେ ଏହା ଏକ ପ୍ରତ୍ୟକ୍ଷୀଭୂତ ସତ୍ୟ । ହୁଏତ ଦୈବୀମାୟା ହୋଇପାରେ । ସେ ଦୃପ୍ତ ସ୍ୱରରେ ପ୍ରଶ୍ନକଲେ, ‘‘ତୁମେ କିଏ ?’’

 

ଉତ୍ତର ମିଳିଲା, ‘‘ମୁଁ ଯେ କେହି ହୁଏ, ତୁମର କିଛି ଯାଏ ଆସେ ନାହିଁ । ତୁମେ କଣ ମୃତ୍ୟୁକୁ ଅପେକ୍ଷା କରି ବସି ରହିଛି ?’’

 

‘‘ଅସମ୍ଭବ । ମୃତ୍ୟୁ ଯେ ମୋର ଦାସ । ଯଥା ସମୟରେ ଆସି ମୋପାଇଁ ତାହାର କର୍ତ୍ତବ୍ୟ କରିଯିବ । ମୁଁ ତାହାକୁ ଅପେକ୍ଷା କରି ନପାରେ ।’’

 

‘‘ଆଉ କଣ ତୁମର ଆକାଂକ୍ଷା ? ଦୀର୍ଘାୟୁ ହେବ ? ପ୍ରତିଶୋଧ ନେବ ?’’

 

ଶକୁନି ବିସ୍ମିତ ହୋଇ ପ୍ରଶ୍ନକଲେ, ‘‘ମନେହୁଏ, ତୁମେ ଦୁର୍ଯ୍ୟୋଧନର ରାଜଲକ୍ଷ୍ମୀ ହୋଇଥିବ । ତେଣୁ ମୋର ନମସ୍ୟା ହୋଇ ନପାର ।’’

 

‘‘ତାହାର କାରଣ ?’’

 

‘‘କାରଣ, ତୁମେ ଜାଣ । ତୁମେ ବିଟଳ ଲକ୍ଷ୍ମୀ । ଦୁର୍ମେଧ ଦୁରାଚାରୀର ଆଶ୍ରୟ କରି ନିଜକୁ କଳଙ୍କିତା କରିଛ । ଯାଅ, ତୁମଠାରେ ଶକୁନିର କୌଣସି ପ୍ରୟୋଜନ ନାହିଁ ।’’

 

‘‘ଯଦି ମୁଁ ରାଜଲକ୍ଷ୍ମୀ ହୋଇ ତୁମର ଭାଗ୍ୟାକାଶକୁ ଉଜ୍ଜ୍ୱଳ କରେ ?’’

 

‘‘ନା-ନା, ମୋ ଭାଗ୍ୟାକାଶରେ କୌଣସି ରାଜଲକ୍ଷ୍ମୀର ଅଭ୍ୟୁଦୟ ମୁଁ କାମନା କରେ ନାହିଁ । ବରଂ ଏପରି ରାଜଲକ୍ଷ୍ମୀର ବିରୁଦ୍ଧରେ ଶକୁନି ଆତ୍ମସଂଗ୍ରାମ କରିବ ।’’

 

‘‘ତେବେ ତୁମେ ମୃତ୍ୟୁକୁ ପସନ୍ଦ କରୁଛ ନା କଣ ?

 

‘‘ମୃତ୍ୟୁ ମୋର ମାହିଁ । ସେ ସମ୍ବନ୍ଧରେ ଧାରଣା କରିବାକୁ ଯିବି କାହିଁକି ?’’

 

‘‘ତୁମେ ଯେ ବନ୍ଦୀ ଏବଂ ନିରନ୍ତନ, ଏକଥା ବୁଝିପାରୁଛ ?’’ ‘‘ସେପରି ଭ୍ରମାତ୍ମକ ପରିକଳ୍ପନା ମୋତେ ପ୍ରତାରିତ କରି ନପାରେ । ଶକୁନି ବନ୍ଦୀ ନୁହେଁ, ତାହାର ଆତ୍ମା ଅନନ୍ତ ମୁକ୍ତ ମାର୍ଗର ନିର୍ଭୀକ ସ୍ୱାଧୀନଚେତନା ବୀର । ଆତ୍ମାର ଅଭୀଷ୍ଟ ମନ୍ତ୍ରାଧ୍ୟାୟ ତାହାର ବୀର୍ଯ୍ୟ ବର୍ଦ୍ଧନକାରୀ ଅନ୍ନ ।’’

 

‘‘ତୁମର ଏପରି ଉକ୍ତି ବଡ଼ ହାସ୍ୟାସ୍ପଦ ମନେହୁଏ ଶକୁନି । ଏହା ଏକ ବାଚାଳତା ।’’

 

‘‘ହାଃ-ହାଃ-ହାଃ, ବାଚାଳତା ? ବାଚାଳତା ତୁମର ନା ମୋର ? ଦେଖିପାରୁଛ ? ଦେଖିବାର ସାମର୍ଥ୍ୟ ଅଛିତ ? ଦେଖ, ଏ କକ୍ଷର ପ୍ରତ୍ୟେକ ପ୍ରାନ୍ତରେ ମୋର ପିତା ଆଉ ଊନଶତ ଭାଇଙ୍କର ଅମର ଆତ୍ମା କର ପ୍ରସାରଣ କରି ମୋ ଶିରୋଦେଶରେ ଆଶୀଷ ଅର୍ପଣ କରୁଅଛନ୍ତି । ଆଉ ଦେଖ, ସେମାନଙ୍କ ଆତ୍ମାର ଅନ୍ତିମ ଅଭିଳାଷ ଏକ ଲକ୍ଷ୍ୟରେ ଏକାଗ୍ର ଭାବରେ ସମ୍ମିଳିତ ହୋଇ ଯେଉଁ ଦୁର୍ଜ୍ଜୟ ମହାମନ୍ତ୍ର ଘୋଷଣା କରୁଛନ୍ତି ତାହା କିପରି ମନ୍ଦାକିନୀ ସଦୃଶ ବହି ଆସି ଶକୁନିର ଆତ୍ମାକୁ ପ୍ଳାବିତ କରୁଅଛି । ଶକୁନୀ ଏକ ନୁହେଁ, ଏକଶକ ଏକ ଆତ୍ମାର ବଳିଷ୍ଠ ସମାହାର-। ଦୁର୍ଯ୍ୟୋଧନର ରାଜଲକ୍ଷ୍ମୀ ତା ନିକଟରେ ନିତାନ୍ତ ହେୟ ।’’

 

‘‘ଶକୁନି, ସ୍ଥିର ହୁଅ । ମୁଁ ସବୁ ବୁଝିପାରୁଛି । ଆଉ ମଧ୍ୟ ବୁଝିଛି ଯେ ତୁମେ ଆତ୍ମବଳରେ ବଳୀୟାନ ହୋଇ ଅଭୀଷ୍ଟ ଲାଭ କରି ପାରିବ । ବର୍ତ୍ତମାନ କହିପାରିବ, ‘ଶକୁନି’ ଏହି ନାମକରଣ ତୁମର କାହିଁକି ହୋଇଛି ?’’

 

‘‘ମୋର ପିତାମାତାଙ୍କ ଇଚ୍ଛାରେ ।’’

 

‘‘ନା, ତାହାଠିକ୍ ନୁହେଁ । ମୋ ଇଚ୍ଛା ହିଁ ସେମାନଙ୍କଠାରେ ପ୍ରତିଫଳିତ ହୋଇ ଏପରି ନାମକରଣ କରାଇଛି । ଶକୁନି, ଏହା କେବଳ ତିନିଗୋଟି ଅକ୍ଷରର ସାଧାରଣ ସମାବେଶ ନୁହେଁ, ‘ଶତ କୁରୁକୁଳ ନିପାତିନ’ର ବୀଜ ଶକ୍ତି ଆଧାର ଉପରେ ‘ଶକୁନି’ ସେହି ଶକ୍ତିର ସଂକ୍ଷିପ୍ତ ପରିଚୟ । ତୁମର ଦୃଢ଼ ଆତ୍ମବିଶ୍ୱାସ ଦେଖି ମୁଁ ପ୍ରୀତ ହୋଇଛି । ତୁମର ଅଭୀଷ୍ଟ ପଥରେ ସହାୟତା କରିବା ନିମନ୍ତେ ମୁଁ ଆଜି ତୁମ ନିକଟରେ ଉପସ୍ଥିତ । ମୋତେ ଦୁର୍ଯ୍ୟୋଧନର ରାଜଲକ୍ଷ୍ମୀ ବୋଲି ଭ୍ରମ ବିଚାର କରନାହିଁ । ମୁଁ ‘ଶକୁନି’ ବୀଜମନ୍ତ୍ର ସାର୍ଥକ ପଥ ପ୍ରଦର୍ଶିକା । ତୁମର ଭାଗ୍ୟ ନିୟନ୍ତ୍ରୀ ନିୟତି-।’’

 

‘‘ତେବେ ଆପଣ ମୋର ବରଣୀୟା, ପୂଜ୍ୟା । ମୋର ସଭକ୍ତି ପ୍ରଣତି ଗ୍ରହଣ କରନ୍ତୁ । ମାତ୍ର, ଏ ପୂତି ଗନ୍ଧମୟ ନରକ ନିବାସକୁ ଆପଣଙ୍କର ଆଗମନ ଅତୀବ ବିସ୍ମୟକର ।’’

 

‘‘ସ୍ୱର୍ଗ ଅବା ନରକର ବିଭେଦ ବିଚାର ମୋ ନିକଟରେ ମୂଲ୍ୟହୀନ । ମୁଁ ସେପରି ବିକାର ବିଦ୍ୱେଷରୁ ଅତୀତ । କେବଳ କର୍ତ୍ତବ୍ୟ ନିଷ୍ଠା ହିଁ ମୋର ବ୍ରତ ।’’

 

‘ଆପଣଙ୍କ ଆଗମନର ଅଭିପ୍ରାୟ ଜଣାଇ ବାଧିତ କରନ୍ତୁ ।’ ‘ବେଶ୍‌, ଶୁଣ । ତୁମର ମୃତ ପିତା ଏବଂ ଊନଶତ ସହୋଦରଙ୍କ ଆତ୍ମାର ସମ୍ମିଳିତ ଅଭିଶାପ ବିନିଯୋଗ କରିବା ନିମନ୍ତେ ମୁଁ ଏକ ହସ୍ତରେ ଧାରଣ କରିଛି । ଅପର ହସ୍ତରେ ତୁମ ପ୍ରତି ସେମାନଙ୍କର ସମୂହ ଆଶୀର୍ବାଦ ତୁମକୁ ଅର୍ପଣ କରିବା ନିମିତ୍ତ ମୁଁ ଉପସ୍ଥିତ ହୋଇଛି ।’

 

‘ଆଦେଶ କରନ୍ତୁ’ କହି ଶକୁନି ସାଷ୍ଟାଙ୍ଗ ପ୍ରଣତି ନିବେଦନ କଲେ । ଭାଗ୍ୟଦେବୀ ଶକୁନି ମସ୍ତକରେ କରସ୍ପର୍ଶ ଦେଇ କହିଲେ, ‘ଉଠ, ଧୈର୍ଯ୍ୟଧର ! ଉପଯୁକ୍ତ ଅନୁକୂଳ ବାତ୍ୟା ପ୍ରବାହିତ ହେଉଛି । ତୁମରି ଦ୍ୱାରା ହିଁ କୁରୁବଂଶର ଧ୍ୱଂସ ସାଧିତ ହେବ । ନିର୍ଭୟ ହୁଅ, ନିର୍ଭର କର । ବର୍ତ୍ତମାନ ମୁଁ ତୁମକୁ ଏହି ତିନିଖଣ୍ଡ ଅସ୍ଥି ଦେଉଛି । ଏହା ତୁମ ମୃତ ପିତାଙ୍କର ବକ୍ଷାସ୍ଥି । ଏହାକୁ ଗଣ୍ଠିଧନ ସ୍ୱରୂପ ରଖ । ଏଥିରେ ପଶାକାଠି ପ୍ରସ୍ତୁତ କରି ପଶାଖେଳରେ ତୁମେ ଜଗଜ୍ଜୟ କରିପାରିବ ଏବଂ ତାହାଦ୍ୱାରା ତୁମ ଉଦ୍ଦେଶ୍ୟ ସିଦ୍ଧିର ମାର୍ଗ ଉନ୍ମୋଚନ କରି ଦେଇପାରିବ । ଆଉ ମଧ୍ୟ ମନେରଖ, ଦୁର୍ଦ୍ଦାନ୍ତ କୁରୁବଂଶର ବିନାଶ ପାଇଁ ଅପରାଜେୟ ପାଣ୍ଡବମାନଙ୍କର ବୈରତା ହିଁ ସମର୍ଥ ହେବ ଏବଂ ଦ୍ୟୁତକ୍ରୀଡ଼ା ହିଁ ସେହି ବୈରତାର କାରଣ ହେବ ।’

 

ଶକୁନି ଗଦ୍‌ଗବ ଚିତ୍ତରେ ଦେବୀଙ୍କର ଶରଣାପନ୍ନ ହୋଇ ଆଶୀର୍ବାଦ ଭିକ୍ଷାକଲେ । ଦେବୀ କହିଲେ, ‘ନିୟତିଠାରେ ଆତ୍ମପର ବିଚାର ନାହିଁ, ସେ କାହାକୁ ଅହେତୁକ ଆଶୀର୍ବାଦ କରିବାକୁ ଯାଏ ନାହିଁ । ତୁମର ମୋଠାରୁ ଯାହା ପ୍ରାପ୍ୟ ମୁଁ ତାହା ବଳେ ବଳେ ଦେଇଯିବ । ବର୍ତ୍ତମାନର କର୍ତ୍ତବ୍ୟ ସମ୍ବନ୍ଧରେ ତୁମକୁ ମଧ୍ୟ ସଚେତନ କରିଦେବାକୁ ହେବ ।’

 

‘ଆଦେଶ କରନ୍ତୁ’—କହି ଶକୁନି ଉତ୍କଣ୍ଠିତ ହୋଇ ପଡ଼ିଲେ । ତହୁଁ ଦେବୀ ଆରମ୍ଭ କଲେ—‘ଶୁଣ, ଆଜି ଦୁର୍ଯ୍ୟୋଧନ ବନ୍ଦୀଶାଳା ନିକଟକୁ ଆସିଥିଲା । ପ୍ରାଙ୍ଗଣରେ ପ୍ରସ୍ରାବ ତ୍ୟାଗ କରିବା ସମୟରେ ପ୍ରସ୍ରାବରେ ଶୁଷ୍କବଟ ଫଳ ଭାସିଯିବା ଦେଖି ସେ ମନେକଲା, ଯେଉଁ ବଟ ବୀଜ ମଧ୍ୟରେ ବିଶାଳ ଦ୍ରୂମ ରାଜି ସମ୍ଭବ କରିବା ଶକ୍ତି ନିହିତ, ତାହା ମାନବର ସାମାନ୍ୟ ମୂତ୍ରାଧାରରେ ଭାସିଯାଉଛି । ଏହା ଭାବି ସେ ହସି ପକାଇଲା । ସେହି ସମୟରେ ଅଦୂରରେ ଥିବା ରକ୍ଷୀର ସ୍ତ୍ରୀ କୌଣସି କାରଣ ନଜାଣି ମଧ୍ୟ ହସିଦେଲା । ଦୁର୍ଯ୍ୟୋଧନ ନିଜକୁ ଅପମାନିତ ମନେକରି ସେ ରକ୍ଷୀ ଏବଂ ତାହାର ସ୍ତ୍ରୀକୁ ଏହାର ସମୁଚିତ କାରଣ ନ ଜଣାଇ ପାରିଲେ ମୃତ୍ୟୁଦଣ୍ଡ ଦିଆଯିବାର ଆଦେଶ କରିଛି । ତୁମେ ଭୋର ସମୟରେ ସେମାନଙ୍କୁ ଡାକି ଦୁର୍ଯ୍ୟୋଧନ ହସିବାର ମର୍ମ ଯାହା କହିଗଲେ ତାହା ସେମାନଙ୍କୁ ଅବଗତ କରାଇଦେଲେ ସେମାନେ ରକ୍ଷା ପାଇବା ସହିତ ତୁମେ ବନ୍ଦୀମୁକ୍ତ ହୋଇ ପାରିବ । ଅଧିକନ୍ତୁ ଏଥିଯୋଗୁଁ ତୁମେ ଦୁର୍ଯ୍ୟୋଧନର ରାଜ ଦରବାରରେ ସର୍ବୋଚ୍ଚ ସ୍ଥିତି ଲାଭ କରିପାରିବ, ଏହା ନିୟତିର ନିର୍ଦ୍ଦେଶ ।’

 

ଦେବୀ ଅନ୍ତର୍ହିତା ହେଲେ । ଶକୁନି ତନ୍ମୟ ହୋଇ ଉଷାଗମ ପ୍ରତୀକ୍ଷାରେ ବସି ରହିଲେ-। ବନ୍ଦୀଶାଳା କବାଟରେ କ୍ଷୁଦ୍ର ରନ୍ଧ୍ରଥିଲା । ଭୋର ହେବାରୁ ଶକୁନି ସେହିବାଟେ ଲକ୍ଷ୍ୟ କଲେ ରକ୍ଷୀ ସ୍ୱାମୀ-ସ୍ତ୍ରୀ ଦୁହେଁ କାନ୍ଦୁଛନ୍ତି । ନିକଟକୁ ଆସି ରକ୍ଷା ପାଇବା ଉପାୟ ଶୁଣାଇବାକୁ ସେମାନଙ୍କୁ ଉଚ୍ଚସ୍ୱରରେ ଡାକିଲେ । ସେମାନେ ଏହାକୁ ଭୂତ-ପ୍ରେତ ବାଣୀ ମନେକଲେ ସତ, କିନ୍ତୁ ଜୀବନର ଆଶା ସେମାନେ ହରାଇ ଥିବାରୁ ନିର୍ବିଚାରରେ ଆସି ପହଞ୍ଚିଲେ । ସେମାନେ ଆତ୍ମରକ୍ଷା ପାଇଁ ରାଜାଙ୍କୁ ଯାହା ଉପଯୁକ୍ତ କାରଣ ଦର୍ଶାଇବା କଥା—ଶକୁନି ସେମାନଙ୍କୁ ଭଲ ଭାବରେ ବୁଝାଇ ଦେଇ ସେଠାରୁ ବିଦାୟ କରିଦେଲେ ।

 

କିଛି ସମୟ ପରେ ରାଜାଦେଶ ଯୋଗେ ଅନୁଚରମାନେ ଆସି ରକ୍ଷୀ ଦମ୍ପତ୍ତିଙ୍କୁ ରାଜାଙ୍କ ନିକଟକୁ ଘେନିଗଲେ । ଶକୁନିର ଉପଦେଶ ଅନୁସାରେ ରକ୍ଷୀ ସ୍ତ୍ରୀ କ୍ଷମା-ପ୍ରାର୍ଥିନୀ ହୋଇ ସମସ୍ତ ବର୍ଣ୍ଣନା କଲା । ରାଜା ଆଶ୍ଚର୍ଯ୍ୟହୋଇ ପଚାରିଲେ—

 

‘ମୁଁ ଯେଉଁ କାରଣ ନେଇ ହସିଲି, ତୁ ମୋ ମନର କଥା କିପରି ଜାଣିଲୁ ? ଏହା କଦାପି ତୋର ନିଜବୁଦ୍ଧି ବୋଲି ବିଶ୍ୱାସ ନୁହେଁ । ତୁ କେଉଁଠାରୁ ଏ ଶିକ୍ଷା ପାଇଲୁ, ସତ୍ୟକଥା ପ୍ରକାଶ କର, ତୁମ୍ଭମାନଙ୍କୁ ମୁକ୍ତି ଦିଆଯିବ ।

 

ରକ୍ଷୀ ସ୍ତ୍ରୀ ଭୀତତ୍ରସ୍ତ ହୋଇ ସମସ୍ତ କଥା ସତ୍ୟ ସତ୍ୟ କହିଗଲା । ରାଜା ସେମାନଙ୍କୁ ବିଦାୟ ଦେଇ ତତ୍‌କ୍ଷଣାତ୍‌ ବନ୍ଦୀଗୃହ କବାଟ ଖୋଲିବାକୁ ଆଦେଶ କଲେ । ଦେଖାଗଲା, ସମସ୍ତେ ମୃତ । କେବଳ ଶକୁନି ଏକାକୀ ଧ୍ୟାନମୁଦ୍ରିତ ନିୟନରେ ବସି ରହିଛନ୍ତି ।

 

ଦୁର୍ଯ୍ୟୋଧନ ଶକୁନିଙ୍କଠାରେ ଏପରି ଆଶ୍ଚର୍ଯ୍ୟ ପ୍ରତିଭା ଥିବା ଜାଣି ପାରିଲେ । ସେ ନିଜର ଦୁଷ୍କର୍ମ ପାଇଁ ମାତୁଳଙ୍କଠାରେ କ୍ଷମାପ୍ରାର୍ଥୀ ହେଲେ ଏବଂ ତାଙ୍କୁ ସମାଦରରେ ରାଜନବରକୁ ଘେନିଗଲେ । ଶକୁନି ହେଲେ ଦୁର୍ଯ୍ୟୋଧନର ପ୍ରଧାନମନ୍ତ୍ରୀ ।

Image